ରାଜ୍ୟ

Mahakalapada range: ମହାକାଳପଡ଼ା ରେଞ୍ଜରେ ଦୁର୍ନୀତି: ଗଛଲଗା, ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳା ନାଁରେ ଚଳୁ

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏନ୍‌ଡିପି, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ୪ ବର୍ଷ ତଳେ ଏକ୍ରିକ୍‌ (ଏନ୍‌ହାନ୍‌ସିଂ କ୍ଲାଇମେଟ୍‌ ରେଜିଲିଏନ୍ସ ଅଫ୍‌ ଇଣ୍ଡିଆସ୍‌ କୋଷ୍ଟାଲ୍‌ କମ୍ୟୁନିଟି ବା ଇସିଆର୍‌ଆଇସିସି) ପ୍ରୋଜେକ୍ଟ ଆରମ୍ଭ ହୋଇଛି।

ରାଜନଗର(ସୂର୍ଯ୍ୟନାରାୟଣ ଲେଙ୍କା): ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏନ୍‌ଡିପି, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ୪ ବର୍ଷ ତଳେ ଏକ୍ରିକ୍‌ (ଏନ୍‌ହାନ୍‌ସିଂ କ୍ଲାଇମେଟ୍‌ ରେଜିଲିଏନ୍ସ ଅଫ୍‌ ଇଣ୍ଡିଆସ୍‌ କୋଷ୍ଟାଲ୍‌ କମ୍ୟୁନିଟି ବା ଇସିଆର୍‌ଆଇସିସି) ପ୍ରୋଜେକ୍ଟ ଆରମ୍ଭ ହୋଇଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଏହା ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟ କରୁଛି। ୨୦୨୨ ଶେଷ ଭାଗରୁ ଓଡ଼ିଶାର ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଉକ୍ତ ଯୋଜନାରେ ୮୦ ଭାଗ ଅର୍ଥ ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ ପାଇଁ ଖର୍ଚ୍ଚ କରାଯାଉଥିଲା ବେଳେ ୨୦ ଭାଗ ଅର୍ଥ ସ୍ଥାନୀୟ ଗରିବ ଲୋକଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ଓ ସଚେତନତା ପାଇଁ ଖର୍ଚ୍ଚ ହେଉଛି। ହେଲେ ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମହାକାଳପଡ଼ା ରେଞ୍ଜରେ ବୃକ୍ଷରୋପଣ ଓ ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳା ନାଁରେ ୨ କୋଟି ୨୦ ଲକ୍ଷ ୩୯ ହଜାର ୫୪୬ ଟଙ୍କା ହଡ଼ପ ହୋଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

୨୦୨୨-୨୩ ଆର୍ଥିକ ବର୍ଷରେ କାମ୍ପା (ଜେନେରାଲ୍‌) ଓ ସାଇଟ୍‌ ସ୍ପେସିଫିକ୍‌ ଯୋଜନାରେ ମହାକାଳପଡ଼ା ରେଞ୍ଜ ଅଞ୍ଚଳରେ ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ (ଲୁଣା ଜଙ୍ଗଲ ସୃଷ୍ଟି) ହୋଇଛି ବୋଲି ରାଜନଗର ଏସିଏଫ୍‌ ଓ ମହାକାଳପଡ଼ା ରେଞ୍ଜ ଅଫିସର୍‌ ସୂଚନା ଅଧିକାର ତଥ୍ୟରେ ଦର୍ଶାଇଛନ୍ତି। ସାଇଟ୍‌ ସ୍ପେସିଫିକ୍‌ ଯୋଜନାରେ ୧୧ ଲକ୍ଷ ୭ ହଜାର ୯୮୨ ଟଙ୍କା ଓ କାମ୍ପାରେ ୯୬ ଲକ୍ଷ ୯୭ ହଜାର ୨୬ ଟଙ୍କା ବ୍ୟୟରେ ଯୋଗୀଧାନକୁଦ ପିଆର୍‌ଏଫ୍‌ ଓ ହେଟାମୁଣ୍ଡିଆ ପିଆର୍‌ଏଫ୍‌ରେ ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ ହୋଇଥିବା ଏଥିରେ ଦର୍ଶାଯାଇଛି। ତେବେ ଏକ୍ରିକ୍‌ ଯୋଜନା କ୍ୟାସ୍‌ବୁକ୍‌ରେ ମହାକାଳପଡ଼ା ରେଞ୍ଜ ଅଫିସର୍‌ ୨୦୨୨-୨୩ ବର୍ଷରେ ୪ଟି କିସ୍ତିରେ ୨ କୋଟି ୨୦ ଲକ୍ଷ ୩୯ ହଜାର ୫୪୬ ଟଙ୍କା ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ ପାଇଁ ନେଇଥିଲା ବେଳେ ଗଛ ଲଗାଇବା ସମ୍ପର୍କରେ ସୂଚନା ଅଧିକାରରେ କୌଣସି ତଥ୍ୟ ଦିଆଯାଇ ନାହିଁ। ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ ପାଇଁ ୨୦୨୨ ମେ’ ୫ରେ ମହାକାଳପଡ଼ା ରେଞ୍ଜ ଅଫିସର୍‌ଙ୍କୁ ହେଟାମୁଣ୍ଡିଆ ନିମନ୍ତେ ୬୨ ଲକ୍ଷ ୬୬ ହଜାର ୬୩୦ ଟଙ୍କା ଓ କାଆଁସପାଳ ନିମନ୍ତେ ୨୨ ଲକ୍ଷ ୯୮ ହଜାର ୮୭୧ ଟଙ୍କା ଚେକ୍‌ (ନମ୍ବର-୨୧୫୩୭୦) ଆକାରରେ ଦିଆଯାଇଛି।

