Maharashtra Drought Crisis: ମହାରାଷ୍ଟ୍ରରେ ମରୁଡ଼ି ମାଡ଼! ଚାଷୀଙ୍କ ପାଇଁ ଦିନକର ଦରମା ଦେବେ IAS-IPS ଅଧିକାରୀ
ମହାରାଷ୍ଟ୍ରରେ ମରୁଡ଼ିର ମହାସଙ୍କଟ । ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି IAS ଓ IPS ଅଧିକାରୀ । ଚାଷୀଙ୍କ ଦୁଃଖରେ ସାମିଲ ହୋଇ ନିଜ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି ।

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରୁଡ଼ିର ମହାସଙ୍କଟ । ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି IAS ଓ IPS ଅଧିକାରୀ । ଚାଷୀଙ୍କ ଦୁଃଖରେ ସାମିଲ ହୋଇ ନିଜ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୩୦୫ଟି ତାଲୁକାକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଥିବା ବେଳେ ଏହି ପଦକ୍ଷେପ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଆଶା କରାଯାଉଛି । ଅକ୍ଟୋବର ୨୦୨୬ର ଗୋଟିଏ ଦିନର ଦରମା ସହାୟତା ପାଣ୍ଠିରେ ଜମା କରିବାକୁ ବରିଷ୍ଠ ଅଧିକାରୀମାନେ ସାମୂହିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅଧିକାରୀଙ୍କ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଚାଷୀଙ୍କୁ ସହାୟତା କରିବା ସମସ୍ତଙ୍କ ସାମାଜିକ ଦାୟିତ୍ୱ ବୋଲି ଅଧିକାରୀମାନେ ମତ ଦେଇଛନ୍ତି ।
ସେପଟେ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମହାରାଷ୍ଟ୍ର ସରକାର ମଧ୍ୟ ବିଭିନ୍ନ ରିହାତି ଘୋଷଣା କରିଛନ୍ତି । ଚାଷୀଙ୍କୁ ଭୂରାଜସ୍ୱ ଛାଡ଼ ସହ ଫସଲ ଋଣର ପୁନର୍ଗଠନ କରାଯିବ । କୃଷି ଋଣ ଆଦାୟ ଉପରେ ରୋକ୍ ଲଗାଇବା ସହ କୃଷି ପମ୍ପର ବିଦ୍ୟୁତ୍ ବିଲ୍ରେ ମଧ୍ୟ ରିହାତି ଦିଆଯିବ । ଏହାସହ ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ଜନପ୍ରତିନିଧିମାନେ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ବିଧାୟକ ଶେଖର ନିକମ୍ ନିଜର ଏକ ମାସର ମୂଳ ଦରମା ପ୍ରଦାନ କରିଥିବା ବେଳେ ଚାଷୀଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା ଏବଂ କୃଷି ଶ୍ରମିକଙ୍କୁ ୨୫ ହଜାର ଟଙ୍କାର ସିଧାସଳଖ ସହାୟତା ଦେବାକୁ ଦାବି ହୋଇଛି । ମରୁଡ଼ିର ଏହି ସଙ୍କଟ ସମୟରେ ସରକାରୀ ରିହାତି ସହ ଅଧିକାରୀଙ୍କ ଏହି ପଦକ୍ଷେପ ଚାଷୀଙ୍କୁ କେତେ ଆଶ୍ୱସ୍ତି ଦେଉଛି, ତାହା ଉପରେ ଏବେ ନଜର ।
ସୌଜନ୍ୟ ସମ୍ବାଦ




