ରାଜ୍ୟ

Mahanadi Dispute: ମହାନଦୀ ବିବାଦ: ଅଟକିଛି ୮ ଜଳସେଚନ ପ୍ରକଳ୍ପ

ମହାନଦୀ ଜଳ ବିବାଦର ପ୍ରଭାବ ଏବେ ଓଡ଼ିଶାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ପଡ଼ିଲାଣି। ବହୁବର୍ଷ ଧରି ମହାନଦୀ ଜଳ ବିବାଦର ସମାଧାନ ହେଉନଥିବାରୁ ମହାନଦୀକୁ ସଂଯୋଗ କରୁଥିବା ନଦୀ...

ଭୁବନେଶ୍ୱର (ବିଶ୍ବଜିତ ଦାଶ): ମହାନଦୀ ଜଳ ବିବାଦର ପ୍ରଭାବ ଏବେ ଓଡ଼ିଶାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ପଡ଼ିଲାଣି। ବହୁବର୍ଷ ଧରି ମହାନଦୀ ଜଳ ବିବାଦର ସମାଧାନ ହେଉନଥିବାରୁ ମହାନଦୀକୁ ସଂଯୋଗ କରୁଥିବା ନଦୀ, ବ୍ୟାରେଜ୍‌ରେ ବୃହତ୍‌ ଓ ମଧ୍ୟମ ଧରଣର ପ୍ରକଳ୍ପ କରିବାକୁ କେନ୍ଦ୍ର ସରକାର କିମ୍ବା କେନ୍ଦ୍ରୀୟ ଜଳ ଆୟୋଗ ଅନୁମତି ଦେଉନି। ଯାହା ଫଳରେ ୨୦୧୭ରୁ ଆଜି ପର୍ଯ୍ୟନ୍ତ ମହାନଦୀ ଅବବାହିକାରେ ଥିବା ୮ଟି ପ୍ରକଳ୍ପ କେବଳ ଫିଜିବିଲିଟି ରିପୋର୍ଟ ଓ ଡିପିଆର୍ ପ୍ରସ୍ତୁତିରେ ଅଟକିଯାଇଛି। ରାଜ୍ୟ ସରକାର ଯେତେବେଳେ ଏହି ପ୍ରକଳ୍ପକୁ ଅନୁମୋଦନ କରିବାକୁ କେନ୍ଦ୍ରୀୟ ଜଳଆୟୋଗକୁ ପଠାଉଛନ୍ତି ସେତେବେଳେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲିଥିବା ବିବାଦ ଆଳ ଦେଖାଇ ଏହାକୁ ଫେରାଇ ଦିଆଯାଉଛି। ମହାନଦୀ ବିବାଦରେ ୭ ଜିଲ୍ଲାର ପ୍ରାୟ ୩ ଲକ୍ଷ ଏକର (୨,୯୮,୪୦୦ ଏକର) ଜମିକୁ ଜଳସେଚନ ପ୍ରକଳ୍ପ ଅଟକି ଯାଇଛି। ମହାନଦୀ ବିବାଦର ସମାଧାନ ହେଉ ନ ଥିବାବେଳେ ଏହି ୮ଟି ପ୍ରକଳ୍ପର ଅନୁମୋଦନ ଓ ନିର୍ମାଣ ପ୍ରକ୍ରିୟା କେବେ ଆରମ୍ଭ ହେବ, ତାହା ଅନିଶ୍ଚିତତାରେ ରହିଛି।

ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁଠୁ କମ୍‌ ଜଳସେଚିତ ଅଞ୍ଚଳ, ମରୁଡ଼ିପ୍ରବଣ ଅଞ୍ଚଳ ଭାବେ ଗଣାଯାଉଥିବା ନବରଙ୍ଗପୁର, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଦେବଗଡ଼ ଜିଲ୍ଲାରେ ଏହି ସବୁ ପ୍ରକଳ୍ପ ହେବାକୁ ଥିବାବେଳେ ଏହା ମହାନଦୀର ପାଣି ଉପରେ ନିର୍ଭର କରୁନି, ବରଂ ଏଠାରୁ ପାଣି ମହାନଦୀକୁ ଆସୁଛି। ହେଲେ ଆମର ୮ଟି ବଡ଼ ଜଳସେଚନ ପ୍ରକଳ୍ପକୁ ମହାନଦୀ ଜଳ ବିବାଦ କାରଣ ଦର୍ଶାଇ ଅନୁମୋଦନ ଦିଆଯାଉନି। ଛତିଶଗଡ଼ରୁ ମହାନଦୀକୁ ପାଣି ଛାଡ଼ିବା ନେଇ ବିବାଦ ଚାଲିଥିବା ବେଳେ ଆମ ରାଜ୍ୟରେ ଅନ୍ୟ ନଦୀରେ ହେବାକୁ ଥିବା ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗ ଅଯଥାରେ ଦୀର୍ଘ ବର୍ଷ ହେଲା ଅଟକାଇ ରଖିଛନ୍ତି। ଫଳରେ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଜଳସେଚନ ଭିତ୍ତିଭୂମି ଯେପରି ବଢ଼ିବା କଥା ତାହା ହେଉନି। ତେଣୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ସହ ଏନେଇ ଆଲୋଚନା କରି ଅାବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଦୀର୍ଘ ବର୍ଷ ଧରି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିବାରୁ ଏବେ ପୁଣି ସଂଶୋଧିତ ଡିପିଆର୍, ଫିଜିବିଲିଟି ଷ୍ଟଡି ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

୨୦୧୭ରୁ ଝୁଲୁଛି ଡିପିଆର୍‌ ଓ ଫିଜିବିଲିଟି ରିପୋର୍ଟ
ମହାନଦୀ ଉପରେ ନିର୍ଭର ନୁହେଁ, କିନ୍ତୁ ପ୍ରକଳ୍ପ ଅଟକିଛି
ଜଳଶକ୍ତି ମନ୍ତ୍ରଣାଳୟ, ସିଡବ୍ଲ୍ୟୁସି‌ ଅଟକାଇଛି ୯ଟି ପ୍ରକଳ୍ପ
୭ ଜିଲ୍ଲାର ୩ ଲକ୍ଷ ଏକର ଜମି ଜଳସେଚନ ଅପେକ୍ଷାରେ

