ମୁମ୍ବାଇରେ ସଫଳତାର ମନ୍ତ୍ର ବାଣ୍ଟିଥିଲେ ମେସି

ରବିବାର ମୁମ୍ବାଇରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଆଇଏସ୍‌ଏଲ୍ ଦଳ ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍ୟତମ ମାଲିକ ପାର୍ଥ ଜିନ୍ଦଲଙ୍କ ଭଳି ମାନ୍ୟଗଣ୍ୟଙ୍କୁ ଭେଟିଥିଲେ ମେସି। ଭାରତର କିଛି ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍‌ବଲ୍ ତାରକାଙ୍କୁ ସଫଳତାର ମନ୍ତ୍ର ବି ବାଣ୍ଟିଥିଲେ। ରବିବାର ପୁରା ମୁମ୍ବାଇକୁ ଯେମିତି ମେସି ମାନିଆ ଗ୍ରାସିଥିଲା। ସହର ସାରା ମେସିଙ୍କ ବଡ଼ ବଡ଼ ପୋଷ୍ଟର୍ ଦେଖିବାକୁ ମିଳିଥିଲା। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଚିନ ତାଙ୍କୁ ନିଜ ଦସ୍ତଖତ ସମ୍ବଳିତ ଜର୍ସି ଉପହାର ସ୍ବରୂପ ଦେଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ବଲିଉଡ୍ ଅଭିନେତା ଅଜୟ ଦେବଗନ, ଟାଇଗର ସ୍ରଫ୍‌ଙ୍କ ସହ ହଜାର ହଜାର ଫୁଟ୍‌ବଲ୍‌ପ୍ରେମୀ ମେସିଙ୍କୁ ପ୍ରତ୍ୟକ୍ଷରେ ଦେଖିବାର ସୁଯୋଗ ପାଇଥି‌ଲେ। ତେବେ ସବୁଠୁ ମୂଲ୍ୟବାନ ଉପହାର ସମ୍ଭବତଃ ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ ପାଇଥିଲେ।