Leadershipless politics in Sundargarh: ସୁନ୍ଦରଗଡ଼ରେ ନେତୃତ୍ବଶୂନ୍ୟ ରାଜନୀତି

ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ବ ଦେଉଥିବା ସୁନ୍ଦରଗଡ଼ ଜିଲ୍ଲା ସବୁକ୍ଷେତ୍ରରେ ଅବହେଳିତ। ପ୍ରାଚୁର୍ଯ୍ୟ ଏତେ ଯେ ଏଠାରେ ବିକାଶ ଶିଖର ଛୁଇଁବା କଥା। କିନ୍ତୁ ବିଡ଼ମ୍ବନା, ଜିଲ୍ଲା ଏବେ ବି ସବୁଠୁ ପଛୁଆ। ଏଥିପାଇଁ ବିନା ଦ୍ବିଧାରେ ନେତୃତ୍ବକୁ ଲୋକେ ଦାୟୀ କରୁଛନ୍ତି।

ରାଉରକେଲା/ସୁନ୍ଦରଗଡ଼: ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ବ ଦେଉଥିବା ସୁନ୍ଦରଗଡ଼ଜିଲ୍ଲା ସବୁକ୍ଷେତ୍ରରେ ଅବହେଳିତ। ପ୍ରାଚୁର୍ଯ୍ୟ ଏତେ ଯେ ଏଠାରେ ବିକାଶ ଶିଖର ଛୁଇଁବା କଥା। କିନ୍ତୁ ବିଡ଼ମ୍ବନା, ଜିଲ୍ଲା ଏବେ ବି ସବୁଠୁ ପଛୁଆ। ଏଥିପାଇଁ ବିନା ଦ୍ବିଧାରେ ନେତୃତ୍ବକୁ ଲୋକେ ଦାୟୀ କରୁଛନ୍ତି। ସଂପ୍ରତି ସୁନ୍ଦରଗଡ଼ରେ ‌ନେତୃତ୍ବଶୂନ୍ୟ ରାଜନୀତି ଚାଲିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସରେ ସମାନ ସ୍ଥିତି। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଖାତାକୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ଆସିଥିବାବେଳେ ଏଠାରୁ ଯୋଗେଶ କୁମାର ସିଂ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ରାଉରକେଲାରେ ସାରଦା ନାୟକ, ବୀରମିତ୍ରପୁରରେ ରୋହିତ ଯୋସେଫ୍‌ ତିର୍କୀ ବିଧାୟକ ହୋଇଛନ୍ତି। ରଘୁନାଥପାଲିରେ ବିଜେପିର ଦୁର୍ଗାଚରଣ ତନ୍ତୀ, ତଳସରାରେ ବିଜେପି ବିଧାୟକ ଭବାନୀଶଙ୍କର ଭୋଇ, ବଣାଇରେ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର‌ରେ କଂଗ୍ରେସ ବିଧାୟକ ଡାକ୍ତର ରାଜନ ଏକ୍କା ଅଛନ୍ତି।

ବିରୋଧୀ ଦଳରୁ ବିଧାୟକ ସାରଦା ନାୟକ, ଡାକ୍ତର ରାଜନ ଏକ୍କା, ଯୋଗେଶ ସିଂହ,‌ ରୋହିତ ଯୋସେଫ୍‌ ତିର୍କୀ ଓ ଲକ୍ଷ୍ମଣ ମୁଣ୍ଡା ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଯେଉଁଭଳି ଘେରିବା କଥା, ତାହା ଦେଖାଯାଉ ନାହିଁ। ବିଶେଷ କରି ଜିଲ୍ଲାର ସମସ୍ୟା, ଡିଏମ୍ଏ‌ଫ୍‌ ପାଣ୍ଠି ଦୁରୁପଯୋଗ, ଖଣି ଚୋରି, ଦାଦନ ଚାଲାଣ ଓ ବିକାଶମୂଳକ ପ୍ରସଙ୍ଗରେ ନିରବ। କ୍ଷମତାରୁ ଯିବା  ପରଠାରୁ ବିଜେଡି ଏକପ୍ରକାର ନିଷ୍କ୍ରିୟ। ରାଉରକେଲା ବିଧାୟକ ଏବେ ବିଜେପିମୁହାଁ। ବିଜେପିରେ ସାମିଲ ହେବାକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କରେ ରହିଥିବା ଚର୍ଚ୍ଚା ହେଉଛି। ନିକଟରେ ବିଧାୟକଙ୍କ ମାସିକ ବେତନ ବୃଦ୍ଧିକୁ ବିରୋଧ କରି ରାଜ୍ୟର ଏକମାତ୍ର ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଚର୍ଚ୍ଚାକୁ ଆସିଥିଲେ। ଜନପ୍ରତିନିଧିଙ୍କ ଦରମା ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

 

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ମଧ୍ୟ ଆଦିବାସୀ ଓ ଜିଲ୍ଲାର ବିକାଶ ପ୍ରସଙ୍ଗରେ ଉତ୍ସାହଜନକ ପ୍ରଦର୍ଶନ କରୁ ନଥିବା ଆଲୋଚନା ହେଉଛି। ଜିଲ୍ଲା କଂଗ୍ରେସ ନୂଆ ନେତା ପାଇଥିଲେ ମଧ୍ୟ ଦଳ କେବଳ ସଭାସମିତିରେ ସୀମିତ। ଛାତ୍ର, ଯୁବକମାନଙ୍କୁ ଯୋଡ଼ି ପାରିନାହିଁ। ଦଳର ଏକମାତ୍ର ବିଧାୟକ ଡା. ସି.ଏସ୍‌. ରାଜନ ଏକ୍କା କିଛି ମାତ୍ରାରେ ଆଦିବାସୀଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ରାଉରକେଲା ବିଜେପିରେ ଗୋଷ୍ଠୀକନ୍ଦଳ ଏବେ ଚରମସୀମାରେ ପହଞ୍ଚିଛି। ଦଳୀୟ କାର୍ଯ୍ୟକ୍ରମ ପୃଥକ ପୃଥକ କରାଯାଉଥିବା ଦେଖିବାକୁ ମିଳୁଛି। ରାଉରକେଲା କଂଗ୍ରେସରେ ବର୍ଷେ, ଦୁଇ ବର୍ଷରେ ଜିଲ୍ଲା ସଭାପତି ବଦଳୁଛନ୍ତି। ଦଳ ମଜଭୁତ ହେବା ପରିବର୍ତ୍ତେ ଦୁର୍ବଳ ହେଉଛି। ଆସନ୍ତା ୨୦୨୬ରେ ସୁନ୍ଦରଗଡ଼ର ବିକାଶକୁ ଜିଲ୍ଲାର ବିଧାୟକ ଓ ସାଂସଦ କେତେ ଗୁରୁତ୍ବ ଦେଉଛନ୍ତି, ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।

ସୌଜନ୍ୟ ସମ୍ବାଦ

Exit mobile version