ରାଜ୍ୟ

Land: ଅବ୍ୟବହୃତ ଲିଜ୍ ଜମି ଫେରାଇନେବେ ସରକାର

ଯଦି କେହି ରାଜ୍ୟ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ଜମି ନେଇ ଏହାକୁ ବ୍ୟବହାର ନକରି ପଡ଼ିଆ ପକାଇ ରଖିଛନ୍ତି କିମ୍ବା ଯେଉଁ ଉଦ୍ଦେଶ୍ୟରେ ଲିଜ୍ ନେଇଥିଲେ ସେହି ଉଦ୍ଦେଶ୍ୟରେ ବ୍ୟବହାର...

ଭୁବନେଶ୍ୱର:  ଯଦି କେହି ରାଜ୍ୟ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ଜମି ନେଇ ଏହାକୁ ବ୍ୟବହାର ନକରି ପଡ଼ିଆ ପକାଇ ରଖିଛନ୍ତି କିମ୍ବା ଯେଉଁ ଉଦ୍ଦେଶ୍ୟରେ ଲିଜ୍ ନେଇଥିଲେ ସେହି ଉଦ୍ଦେଶ୍ୟରେ ବ୍ୟବହାର ନକରି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି, ତେବେ ରାଜ୍ୟ ସରକାର ସେ ଜମି ଫେ‌ରାଇ ଆଣିବାକୁ ଆଇନଗତ ଭାବେ ପଦକ୍ଷେପ ନେବେ। ଏଥିପାଇଁ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କେଉଁଠି କେତେ ସରକାରୀ ଜମି କାହାକୁ ଲିଜ୍‌ରେ ଦିଆଯାଇଛି,  କେବେ ହସ୍ତାନ୍ତର ହୋଇଛି ଏବଂ ଏହି ଜମି କେଉଁ ଉଦ୍ଦେଶ୍ୟରେ ଦିଆଯାଇଥିଲା ଓ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି ତା’ର ସମୀକ୍ଷା କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ବ ବିଭାଗର କହିବାନୁଯାୟୀ, ବିଭିନ୍ନ ସରକାରୀ ବିଭାଗ, କର୍ପୋରେସନ୍‌, ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ସରକାରୀ ଜମି ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ଲିଜ୍‌ କିମ୍ବା ଆଲିଏନେସନ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ତାହା ଅବ୍ୟବହୃତ ହୋଇ ପଡ଼ିରହିଛି, କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଛି। ତେଣୁ ଏହାର ବିସ୍ତୃତ ସମୀକ୍ଷା କରାଯିବ।

ଆଡଭାନ୍ସ ପଜେସନ୍‌ କ୍ଷେତ୍ରରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ, ୧୯୮୩ର ନିୟମ ୧୧-କ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ବକେୟା ମାମଲାଗୁଡ଼ିକର ତ୍ୱରିତ କ୍ଷେତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମି ଅବ୍ୟବହୃତ ଥିଲେ କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ, ଆଇନ ଅନୁଯାୟୀ ଜମିକୁ ସରକାରଙ୍କ ନିକଟକୁ ପୁନଃ ଫେରାଇ ଅଣାଯିବ। ପରମିସିଭ୍ ପଜେସନ୍‌ ଅଧୀନରେ ଥିବା ଜମିର ବର୍ତ୍ତମାନର ବ୍ୟବହାର ସ୍ଥିତି ଯାଞ୍ଚ କରାଯିବ। ଜମି ଖାଲି ପଡ଼ିଥିଲେ କିମ୍ବା ପରମିସିଭ୍ ପଜେସନ୍‌ର ସର୍ତ୍ତାବଳୀ ପାଳନ ହେଉନଥିଲେ, ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ନିୟମ, ୧୯୮୩ର ନିୟମ ୯-କ(୨) ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।

ବିଭିନ୍ନ ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ମଧ୍ୟ କେସ୍‌-ଭିତ୍ତିକ ସମୀକ୍ଷା କରାଯିବ। ଯେଉଁ କ୍ଷେତ୍ରରେ ଜମି ସେଟଲମେଣ୍ଟ ତାରିଖଠାରୁ ୩ ବର୍ଷରୁ ଅଧିକ ସମୟ ଅବ୍ୟବହୃତ ରହିଛି କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଛି, ସେଗୁଡ଼ିକୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସରକାରୀ ବିଭାଗଗୁଡ଼ିକୁ ପ୍ରକଳ୍ପ ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ହସ୍ତାନ୍ତର କରାଯାଇଥିବା ଜମିର ମଧ୍ୟ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯିବ। ଯେଉଁ ଜମି କିମ୍ବା ତାହାର କୌଣସି ଅଂଶ ୩ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ରହିଛି ଏବଂ ଆଉ ସମ୍ପୃକ୍ତ ଉଦ୍ଦେଶ୍ୟରେ ଆବଶ୍ୟକ ନାହିଁ, ସେହି ଜମିକୁ ରାଜସ୍ୱ ବିଭାଗ ସପକ୍ଷରେ ଫେରାଇ ଆଣିବା ପାଇଁ ପ୍ରସ୍ତାବ ସମ୍ପୃକ୍ତ ଜମି ଅଧିକୃତ କରିଥିବା ବିଭାଗକୁ ଦିଆଯିବ। ଆଂଶିକ ବ୍ୟବହାର ହୋଇଥିବା ମାମଲାରେ ଅବ୍ୟବହୃତ ଅଂଶକୁ ରଖିବାର ଆବଶ୍ୟକତା ମଧ୍ୟ ସ୍ପଷ୍ଟ ଭାବେ ଯାଞ୍ଚ ଓ ରେକର୍ଡ କରାଯିବ। ଏହିପରି ମାମଲାରେ ଯଦି କୌଣସି ସରକାରୀ ଅଧିକାରୀଙ୍କର ସହଯୋଗ କିମ୍ବା ସଂପୃକ୍ତି ଥିବ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହି ସମଗ୍ର ପ୍ରକ୍ରିୟାର ନିୟମିତ ତଦାରଖ ପାଇଁ ଚାରିଟି ପୃଥକ ଫର୍ମାଟ୍‌ ରି‌େପାର୍ଟ ପ୍ରତି ମାସ ୫ ତାରିଖ ସୁଦ୍ଧା ରାଜସ୍ବ ବିଭାଗ ଅନଲାଇନ୍‌ରେ ପଠାଇବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button