ବିଭାଗର ତଥ୍ୟ ମୁତାବକ ନବରଙ୍ଗପୁର ଜିଲ୍ଲାର ତେଲ ସମନ୍ବିତ ବହୁମୁଖୀ ପ୍ରକଳ୍ପର ଡିପିଆର୍‌ ଜୁନ୍ ୨୦, ୨୦୧୭ରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ରେ ଦାଖଲ ହୋଇଥିଲା। ହେଲେ ଏହାକୁ ୨୮ ମାସ ପକାଇ ରଖିବା ପରେ ଅକ୍ଟୋବର ୩, ୨୦୧୯ରେ ମହାନଦୀ ବିବାଦ ଦର୍ଶାଇ, ବୈଷୟିକ-ଆର୍ଥିକ ମଞ୍ଜୁରି ଦେଇପାରିବେନି କହି ସିଡବ୍ଲ୍ୟୁସି ଫେରାଇ ଦେଇଥିଲେ। ଏବେ ସଂଶୋଧିତ ଡିପିଆର୍ ପ୍ରସ୍ତୁତ ହେଉଛି। ତେଲ ନଦୀ ସୁବର୍ଣ୍ଣପୁରରେ ମହାନଦୀରେ ମିଶିଥିବାବେଳେ ନବରଙ୍ଗପୁରରେ ହେବାକୁ ଥିବା ପ୍ରକଳ୍ପକୁ କାହିଁକି ମହାନଦୀ ଆଳ ଦର୍ଶାଇ ବନ୍ଦ କରାଯାଉଛି, ସେ ନେଇ ରାଜ୍ୟ ସରକାର କେନ୍ଦ୍ରରେ ପ୍ରଶ୍ନ ଉଠାଉନାହାନ୍ତି। ଏହି ପ୍ରକଳ୍ପ ହେଲେ ୧୦ ହଜାର ଏକର ଜମିକୁ ଜଳସେଚନ ସହ ପ୍ରାୟ ୨୦ ମେଗାୱାଟ୍‌ର ଜଳବିଦ୍ୟୁତ୍‌ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ହେବାକୁ ଥିବା ତେଲିଯୋର ଜଳସେଚନ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଅକ୍ଟୋବର ୧୭, ୨୦୧୮ରେ ସିଡବ୍ଲ୍ୟୁସିରେ ଦାଖଲ ହୋଇଥିଲା। ଏହାକୁ ମଧ୍ୟ ବର୍ଷେ ପକାଇ ରଖିବା ପରେ ସମାନ କାରଣ ଦର୍ଶାଇ ଅକ୍ଟୋବର ୩, ୨୦୧୯ରେ ଫେରାଇ ଦିଆଯାଇଥିଲା। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ରାୟ ପରେ ପୁଣି ଏହାର ଫିଜିବିଲିଟି ରିପୋର୍ଟ ଦାଖଲ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ୮୨ ହଜାର ହେକ୍ଟର ବା ୨,୦୨,୬୦୦ ଏକର ଜମିକୁ ଜଳସେଚନ କରାଯାଇପାରିବ। ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପଥର ନାଳରେ ହେବାକୁ ଥିବା ଲକ୍ଷ୍ମୀପଥର ଜଳସେଚନ ପ୍ରକଳ୍ପର ଡିପିଆର୍‌ ଅଗଷ୍ଟ ୧୬,୨୦୧୯ରେ ସିଡବ୍ଲ୍ୟୁସିରେ ଦାଖଲ ହୋଇଥିଲା। ଅଥଚ ମହାନଦୀ ବିବାଦ କାରଣ ଦର୍ଶାଇ ଏହାକୁ ଅନୁମୋଦନ ଦେଲେନି। ଏହି ପ୍ରକଳ୍ପର ଜଙ୍ଗଲ ଓ ପରିବେଶ ମଞ୍ଜୁରି ପ୍ରକ୍ରିୟା ଏବେ ବିଚାରାଧୀନ ରଖାଯାଇଛି। ଏହି ପ୍ରକଳ୍ପ ହେଲେ ହରଭଙ୍ଗା ବ୍ଲକର ୭୯୦୦ ଏକର ଜମିକୁ ଜଳସେଚନ କରାଯାଇପାରିବ।

