ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ- ଇସ୍ରାଏଲ ଯୁଦ୍ଧ କାରଣରୁ ବିଶ୍ବ ଗ୍ୟାସ୍ ସପ୍ଲାଏ ଚେନ୍ ଉପରେ ପ୍ରଭାବ ପଡ଼ିଛି। ଫଳରେ ଏଲପିଜି ସିଲିଣ୍ଡର ଅଭାବ ଦେଖାଦେଇଛି। ଲମ୍ବା ଓ୍ବେଟିଂ ଟାଇମ ବଢ଼ିବା କାରଣରୁ ଲୋକେ ଘରେ ଗୋଟିଏରୁ ଅଧିକ ସିଲିଣ୍ଡର ଜମା କରିବା ଆରମ୍ଭ କରିଛନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, ଆବଶ୍ୟକତା ଠାରୁ ଅଧିକ ଏଲପିଜି ସିଲିଣ୍ଡର ରଖିଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ସରକାର ଏଲପିଜି ସିଲିଣ୍ଡରର ହୋର୍ଡିଂ ବା ଜମା କରିବା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏବେ ନିର୍ଦ୍ଧାରିତ ସୀମାରୁ ଅଧିକ ସିଲିଣ୍ଡର ରଖିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଥିରେ କନେକ୍ସନ କଟାଯିବା, ଜରିମାନା ଲଗାଇବା ଏବଂ ଅଧିକ ଗୁରୁତର ମାମଲାରେ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଏଥିପାଇଁ ଆପଣ ଏଲପିଜି ସିଲିଣ୍ଡର ସହ ଜଡ଼ିତ ଆଇନ ଏବଂ ଲିମିଟକୁ ଭଲ ଭାବରେ ବୁଝିନିଅନ୍ତୁ।
ଘରେ କେତେ ସିଲିଣ୍ଡର ରଖିବା ବୈଧ ?
ସାଧାରଣତଃ ଜଣେ ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ କନେକ୍ସନରେ ୨ ସିଲିଣ୍ଡର (ଗୋଟିଏ ବ୍ୟବହାର ପାଇଁ ଏବଂ ଗୋଟିଏ ବ୍ୟାକଅପରେ) ରଖିବାକୁ ଅନୁମତି ରହିଥାଏ। ଯଦି ଆପଣ ତା’ଠାରୁ ଅଧିକ ସିଲିଣ୍ଡର ରଖୁଛନ୍ତି, ତେବେ ତାହା ନିୟମର ଉଲ୍ଲଂଘନ ବୋଲି ଧରାଯିବ। ଅବଶ୍ୟ କିଛି ମାମଲାରେ ବିଶେଷ ଅନୁମତି ନେଇ ଅତିରିକ୍ତ ସିଲିଣ୍ଡର ରଖାଯାଇପାରିବ।
ଅଧିକ ସିଲିଣ୍ଡର ରଖିଲେ କ’ଣ ହେବ କାର୍ଯ୍ୟାନୁଷ୍ଠାନ ?
ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଏଲପିଜି ଗଚ୍ଛିତ କରି ରଖୁଛନ୍ତି ତେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ସରକାର ଏହାକୁ କଳାବଜାରୀ କିମ୍ବା ଅବୈଧ ବ୍ୟବହାର ଧରିପାରନ୍ତି । ବିଶେଷ କରି ବର୍ତ୍ତମାନର ଗ୍ୟାସ୍ ଅଭାବ ସମୟରେ ଏଭଳି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ।
କେତେ ଲାଗିପାରେ ଜରିମାନା ?
ନିୟମ ଭାଙ୍ଗିଲେ ଜରିମାନା ଲଗାଯାଇପାରେ। ଅବଶ୍ୟ ଏହା ଭିନ୍ନ ଭିନ୍ନ ହୋଇପାରେ। କିଛି ମାମଲାରେ ଗ୍ୟାସ କନେକ୍ସନ ମଧ୍ୟ ରଦ୍ଦ ହୋଇପାରେ ଏବଂ ସିଲିଣ୍ଡର ଜବତ କରାଯାଇପାରେ। ପୁଣି ଯଦି କେହି ବିପୁଳ ପରିମାଣରେ ଏଲପିଜି ସିଲିଣ୍ଡର ଜମା କରୁଛନ୍ତି ଏବଂ ସେସବୁକୁ ବିକ୍ରି କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଥିରେ ପୋଲିସ କେସ୍, ବଡ଼ ଆକାରର ଜରିମାନା ଏବଂ ଏମିତିକି ଜେଲ ଦଣ୍ଡ ମଧ୍ୟ ରହିଛି।
ସୌଜନ୍ୟ Prameya News7

