ରାଜ୍ୟ

Kotia: କୋଟିଆ ପ୍ରସଙ୍ଗରେ ରାଜନୀତି ନ କରି ନବୀନ ବାବୁ ୨୪ ବର୍ଷର ହିସାବ ଦିଅନ୍ତୁ: ବିଜେପି

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କୋଟିଆରୁ ଇଂଚଟିଏ ମଧ୍ୟ ଜମି କାହାକୁ ଦିଆଯିବ ନାହିଁ। ଏହା ହେଉଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରଙ୍କର ସଂକଳ୍ପ। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପ୍ରସଙ୍ଗ।

ଭୁବନେଶ୍ୱର: କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କୋଟିଆରୁ ଇଂଚଟିଏ ମଧ୍ୟ ଜମି କାହାକୁ ଦିଆଯିବ ନାହିଁ। ଏହା ହେଉଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରଙ୍କର ସଂକଳ୍ପ। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀବ ବାବୁ କେବଳ ଟୁଇଟ୍ କରି ଓ ଚିଠି ଲେଖି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ସତ୍ୱେ ବିଜେଡି ସରକାର କୋଟିଆ ପାଇଁ କ’ଣ କରିଛି ତାର ହିସାବ ଓଡ଼ିଶାବାସୀଙ୍କୁ ଦେବାର ଆବଶ୍ୟକତା ରହିଛି। ୨୦୨୨ ମସିହାରେ ବାଚସ୍ପତିଙ୍କର ନେତୃତ୍ୱରେ କୋଟିଆକୁ ବିଧାନସଭାର ଗୃହ କମିଟି ଯିବା ପାଇଁ ତତ୍କାଳୀନ ବିଜେଡି ସରକାର ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ବିଜେଡି ସରକାର ସମୟରେ ଗୃହ କମିଟି କୋଟିଆ ଯିବା ପାଇଁ କୌଣସି ପ୍ରକାର ତତ୍ପରତା ଦେଖାଇଲେ ନାହିଁ। ଏବେ ବିଜେଡି ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନ ପ୍ରସଙ୍ଗ କହୁଥିବାବେଳେ ୨୦୨୧ ଫେବ୍ରୁଆରି ୧୩ ତାରିଖରେ ଯେତେବେଳେ ଆନ୍ଧ୍ର ପ୍ରଶାସନ କୋଟିଆର ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣସିନେରୀ ଓ ନେରେଡିବାଲସାରେ ପଂଚାୟତ ନିର୍ବାଚନ କରାଇଲା, ସେତେବେଳେ ତତ୍କାଳୀନ ବିଜେଡି ସରକାର ତାହାକୁ ପ୍ରତିହିତ କରାଇବାରେ  ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।  ବରଂ ମହାନଦୀ ଭଳି ସୁପ୍ରିମକୋର୍ଟରେ ମାମଲା ଦାୟର କରି ଚୁପ୍ ହୋଇ ବସିଯାଇଥିଲେ।

ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ୨୦୨୧ ନଭେମ୍ବର ୯ ତାରିଖରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନବୀନ ନିବାସ ଆସି ବୈଠକ କରୁଥିବା ବେଳେ ସେହି ସମୟରେ କୋଟିଆ ଗ୍ରାମଗୁଡ଼ିକରେ ଆନ୍ଧ୍ର ଅଧିକାରୀମାନେ ଜଗନ ରେଡ୍ଡୀଙ୍କ ପୋଷ୍ଟର ଲଗାଇ ଜନଶୁଣାଣି କରୁଥିଲେ। ସେ ସମୟରେ ବିଜେଡି ସରକାର ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇବା ପାଇଁ କୌଣସି କାର୍ଯ୍ୟ କରି ନଥିଲା। କ’ଣ ପାଇଁ ବିଜେଡି ଚୁପ୍ ରହିଥିଲା ଏହାର ଉତର ଓଡ଼ିଶାବାସୀଙ୍କୁ ନବୀନ ବାବୁ ଉତର ଦେବାକୁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି।

ଅପରପକ୍ଷରେ ଓଡ଼ିଶାରେ ବିଜେପି ବିରୋଧୀ ଦଳରେ ଥିବାବେଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ। କେନ୍ଦ୍ରର ଭାଜପା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଟେଲିଫୋନ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେ ସମୟରେ ତତ୍କାଳୀନ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏବଂ ତତ୍କାଳୀନ ଭାରତୀୟ ଜନତା ପାର୍ଟିର ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ସମସ୍ତ ନେତୃମଣ୍ଡଳଙ୍କ ସହ ଶ୍ରୀ ତ୍ରିପାଠୀ ନିଜେ କୋଟିଆର ପ୍ରତ୍ୟେକ ଗ୍ରାମକୁ ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଓଡ଼ିଶା ପ୍ରତି ନିଷ୍ଠାପର ଭାବନା ଜାଗ୍ରତ କରିବା ପାଇଁ ଚେଷ୍ଟା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button