ବଲାଙ୍ଗୀର ଜିଲ୍ଲାର କଟଙ୍ଗୀ ଜଳସେଚନ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ମେ’ ୧୯, ୨୦୧୮ରେ  ଦାଖଲ ହୋଇଥିଲା। ଏହା ମଧ୍ୟ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ନିଷ୍ପତ୍ତି ଅପେକ୍ଷାରେ ରହିଛି। ଏହାଦ୍ବାରା ଖପ୍ରାଖୋଲ ବ୍ଲକର ବାଞ୍ଜିପାଲି ଗାଁରେ ୯୧୦୦ ଏକର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ନୂଆପଡ଼ା ଜିଲ୍ଲାର ଉଦନ୍ତୀ ନଦୀରେ ହେବାକୁ ଥିବା ଉପର ଉଦନ୍ତୀ ବ୍ୟାରେଜ୍‌ (ପ୍ରଥମ ପର୍ଯ୍ୟାୟ)ର ଡିପିଆର୍‌ ଜୁଲାଇ ୨୧, ୨୦୧୮ରେ ଦାଖଲ ହୋଇଥିଲା। ଏହାକୁ ସିଡବ୍ଲ୍ୟୁସି ସ୍ଥଗିତ ରଖିଛି। ଏହାର ଜଙ୍ଗଲ ଓ ପରିବେଶ ମଞ୍ଜୁରି ପ୍ରକ୍ରିୟା ଚାଲିଥିବା ସତ୍ତ୍ୱେ ଟ୍ରିବ୍ୟୁନାଲ୍‌ର ନିଷ୍ପତ୍ତି ପରେ ହିଁ ଡିପିଆର୍‌କୁ ପୁନର୍ବାର ସିଡବ୍ଲ୍ୟୁସିରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ମରୁଡ଼ିପ୍ରବଣ ସିନାପାଲି ଓ ବୋଡେନ ବ୍ଲକର ୧୯,୭୦୦ ଏକର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲାର ତଳ ଉଦନ୍ତୀ ବ୍ୟାରେଜ୍‌ (ପ୍ରଥମ ପର୍ଯ୍ୟାୟ)ର ଫିଜିବିଲିଟି ରିପୋର୍ଟ ଜୁଲାଇ ୫, ୨୦୧୮ରେ ଦାଖଲ ହୋଇଥିଲା। ଏହାର ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ଟ୍ରିବ୍ୟୁନାଲ୍‌ର ନିଷ୍ପତ୍ତି ଅପେକ୍ଷାରେ ରହିଛି। ଏହାଦ୍ବାରା ୨୨,୯୮୦ଏକର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବୌଦ୍ଧ ଜିଲ୍ଲାର ସୁରୁବାଳୀ ନଦୀରେ ସତୀଘାଟ ବ୍ୟାରେଜ୍‌ର ଫିଜିବିଲିଟି ରିପୋର୍ଟ ମାର୍ଚ୍ଚ ୧୪, ୨୦୨୦ରେ ଦାଖଲ ହୋଇଥିଲା। ଏହାକୁ ଦୁଇ ମାସ ପରେ ଅର୍ଥାତ୍ ଜୁଲାଇ ୨୦, ୨୦୨୦ରେ ସିଡବ୍ଲ୍ୟୁସି ମହାନଦୀ ବିବାଦ ଦର୍ଶାଇ ଫେରାଇ ଦେଇଥିଲେ।  ଟ୍ରିବ୍ୟୁନାଲ୍‌ର ରାୟ ପରେ ଏହା ପୁନର୍ବାର ଦାଖଲ ହେବ। ଏଥିରେ ୧୩,୭୭୦ ଏକର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲ୍ଲାର ଖଡ଼ଗା ନଦୀରେ ହେବାକୁ ଥିବା ଖଡ଼ଗା ବ୍ୟାରେଜ୍‌ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଅକ୍ଟୋବର ୨୦, ୨୦୧୭ରେ ଦାଖଲ ହୋଇଥିଲା। ସିଡବ୍ଲ୍ୟୁସି ୨ବର୍ଷ ଏହାକୁ ପକାଇ ରଖିବା ପରେ ଅକ୍ଟୋବର ୩, ୨୦୧୯ରେ ଫେରାଇ ଦେଇଥିଲା। ମହାନଦୀ ବିବାଦ ସମାଧାନ ହେବା ପରେ ଏହାକୁ ପୁଣି ପଠାଯିବ। ଏଥିରେ ୧୨,୩୫୦ଏକର ଜମିକୁ ଜଳସେଚନ ସହ ୨୦ହଜାର ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ଯୋଜନା ହୋଇଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ଅବବାହିକାର ଦେବଗଡ଼ ଜିଲ୍ଲାର କାଲା ନଦୀରେ କାଲା ବ୍ୟାରେଜ୍‌ ପ୍ରକଳ୍ପ ପାଇଁ ଅକ୍ଟୋବର ୧୭, ୨୦୨୫ରେ ଡିପିଆର୍ ଦାଖଲ ହୋଇଥିବାବେଳେ ଏହାକୁ ମଞ୍ଜୁରି ମିଳୁନି। ଏଥିପାଇଁ ଏବେ ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଏବଂ ଜଙ୍ଗଲ ମଞ୍ଜୁରି ମିଳିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରି ଏବଂ ଜଳଶକ୍ତି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button