ଦେଶ ବିଦେଶ

Delhi Air Pollution: ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରାକ୍‌-ଦୀପାବଳି ପ୍ରଦୂଷଣ ୩ ବର୍ଷର ସର୍ବୋଚ୍ଚ ସ୍ତରରେ, ୨୦୨୫ ତୁଳନାରେ ୯୭ ପ୍ରତିଶତ ବୃଦ୍ଧି

ଶୀତ ଋତୁ ଆରମ୍ଭରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦୀପାବଳିର ଠିକ୍‌ ପୂର୍ବରୁ ଏଠାରେ ସୂକ୍ଷ୍ମ ଧୂଳିକଣା ପିଏମ୍‌୨.୫ର ହାରାହାରି ମାତ୍ରା ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦୀପାବଳିର ଠିକ୍‌ ପୂର୍ବରୁ ଏଠାରେ ସୂକ୍ଷ୍ମ ଧୂଳିକଣା ପିଏମ୍‌୨.୫ର ହାରାହାରି ମାତ୍ରା ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡ଼ିଛି। ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ପକ୍ଷରୁ ବୁଧବାର ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁସାରେ, ଦୀପାବଳି ପୂର୍ବ ସପ୍ତାହରେ ପିଏମ୍‌୨.୫ର ହାରାହାରି ମାତ୍ରା ଘନମିଟର ପ୍ରତି ୨୩୬ ମାଇକ୍ରୋଗ୍ରାମ୍‌ ରହିଥିଲା। ଏହା ୨୦୨୫ର ସମାନ ସମୟର ୧୨୦ ମାଇକ୍ରୋଗ୍ରାମ୍‌ ତୁଳନାରେ ୯୭ ପ୍ରତିଶତ ଏବଂ ୨୦୨୪ର ୧୭୯ ମାଇକ୍ରୋଗ୍ରାମ୍‌ ତୁଳନାରେ ୩୨ ପ୍ରତିଶତ ଅଧିକ।

ସିଏସ୍‌ଇର ଗବେଷଣା ଓ ଅଭିଯାନ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁମିତା ରାୟଚୌଧୁରୀ କହିଛନ୍ତି, ଚଳିତ ବର୍ଷ ଶୀତ ଋତୁ ପୂର୍ବରୁ ହିଁ ପ୍ରଦୂଷଣର ସ୍ତର ପୂର୍ବବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି। ବର୍ଷସାରା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସିଏସ୍‌ଇ ଏହି ଅଧ୍ୟୟନ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ବାୟୁ ଗୁଣବତ୍ତା ତଥ୍ୟ, ଭାରତୀୟ ଉଷ୍ଣମଣ୍ଡଳୀୟ ପାଣିପାଗ ବିଜ୍ଞାନ ସଂସ୍ଥା (ଆଇଆଇଟିଏମ୍‌)ର ପ୍ରଦୂଷଣ ଉତ୍ସ ଆକଳନ, ଭାରତୀୟ କୃଷି ଗବେଷଣା ସଂସ୍ଥାର ନଡ଼ାପୋଡ଼ି ତଥ୍ୟ ଏବଂ ଟମ୍‌ଟମ୍‌ କମ୍ପାନିର ଯାତାୟାତ ସମ୍ପର୍କିତ ତଥ୍ୟକୁ ଆଧାର କରିଛି।

ବର୍ଷସାରା ପ୍ରଦୂଷଣ
ନଭେମ୍ବର ୧ରୁ ୮ ମଧ୍ୟରେ ଦିଲ୍ଲୀର ପିଏମ୍‌୨.୫ ପ୍ରଦୂଷଣର ୫୪.୪୩ ପ୍ରତିଶତ ପଡ଼ୋଶୀ ଏନ୍‌ସିଆର୍‌ ଅଞ୍ଚଳରୁ ଆସିଥିବା ବେଳେ ସ୍ଥାନୀୟ ଉତ୍ସର ଅବଦାନ ୩୩.୦୬ ପ୍ରତିଶତ ଏବଂ ନଡ଼ାପୋଡ଼ିର ଅବଦାନ ୧୪.୨୯ ପ୍ରତିଶତ ଥିଲା। ସ୍ଥାନୀୟ ପ୍ରଦୂଷଣ ଉତ୍ସ ମଧ୍ୟରେ ଯାନବାହନ ଧୂଆଁ ସବୁଠାରୁ ଅଧିକ ଦାୟୀ। ଏହାର ଅବଦାନ ୫୨ ପ୍ରତିଶତ ଥିବା ବେଳେ ଘରୋଇ କାର୍ଯ୍ୟକଳାପରୁ ୧୩ ପ୍ରତିଶତ ଏବଂ ଦିଲ୍ଲୀ ଉପକଣ୍ଠର ଶିଳ୍ପାନୁଷ୍ଠାନରୁ ୧୧ ପ୍ରତିଶତ ପ୍ରଦୂଷଣ ହେଉଛି। ନିର୍ମାଣ କାର୍ଯ୍ୟର ଅବଦାନ ୭ ପ୍ରତିଶତ ରହିଛି। ଏହାବ୍ୟତୀତ ଶକ୍ତି ବ୍ୟବହାର ଓ ଆବର୍ଜନା ପୋଡ଼ିବାରୁ ୫ ପ୍ରତିଶତ ଲେଖାଏଁ ପ୍ରଦୂଷଣ ହେଉଛି।

ତୃତୀୟ ପର୍ଯ୍ୟାୟ କଟକଣା ଲାଗୁ
ରିପୋର୍ଟରେ ଦିଲ୍ଲୀରେ ନଡ଼ାପୋଡ଼ିର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ପ୍ରଦୂଷଣ ଗମ୍ଭୀର ରହିଥିବା କୁହାଯାଇଛି। ନଭେମ୍ବର ୪ରେ ନଡ଼ାପୋଡ଼ିର ଅବଦାନ ୧୬.୨ ପ୍ରତିଶତ ଥିଲା। କିନ୍ତୁ ନଭେମ୍ବର ୬ରେ ଏହା ପ୍ରାୟ ୮ ପ୍ରତିଶତକୁ ଖସିଥିବା ସତ୍ତ୍ୱେ ଦିଲ୍ଲୀର ଏକ୍ୟୁଆଇ ୩୮୨ ରହିଥିଲା। ଏହି ସମୟରେ ଗ୍ରାପ୍‌ର ତୃତୀୟ ପର୍ଯ୍ୟାୟ କଟକଣା ଲାଗୁ କରାଯାଇଥିଲା। ଅନ୍ୟପକ୍ଷରେ, ଅକ୍ଟୋବର ୩୦ରୁ ନଭେମ୍ବର ୯ ମଧ୍ୟରେ ଯାନବାହନ ଭିଡ଼ ଯୋଗୁଁ ନିର୍ଗତ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ର ମାତ୍ରା ସନ୍ଧ୍ୟା ସମୟରେ ବଢ଼ି ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button