Mahanadi Water Disputes: ମହାନଦୀ ଜଳ ବିବାଦ: ଗୁରୁବାର ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ, ସହମତି ହେଲେ ଚୁକ୍ତିନାମା ସମ୍ଭାବନା

ନୂଆଦିଲ୍ଲୀ ୨୯/୦୯: ବହୁ ଦଶନ୍ଧି ଧରି ମହାନଦୀ ଜଳ ଆବଣ୍ଟନ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଥିବା ପରେ ଏହା ଏବେ ସାମାଧାନ ଦିଗରେ ଦ୍ରୁତ ଅଗ୍ରସର ହେଉଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ଅକ୍ଟୋବର ୧ରେ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବିବାଦ ସହ ସଂପୃକ୍ତ ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି । ମହାନଦୀ ଜଳ ଆବଣ୍ଟନ ନେଇ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଏକ ଫର୍ମୁଲା ଅପାତତଃ ସ୍ଥିର କରିଛି । ଏହାକୁ ଆସନ୍ତା ଅକ୍ଟୋବର ୧ ବୈଠକରେ ଉପସ୍ଥାପନ କରାଯିବ । ଯଦି ଏନେଇ ସହମତି ସୃଷ୍ଟି ହୁଏ ତାହାହେଲେ ଅମିତ ଶାହା ଓ ଜଳ ସମ୍ପଦ ମନ୍ତ୍ରୀ ସିଆର ପାଟିଲଙ୍କ ଉପସ୍ଥିତିରେ ସେହିଦିନ ଓଡିଶା, ଛତିଶଗଡ ଓ ଅନ୍ୟ ସଂପୃକ୍ତ ରାଜ୍ୟଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ ।
ସୋମବାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଶୁଣାଣି ପରେ ଓଡିଶା ସରକାରଙ୍କ ଆଡଭୋକେଟ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମଙ୍କୁ କହିଛନ୍ତି, ଆସନ୍ତା ଅକ୍ଟୋବର ୧ରେ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି । ଖୁବ୍ଶୀଘ୍ର ଭଲ ଖବର ଶୁଣିବାକୁ ମିଳିବ । ଗତ ସେପ୍ଟେମ୍ବର ୧୧ରେ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ପରେ ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଦଶହରା ସୁଦ୍ଧା ଭଲ ଖବର ଆସିବ ।
ସୌଜନ୍ୟ ପ୍ରମେୟ




