Arun Lal: ସ୍ପିନ୍କୁ ଭଲ ଖେଳିବାର ଭ୍ରମରେ ବଞ୍ଚୁଛି ଭାରତୀୟ ଦଳ: ଅରୁଣ ଲାଲ୍
ପୂର୍ବତନ ଅରୁଣ ଲାଲ୍ ଅତୀତ ଏବଂ ବର୍ତମାନର କ୍ରିକେଟକୁ ତୁଳନା କରିଛନ୍ତି। ତାଙ୍କ ସମୟର ରିଚାର୍ଡ ହାଡଲି ଏବଂ ଇମ୍ରାନ ଖାନଙ୍କ ଭଳି ମହାନ ବୋଲରଙ୍କ ସହ ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ନିର୍ଭୀକତା ଏବଂ ଆକ୍ରମଣାତ୍ମକ ମନୋଭାବର ତୁଳନା କରିଛନ୍ତି।

ଭୁବନେଶ୍ୱର: ପୂର୍ବତନ ଅରୁଣ ଲାଲ୍ ଅତୀତ ଏବଂ ବର୍ତମାନର କ୍ରିକେଟକୁ ତୁଳନା କରିଛନ୍ତି। ତାଙ୍କ ସମୟର ରିଚାର୍ଡ ହାଡଲି ଏବଂ ଇମ୍ରାନ ଖାନଙ୍କ ଭଳି ମହାନ ବୋଲରଙ୍କ ସହ ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ନିର୍ଭୀକତା ଏବଂ ଆକ୍ରମଣାତ୍ମକ ମନୋଭାବର ତୁଳନା କରିଛନ୍ତି। ସେ ବିଶେଷ ଭାବରେ ବୀରେନ୍ଦ୍ର ସେହ୍ୱାଗଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ସେ ବିପକ୍ଷ ଦଳର ଶ୍ରେଷ୍ଠ ବୋଲରଙ୍କୁ ଆକ୍ରମଣ କରି ଟେଷ୍ଟ୍ କ୍ରିକେଟ୍ ଖେଳିବାର ଶୈଳୀ ବଦଳାଇ ଦେଇଥିଲେ। ପରିଶେଷରେ, ସେ ସ୍ୱୀକାର କରିଛନ୍ତି ଯେ ଯଦିଓ ଅତୀତ କ୍ରିକେଟ୍ର କିଛି ଶାସ୍ତ୍ରୀୟ ଶୈଳୀ ହଜିଯାଇଛି, ତଥାପି ଆଧୁନିକ କ୍ରିକେଟ୍ ଅଧିକ ରୋମାଞ୍ଚକର ଏବଂ ଫଳାଫଳ ଭିତ୍ତିକ ହୋଇପାରିଛି।
ଭୁବନେଶ୍ବରରେ କଳିଙ୍ଗ ସାହିତ୍ୟ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେବା ଅବସରରେ ଅରୁଣ ଲାଲ୍ ଏଭଳି କଥା କହିଛନ୍ତି। ନିକଟରେ ଘରୋଇ ମାଟିରେ ଟେଷ୍ଟ୍ ଶୃଙ୍ଖଳା ପରାଜୟ ସମ୍ପର୍କରେ ଅରୁଣ ଲାଲ୍ ‘ଟର୍ଣ୍ଣିଂ ଟ୍ରାକ୍’ ବା ଘୂର୍ଣ୍ଣାୟମାନ ପିଚ୍ ପ୍ରସ୍ତୁତ କରିବାର ତ୍ରୁଟିପୂର୍ଣ୍ଣ ରଣନୀତିକୁ ଦାୟୀ କରିଛନ୍ତି। ଯାହା ଖେଳକୁ ଦକ୍ଷତା ପରିବର୍ତ୍ତେ ଭାଗ୍ୟ ଉପରେ ନିର୍ଭରଶୀଳ କରିଦେଉଛି। ସେ ଯୁକ୍ତି ବାଢ଼ିଛନ୍ତି ଯେ ବିଦେଶୀ ଦଳକୁ ହରାଇବା ପାଇଁ ଖରାପ ପିଚ୍ ପ୍ରସ୍ତୁତ କରିବା ଦ୍ୱାରା ଖୋଦ୍ ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରଭାବିତ ହୋଇଛନ୍ତି। କାରଣ ଘରୋଇ କ୍ରିକେଟରେ ଦ୍ରୁତ ବୋଲିଂକୁ ପ୍ରୋତ୍ସାହନ ଦେବାକୁ ଯାଇ ଗତ ଦଶନ୍ଧି ଧରି ଘାସଯୁକ୍ତ ପିଚ୍ ବ୍ୟବହାର ହେଉଥିବାରୁ ଖେଳାଳିମାନେ ଆଉ ଉନ୍ନତମାନର ସ୍ପିନ୍ ବୋଲିଂର ସାମନା କରୁନାହାନ୍ତି। ଅରୁଣ ଲାଲଙ୍କ ମତରେ ଭାରତୀୟ ଦଳ ସ୍ପିନ୍ ଖେଳିବାରେ ଦକ୍ଷ ବୋଲି ଏକ ଭ୍ରମରେ ବଞ୍ଚୁଛି। ଯଦି ଉପଯୁକ୍ତ ପିଚରେ ଖେଳାଯାଏ, ତେବେ ଭାରତ କୌଣସି କୃତ୍ରିମ ପିଚର ସହାୟତା ବିନା ନିଜ ଦକ୍ଷତା ବଳରେ ସହଜରେ ବିଜୟୀ ହୋଇପାରିବ।
ନିଜର ପିଲାଦିନକୁ ମନେ ପକାଇ ଅରୁଣ ଲାଲ୍ କହିଛନ୍ତି ଯେ, ଆମେ ସବୁ ଅତ୍ୟନ୍ତ ଭାଗ୍ୟବାନ ଥିଲୁ, ପିତାମାତା ଆମକୁ ବିନା ଚାପରେ ନିଜ ଭୁଲରୁ ଶିଖିବାକୁ ଏବଂ ବଢିବାକୁ ସୁଯୋଗ ଦେଇଥିଲେ। ବର୍ତ୍ତମାନର ପିଲାମାନଙ୍କ ଉପରେ ଥିବା ପାଠପଢ଼ା ଓ ଟିଉସନର ଅତ୍ୟଧିକ ବୋଝକୁ ସେ ସମାଲୋଚନା କରିଛନ୍ତି। ଭବିଷ୍ୟତ ପାଇଁ ଅତ୍ୟଧିକ ଯୋଜନା କରିବା ଦ୍ୱାରା ଜୀବନର ପ୍ରକୃତ ଆନନ୍ଦ ନଷ୍ଟ ହୋଇଯାଏ। ସେ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘ସଫଳତା’ ଏବଂ ‘ଲକ୍ଷ୍ୟ’ ଏକା ଜିନିଷ ନୁହେଁ; ଜୀବନରେ ଜଣେ ଭଲ ଓ ଖୁସି ମଣିଷ ହେବା ହିଁ ପ୍ରକୃତ ଲକ୍ଷ୍ୟ ହେବା ଉଚିତ।
ସୌଜନ୍ୟ ସମ୍ବାଦ




