Lancers in the final: ଶିଳାନନ୍ଦଙ୍କ ଯୁଗଳରେ ତୁଫାନ୍‌ସ ଅଗ୍ରସର: ଫାଇନାଲ୍‌ରେ ଲାନ୍‌ସର୍ସ

ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଯୁଗଳ ଗୋଲ୍‌ ବଳରେ ହାଇଦ୍ରାବାଦ ତୁଫାନ୍‌ସ ଚଳିତ ହକି ଇଣ୍ଡିଆ ଲିଗ୍‌ କ୍ବାଲିଫାୟର୍‌-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାର ଶୁକ୍ରବାର ଏଲିମିନେଟର୍‌....

ଭୁବନେଶ୍ବର: ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଯୁଗଳ ଗୋଲ୍‌ ବଳରେ ହାଇଦ୍ରାବାଦ ତୁଫାନ୍‌ସ ଚଳିତ ହକି ଇଣ୍ଡିଆ ଲିଗ୍‌ କ୍ବାଲିଫାୟର୍‌-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାର ଶୁକ୍ରବାର ଏଲିମିନେଟର୍‌ ମ୍ୟାଚ୍‌ରେ ତୁଫାନ୍‌ସ ୨-୦ ଗୋଲ୍‌ରେ ହିଲ୍‌ ଜିସିକୁ ମାତ୍‌ ଦେଇଛି। ଏହି ବିଜୟ ସହ ଦଳର ଫାଇନାଲ୍‌ ଖେଳିବା ଆଶା ବଳବତ୍ତର ରହିଥିଲା ବେଳେ ହିଲ୍‌ ଜିସି କାଂସ୍ୟ ପାଇଁ ଖେଳିବ। ରବିବାର ଫାଇନାଲ୍‌ ଲାଗି ତୁଫାନ୍‌ସ କ୍ବାଲିଫାୟର-୧ର ପରାଜିତ ଦଳ ରାଞ୍ଚି ରୟାଲ୍ସକୁ ଭେଟିବ। ଶୁକ୍ରବାର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍‌ରେ ନିଜ ପଡ଼ିଆରେ ଖେଳୁଥିବା ଶିଳାନନ୍ଦ (୧୬ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ତୁଫାନ୍‌ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ଏହି ଗୋଲ୍‌ ବଳରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣ ରଖିଥିଲା ତୁଫାନ୍‌ସ। ୩୯ ମିନିଟ୍‌ରେ ତୁଫାନ୍‌ସକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁୁ ଓଡ଼ିଆ ପୁଅ ଅମନଦୀପ ଲାକ୍ରା ଗୋଲ୍‌ ପୋଷ୍ଟ୍‌ ନିକଟକୁ ବଲ୍‌ ମାରି ଦେଇଥିଲେ। ହେଲେ ଏହାକୁ ଜିସି ଗୋଲି ଅଟକାଇଥିଲେ। ବଲ୍‌ଟି ଫେରୁଥିଲା ବେଳେ ଶିଳାନନ୍ଦ ସଙ୍ଗେ ସଙ୍ଗେ ଏହାକୁ ଗୋଲ୍‌ରେ ପରିଣତ କରି ଯୁଗଳ ସଫଳତା ପାଇବା ସହ ଦଳକୁ ୨-୦ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ସହ ତୁଫାନ୍‌ସ ୨-୦ରେ ମ୍ୟାଚ୍‌ ଜିତି ନେଇଥିଲା।

ଫାଇନାଲ୍‌ରେ ଲାନ୍‌ସର୍ସ

ଓଡ଼ିଶା ଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଚଳିତ ହକି ଇଣ୍ଡିଆ ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର କ୍ବାଲିଫାୟର-୧ରେ ଘରୋଇ ଦଳ ୨-୧ ଗୋଲ୍‌ରେ ରାଞ୍ଚି ରୟାଲ୍ସକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ଲାନ୍‌ସର୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଆଲେକ୍‌ଜାଣ୍ଡାର ହେଣ୍ଡ୍ରିକ୍ସ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେ‌ଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ହେଣ୍ଡ୍ରିକ୍ସ (୩୨ ମିନିଟ୍‌) ଆଉ ‌ଏକ ପେନାଲ୍ଟି କର୍ଣ୍ଣର ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗରେ ରଖିଥିଲେ। ତେବେ ୪୦ତମ ମିନିଟ୍‌ରେ ମନଦୀପ ସିଂହ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଶେଷ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ସହ ଘରୋଇ ଦଳ ୨-୧ରେ ମ୍ୟାଚ୍‌ ଜିତି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା।

ସୌଜନ୍ୟ ସମ୍ବାଦ

Exit mobile version