Lamps : ‘ପାହାଡ଼ ଉପରେ ଦୀପ ଜଳାଯାଇପାରିବ’

ଡିଏମ୍‌କେ ନେତୃତ୍ୱାଧୀନ ତାମିଲନାଡୁ ସରକାରଙ୍କୁ ଏକ ଝଟକା ଦେଇ ମାଡ୍ରାସ ହାଇକୋର୍ଟ (ମଦୁରାଇ ବେଞ୍ଚ) ମଙ୍ଗଳବାର ମଦୁରାଇର ଥିରୁପାରାନକୁନ୍ଦ୍ରମ୍ ପାହାଡ ଉପରେ ଥିବା ପଥର ସ୍ତମ୍ଭରେ...

ମଦୁରାଇ: ଡିଏମ୍‌କେ ନେତୃତ୍ୱାଧୀନ ତାମିଲନାଡୁ ସରକାରଙ୍କୁ ଏକ ଝଟକା ଦେଇ ମାଡ୍ରାସ ହାଇକୋର୍ଟ (ମଦୁରାଇ ବେଞ୍ଚ) ମଙ୍ଗଳବାର ମଦୁରାଇର ଥିରୁପାରାନକୁନ୍ଦ୍ରମ୍ ପାହାଡ ଉପରେ ଥିବା ପଥର ସ୍ତମ୍ଭରେ ଦୀପ ଜଳାଇବା ପାଇଁ ଅନୁମତି ଦେଇଥିବା ଏକକ ବିଚାରପତିଙ୍କ ଆଦେଶକୁ କାଏମ୍ ରଖିଛନ୍ତି।

ହଜରତ ସୁଲତାନ ସିକନ୍ଦର ବାଧୁଶା ଅବୁଲିଆ ଦରଘା ନିକଟରେ ଥିରୁପରନକୁନ୍ଦ୍ରମ୍ ପାହାଡରେ ଅବସ୍ଥିତ ଏକ ପ୍ରାଚୀନ ପଥର ଦୀପ ସ୍ତମ୍ଭରେ କାର୍ତ୍ତିଗାଇ (କାର୍ତ୍ତିକ) ଦୀପମ୍ ଜଳାଯାଇପାରିବ କି ନାହିଁ ତାହା କୋର୍ଟରେ ବିଚାର ହୋଇଥିଲା। ରାଜ୍ୟ ସରକାର ଓ ଅନ୍ୟ ଆବେଦନକାରୀମାନେ ଏହି ପ୍ରଥାକୁ ବିରୋଧ କରିଥିଲେ। ଜଷ୍ଟିସ୍ ଜି ଜୟଚନ୍ଦ୍ରନ୍ ଓ ଜଷ୍ଟିସ୍ କେକେ ରାମକ୍ରିଷ୍ଣନଙ୍କୁ ନେଇ ଗଠିତ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, ଏକକ ବିଚାରପତିଙ୍କ ଆଦେଶ ଯଥାର୍ଥ। କାରଣ ରାଜ୍ୟ କର୍ତ୍ତୃପକ୍ଷ ଓ ଦରଘା ସମେତ ଆବେଦନକାରୀମାନେ କୌଣସି ଆଗମ ଶାସ୍ତ୍ର ଦୀପ ଜାଳିବାକୁ ନିଷେଧ କରିଥିବା ଦର୍ଶାଇବାରେ ବିଫଳ ହୋଇଥିଲେ। ରାଜ୍ୟ ସରକାରଙ୍କ ଆପତ୍ତିକୁ ତୀବ୍ର ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି, ଦେବସ୍ଥାନମ୍‌ର ପ୍ରତିନିଧିମାନଙ୍କୁ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନରେ ପଥର ସ୍ତମ୍ଭ ଉପରେ ଦୀପ ଜାଳିବାକୁ ଅନୁମତି ଦେବା ଜନସାଧାରଣଙ୍କ ଶାନ୍ତି ଭଙ୍ଗ କରିପାରେ ବୋଲି ସେମାନଙ୍କର ଯୁକ୍ତି ହାସ୍ୟାସ୍ପଦ ଓ ଅବିଶ୍ବାସ୍ୟ।

କୋର୍ଟ କହିଛନ୍ତି ଯେ ଯଦି ରାଜ୍ୟ ଦ୍ୱାରା ପ୍ରାୟୋଜିତ ହୁଏ ତେବେ ଏପରି ବିଶୃଙ୍ଖଳା ଘଟିପାରେ ଏବଂ ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ କୌଣସି ରାଜ୍ୟ ଏପରି ସ୍ତରକୁ ଖସିବ ନାହିଁ ବୋଲି ସେମାନେ ଆଶା କରୁନାହାନ୍ତି। ବିଚାରପତିମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସ୍ତମ୍ଭଟି ଦରଘାର ବୋଲି ଦାବି କୋର୍ଟରେ ଦର୍ଶାଯାଇଥିବା ମଧ୍ୟସ୍ଥତା ପ୍ରୟାସକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏହି ଆଦେଶ ବିରୋଧରେ ତାମିଲନାଡୁ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାର ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version