Literature: କବିତା ‘ମୁଁ ଏକାକୀ ନୁହେଁ’ ସ୍ୱପ୍ନା ମିଶ୍ରଙ୍କ କଲମରୁ…

ଏହି କବିତାରେ କବି ସମୁଦ୍ର, ଆକାଶ, ଭୂମି ଯେଉଁଠି ଥିଲେ ବି ସେ ଏକା ନୁହନ୍ତି ବୋଲି କବି କହିଛନ୍ତି। ଏମାନେ ସବୁ ତାଙ୍କ ସହଚର। ପ୍ରକୃତିର ଏହି ସମସ୍ତ ଉପାଦାନ ସହିତ ମନୁଷ୍ୟର ଗଭୀର ସମ୍ପର୍କ ଓ ସହାବସ୍ଥାନକୁ କବି ଏଠାରେ ପ୍ରକାଶ କରିଛନ୍ତି।

ମୁଁ ଏକାକୀ ନୁହେଁ

ସ୍ୱପ୍ନା ମିଶ୍ର

ସମୁଦ୍ର ଛାତିରେ ବି ମୁଁ
ଏକାକୀ ନୁହେଁ
ମୋ ସହ ଗଭୀର ପାଣି ଓ ତରଙ୍ଗ
ମୋ ସହ ମାଳମାଳ ଲହଡ଼ି
ଆକାଶରେ ଭେଳା ଭେଳା ମେଘ
ମୁଣ୍ଡ ଉପରେ ଜହ୍ନ, ତାରା ଓ ସୂର୍ଯ୍ୟ।

ହଁ ଏଇ ସମୁଦ୍ର ବୁକୁରେ
କେତେ ନା କେତେ ମାଛ ଓ ଜଳଜୀବ
ଶୈବାଳ ଦ୍ବୀପ ଓ ଉପଦ୍ୱୀପ
କେଉଁଠି ଏଇ ପାଖରେ ବା ଦୂରରେ
ଅରୂପରେ ହେଲେ ବି ଅଛି ଝଡ଼ ଓ ତୋଫାନ
ପାଣି ତଳେ କେଉଁଠି କେଉଁଠି
ଲୋଭନୀୟ ତୁଷାରର କୁଦ
କେତେ ହଜିଥିବା ପ୍ରତିଧ୍ବନି ସେଠି
ଧୋବ ଧୋବ ତୋଫା ଧଳା ପରର
ପୋଷାକ ପିନ୍ଧି
ସ୍ୱପ୍ନର ଜଳଛବି ନୃତ୍ୟରତ।

ମୁଁ ଏଠିକି ଯେବେ ଆସିଥିଲି
ମୋ ଆଈ ସାଥିରେ
ତୁମେ ସେବେ ମତେ ଦେଖିନ
ଆଈ ସ୍ୱର୍ଗଦ୍ୱାରର ବାଲି ଆଡ଼େଇ
ଟଙ୍କାଟିଏ ପୋତି ପୁଣି ଘୋଡ଼େଇ ଦେଉଥିଲା
ମୁଁ ଜିଦି କରି ପଚାରିଲେ
ସେ ଏଇଠି ସ୍ବର୍ଗଦ୍ବାରରେ ମାଟି କିଣିଲା
ମରିବା ପରେ ଆସି ପୋଡ଼ାହେବ ବୋଲି କହୁଥିଲା।

ମୁଁ ଏବେ ଡାକିଲେ
ବାଲିଶେଯରେ ଶୋଇଥିବା ମୋ ଆଈ ଉଠି ଆସିବ
ଆହା, ଏଇ ବାଲିକୁଦରେ
ଢେଉର ମଥାନରେ
ଦୂରସ୍ଥ ଛୋଟଛୋଟ ଲହଡ଼ିରେ ସେ ଉପତ୍ୟକାରେ
ଅପ୍ରତିଭ ପବନର ଲହରରେ
ବାଉଳା ସାଥୀମାନେ ମୋର
ଚଢ଼େଇ ହୋଇ ଉଡ଼ି ଆସିବେ ମୋ ପାଖକୁ।

ଆଃ ଆକାଶ କେତେ ଯେ ଦୂରରେ
ପୁଣି କେତେ ଯେ ପାଖରେ
ସମୁଦ୍ର ଭିତରେ ହେଉ ବା ଆକାଶ ଛାତିରେ
କେଉଁଠି ବି ମୁଁ ଏକାକୀ ନୁହେଁ।

ସେ ଦୂରନ୍ତ ମରୁଭୂମିର ବାଲିର ପାହାଡ଼
ନିଜ ଭିତରେ ସହସ୍ର ସହସ୍ର
ଲୋକକଥା ଲୁଚାଇଥିବା ସେ ହ୍ରଦର ଭଉଁରି
ନିକାଞ୍ଚନ ଗର୍ଭଗୃହରେ ଦିକ୍‌ଦିକ୍ ଜଳୁଥିବା
ଦୀପର ଆଲୁଅ
କାହିଁ କେତେ କାଳ ପୂର୍ବେ
ରୁଦ୍ଧ ପ୍ରେମାଭିନୟର ସାଂକେତିକ ସେ ଭାଷା
କାନ ଡେରିଛନ୍ତି ମୋର ଡାକକୁ।

ଆଃ ମୋ ହାତ ପାପୁଲିର ରେଖା ଭିତରେ
ଛନ୍ଦାଛନ୍ଦି କେତେ ଯେ ସୁଖଦାଗ
ଆଃ କୁହୁକିନୀ ତାରାମାନେ
କେତେ ଯେ ନିଜର ସତରେ।

ସମୁଦ୍ର ଛାତିରେ ଥାଏ କି ପାହାଡ଼ ସନ୍ଧିରେ
କୋଉଠି ବି ମୁଁ ଏକାକୀ ନୁହେଁ।

ମୋ: ୯୪୩୭୩୨୮୮୧୭

ସୌଜନ୍ୟ ସମ୍ବାଦ

Exit mobile version