ସେହିପରି ୨୦୨୨ ଜୁନ୍‌ ୧୦ରେ ହେଟାମୁଣ୍ଡିଆରେ ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳିବା ପାଇଁ ୨୪ ଲକ୍ଷ ୪୭ ହଜାର ୧୦୦ ଟଙ୍କାର ଚେକ୍‌ (ନମ୍ବର-୨୧୫୩୭୩), ୨୦୨୨ ଅଗଷ୍ଟ ୪ରେ ଫିସ୍‌ବୋନ୍‌ ଚ୍ୟାନେଲ୍‌ ଓ ନର୍ସରି ପାଇଁ ୪୮ ଲକ୍ଷ ୪୩ ହଜାର ୪୦ ଟଙ୍କାର ଚେକ୍‌ (ନମ୍ବର-୨୧୫୩୮୦) ଏବଂ ୨୦୨୨ ନଭେମ୍ବର ୨୮ରେ ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳିବା ପାଇଁ ୬୩ ଲକ୍ଷ ୬୯ ହଜାର ୯୦୫ ଟଙ୍କାର ଚେକ୍‌ (ନମ୍ବର ୨୧୫୩୯୨) ଦିଆଯାଇଛି। ମାତ୍ର ସୂଚନା ଅଧିକାରରେ ଦିଆଯାଇଥିବା ତଥ୍ୟରେ ମହାକାଳପଡ଼ା ରେଞ୍ଜ ୨୦୨୨-୨୩ରେ ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ ପାଇଁ କେବଳ ସାଇଟ୍‌ ସ୍ପେସିଫିକ୍‌ ଓ କାମ୍ପା (ଜେନେରାଲ୍‌)ରେ ଟଙ୍କା ଆସିଥିବା ଦର୍ଶାଯାଇଛି। ଯଦି ସାଇଟ୍‌ ସ୍ପେସିଫିକ୍‌ ଓ କାମ୍ପା ଯୋଜନାରେ ଆସିଥିବା ଟଙ୍କାରେ ମ୍ୟାନ୍‌ଗ୍ରୋଭ୍‌ ପ୍ଲାଣ୍ଟେସନ୍‌ କରାଗଲା, ତେବେ ଏକ୍ରିକ୍‌ ଯୋଜନାରେ ୨୦୨୨-୨୩ରେ ମହାକାଳପଡ଼ା ରେଞ୍ଜର୍‌ ୪ ଥରରେ ନେଇଥିବା ୨କୋଟି ୨୦ ଲକ୍ଷ ୩୯ ହଜାର ୫୪୬ ଟଙ୍କା କ’ଣ ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏକ୍ରିକ୍‌ର ଜିଲ୍ଲା ଯୋଜନା ଅଧିକାରୀ ଜଗଦୀଶ ସାହୁ କହିଛନ୍ତି ଯେ ମହାକାଳପଡ଼ା ରେଞ୍ଜ ଅଫିସର୍‌ ଟଙ୍କା ନେଇ ନ ଥିବା ପ୍ରଥମେ କହିଥିଲେ। ଚେକ୍‌ ନମ୍ବର ଓ ତାରିଖ କହିବା ପରେ ସେ ଟଙ୍କା ନେଇଥିବା ସ୍ବୀକାର କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button