Mao poster: ହାଇସିକ୍ୟୁରିଟି ଜୋନ୍ରେ ମାଓ ପୋଷ୍ଟର: ଜାଳିଲେ ପୋକ୍ଲିନ୍ ମେସିନ୍, ସିସିଟିଭିରୁ ପ୍ରମାଣ ଖୋଜୁଛି ପୁଲିସ
ୟୁନିଟ୍-୨ ନିକଟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟଠାରୁ ମାତ୍ର ୫୦ ମିଟର ଦୂରରେ ପୋଷ୍ଟର ଲଗାଇଲେ। କେବଳ ପୋଷ୍ଟର ଲଗାଇଲେନି, ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ଚେନ୍ମାଉଣ୍ଟିଂ ପୋକ୍ଲିନ୍ ମେସିନ୍ ବି ଜାଳିଲେ।

ଭୁବନେଶ୍ବର: ୟୁନିଟ୍-୨ ନିକଟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟଠାରୁ ମାତ୍ର ୫୦ ମିଟର ଦୂରରେ ପୋଷ୍ଟର ଲଗାଇଲେ। କେବଳ ପୋଷ୍ଟର ଲଗାଇଲେନି, ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ଚେନ୍ମାଉଣ୍ଟିଂ ପୋକ୍ଲିନ୍ ମେସିନ୍ ବି ଜାଳିଲେ। ଆଉ ନିଜକୁ ମାଓବାଦୀ ବୋଲି ଦାବି କରି ୫୦ ଲକ୍ଷ ଟଙ୍କା ନଦେଲେ ତାଣ୍ଡବ ରଚିବେ ବୋଲି ଲାଲ୍ ରଙ୍ଗରେ ଲେଖି ଚେତାବନୀ ଦେଲେ। କମିସନରେଟ୍ ପୁଲିସର କଡ଼ା ସୁରକ୍ଷା ବଳୟ ଭେଦ କରି ମାଓ ପୋଷ୍ଟର ମାରିବା ଏବଂ ନିଆଁ ଲଗାଇ ତାଣ୍ଡବ ରଚିବାକୁ ସହଜରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଏଥିରେ ପୁଲିସର ଦୁର୍ବଳତା ପଦାରେ ପଡ଼ିଛି ଓ ପାରିବାପଣିଆ ଊପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାଳିଲେ ପୋକ୍ଲିନ୍ ମେସିନ୍
୫୦ଲକ୍ଷ ନଦେଲେ ତାଣ୍ଡବ ରଚିବାକୁ ଧମକ
ସିସିଟିଭିରୁ ପ୍ରମାଣ ଖୋଜୁଛି ପୁଲିସ
ସୂଚନା ମୁତାକ, ପାଖାପାଖି ୩ମାସ ହେବ ୟୁନିଟ୍-୨ ଅଞ୍ଚଳରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ଜନାଶ୍ରୟ ଭବନ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହାପରେ ଏକ ଠିକାସଂସ୍ଥା ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଠିକା ସଂସ୍ଥା କ୍ୟାମ୍ପରୁ ମଝିରେ ମଝିରେ କିଛି ଜିନିଷ ଚୋରି ହେଉଥିଲା। କେତେକ ଗଟଣାରେ ଚୋର ଧରାପଡ଼ିଥିବା ବେଳେ ସେମାନଙ୍କୁ ତାଗିଦ କରି ଛଡ଼ାଯାଇଥିଲା। ଗତକାଲି କାମ ବନ୍ଦଥିବାରୁ ପୋକ୍ଲିନ୍ ମେସିନ୍କୁ ସେଠାରେ ରଖାଯାଇଥିଲା। ବୁଧବାର ରାତି ପାଖାପାଖି ୪ଟା ସମୟରେ କେହି ଦୁର୍ବୃତ୍ତ ମେସିନ୍ରେ ନିଆଁ ଲଗାଇଇ ଲାଲ୍ ରଂଗରେ ଧମକପୂର୍ଣ୍ଣ ଚିଠି ଲେଖିଥିଲେ। ଚିଠିରେ ନିଜକୁ ମାଓବାଦୀ ବୋଲି ଲେଖି ମୁଖ୍ୟମନ୍ତ୍ରୀ ଓ ଠିକା ସଂସ୍ଥାକୁ ଗାଳିଗୁଲଜ କରିବା ସହ ବଟି ବାବଦକୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି। ବଟି ନଦେଲେ ୨୮ ତାରିଖରେ ତାଣ୍ଡବ ରଚିବେ ବୋଲି ଚିଠିରେ ଲେଖିଛନ୍ତି।
ଏନେଇ ଠିକା ସଂସ୍ଥାର କର୍ମଚାରୀ ରଂଜନ ଦାସ କ୍ୟାପିଟାଲ୍ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବଟିଆଦାୟ କରୁଥିବା କିଛି ଅପରାଧୀ ଏଥିରେ ସମ୍ପୃକ୍ତ ଓ ମାଓବାଦୀ ନାମକୁ ଢାଲ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଆଖାପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ ବେଳେ ପୁଲିସକୁ କିଛି ପ୍ରମାଣ ମିଳିଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ




