ରାଜ୍ୟ

Maa Bhattarika Temple flood: ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ବନ୍ୟା ପାଣି ! ସ୍ଥାନାନ୍ତର ହେଲେ ମା’

ଆଠଗଡ଼, ୨୮।୯: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବା ବେଳେ ପ୍ରସିଦ୍ଧ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ବନ୍ୟା ପାଣି ପ୍ରବେଶ କରିଛି । ମହାନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ମନ୍ଦିରର ଗର୍ଭଗୃହରେ ପାଣି ପଶିଯାଇଛି, ଯାହାଫଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତକାଲି ରାତି ପ୍ରାୟ ୩ଟା ସମୟରେ ମା’ଙ୍କୁ ଗର୍ଭଗୃହରୁ ସ୍ଥାନାନ୍ତର କରାଯାଇ ମନ୍ଦିରର ରୋଷଘରକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । ପରିସ୍ଥିତି ଜଟିଳ ଥିଲେ ମଧ୍ୟ ମା’ଙ୍କ ସମସ୍ତ ନୀତିକାନ୍ତି ଏବଂ ପୂଜାବିଧି କୌଣସି ବାଧାବିଘ୍ନ ବିନା ସୁଚାରୁ ରୂପେ ଜାରି ରହିଛି ବୋଲି ସୂଚନା ମିଳିଛି । ପୂଜକମାନେ ନିୟମ ଅନୁଯାୟୀ ମା’ଙ୍କ ସମସ୍ତ ପୂଜାର୍ଚ୍ଚନା ସମ୍ପାଦନ କରୁଛନ୍ତି ।

ବାବା ଧବଳେଶ୍ୱର ପୀଠରେ ଧାରା ୧୬୩ ଜାରି

ଆଠଗଡ଼ ଅଞ୍ଚଳରେ ବନ୍ୟା ସ୍ଥିତିକୁ ଗମ୍ଭୀରତାର ସହ ନେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ର ଆରାଧ୍ୟ ପୀଠ ବାବା ଧବଳେଶ୍ୱର ପୀଠରେ ମଧ୍ୟ ଧାରା ୧୬୩ ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରକୁ ସାଧାରଣ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ବନ୍ୟା ପରିସ୍ଥିତି ଏବଂ ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି କଟକ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ବିଭିନ୍ନ ଧାର୍ମିକ ପୀଠ ଓ ମନ୍ଦିରଗୁଡ଼ିକରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଲୋକଙ୍କୁ ନଦୀକୂଳକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button