Legal Provisions: ମମତା ଇସ୍ତଫା ନ ଦେଲେ ବିକଳ୍ପ ବ୍ୟବସ୍ଥା କ’ଣ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିବା ପରେ ଆଗକୁ କି ବ୍ୟବସ୍ଥା ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ବିଧାନ ଆଇନ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାରୀ କରିଛନ୍ତି, ମମତା ଯଦି ଇସ୍ତଫା ନ ଦିଅନ୍ତି ତା’ହେଲେ ସେ କେବଳ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ।
ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ଦିନ ତାଙ୍କର ମୁଖ୍ୟମନ୍ତ୍ରୀ ଅବଧି ଶେଷ ହୋଇଯିବ ବୋଲି ଆଚାରୀ କହିଛନ୍ତି। ବରିଷ୍ଠ ଆଇନଜୀବୀ ଶେଖର ନାଫାଡ଼େ କହିଛନ୍ତି ଯେ ମମତାଙ୍କ ଜିଦ୍ କିଛି ଫରକ ପକାଇବ ନାହିଁ। ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଦେଇ ପାରିବେ।
ମମତା ଯଦି ନିୟମ ନ ମାନନ୍ତି ତା’ହେଲେ ରାଜ୍ୟପାଳଙ୍କ ନିକଟରେ ସରକାରକୁ ବରଖାସ୍ତ କରିବା ବ୍ୟତୀତ ଅନ୍ୟ କୌଣସି ସୁଯୋଗ ରହିବ ନାହିଁ। ବରିଷ୍ଠ ଆଇନଜୀବୀ ରେବେକା ଏମ୍ ଜନ୍ କୁହନ୍ତି, ଇସ୍ତଫା ଦେବାରେ ବିଳମ୍ବ କରିବାରେ କୌଣସି ଆଇନଗତ ଭିତ୍ତି ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ସେ କିଛି ପ୍ରସଙ୍ଗ ଉଠାଇ ପାରନ୍ତି। କିନ୍ତୁ ଆଇନଗତ ଦୃଷ୍ଟିରୁ ଇସ୍ତଫା ଦେବା ଏକ ପରମ୍ପରା। ଅବଧି ଶେଷ ହୋଇଯିବା ପରେ ବିଧାନସଭା ଭଙ୍ଗ ହୋଇଯିବ। ଲୋକପ୍ରତିନିଧି ଆଇନ ଅନୁଯାୟୀ, ନିର୍ବାଚନ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। କିନ୍ତୁ ବିଧାନସଭାର ଅବଧି ଶେଷ ସହିତ ତା’ର କୌଣସି ସଂପର୍କ ନାହିଁ। ନାଫାଡ଼େ କହିଛନ୍ତି, ନିର୍ବାଚନ କମିସନ ଆବଶ୍ୟକ ବିଜ୍ଞପ୍ତି ଜାରି କରିବା ପରେ ଯଦି ଉପଯୁକ୍ତ କୋର୍ଟ ତାହାକୁ ରଦ୍ଦ ନ କରନ୍ତି ତା’ହେଲେ ନିର୍ବାଚନ କମିସନଙ୍କ ଦ୍ବାରା ଘୋଷିତ ଫଳାଫଳକୁ ସମସ୍ତେ ମାନିବାକୁ ବାଧ୍ୟ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ହେଉଛି ତାଙ୍କର କର୍ତ୍ତବ୍ୟ।
ସମ୍ବିଧାନର ଧାରା ୧୭୨ରେ ବିଧାନସଭାର ଅବଧି ନିର୍ଦ୍ଧାରଣ କରାଯାଇଛି। ସେଥିରେ କୁହାଯାଇଛି ଯେ, ପ୍ରତ୍ୟେକ ରାଜ୍ୟର ବିଧାନସଭା ଯଦି ପୂର୍ବରୁ ଭଙ୍ଗ ହୋଇ ନ ଥାଏ ତା’ହେଲେ ପ୍ରଥମ ବୈଠକ ହେବା ଦିନଠାରୁ ତାହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଶେଷ ତାରିଖକୁ ବିଧାନସଭା ଭଙ୍ଗ ଭାବେ ବିବେଚନା କରାଯିବ। ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଚଳିତ ବିଧାନସଭାର କାର୍ଯ୍ୟକାଳ ୨୦୨୧ ମେ ୮ ତାରିଖରେ ଆରମ୍ଭ ହୋଇଥିଲା। ତେଣୁ ବିଧାନସଭାର କାର୍ଯ୍ୟକାଳ ଚଳିତମାସ ୭ ତାରିଖରେ ଶେଷ ହେଉଛି। ଏହାପରେ ରାଜ୍ୟପାଳ ନୂଆ ବିଧାନସଭା ଗଠନ ପାଇଁ ପଦକ୍ଷେପ ନେବେ।
ସୌଜନ୍ୟ ସମ୍ବାଦ




