କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ବର୍ତ୍ତମାନ ଟିଏମସି (ତୃଣମୂଳ କଂଗ୍ରେସ) ମଧ୍ୟରେ ଏକ ବଡ଼ ଧରଣର ସାଂଗଠନିକ ସଙ୍କଟ ତଥା ବିଦ୍ରୋହ ଦେଖାଦେଇଛି, ଯାହା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ଦଳରୁ ବହିଷ୍କୃତ ହୋଇଥିବା ବିଧାୟକ ରିତବ୍ରତ ବାନାର୍ଜୀ ତୃଣମୂଳ କଂଗ୍ରେସର ମୋଟ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣଙ୍କ ସମର୍ଥନ ପତ୍ର ସହ ଆନୁଷ୍ଠାନିକ ଭାବେ ବିଧାନସଭାରେ ପହଞ୍ଚିଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ ରିତବ୍ରତ ବାନର୍ଜୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା କରିବା ପାଇଁ ସମର୍ଥନ ଜଣାଇଛନ୍ତି। ଏହା ମମତା ବାନର୍ଜୀଙ୍କ ନିଷ୍ପତ୍ତି ପ୍ରତି ଏକ କଠୋର ଆହ୍ୱାନ, କାରଣ ସେ ପୂର୍ବରୁ ବରିଷ୍ଠ ନେତା ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ସମର୍ଥନ କରିଥିଲେ। ବିଦ୍ରୋହୀ ବିଧାୟକମାନେ ଏକ ଶ୍ୱେତ ପତ୍ରରେ ବା ସାଧା କାଗଜରେ ବାଚସ୍ପତିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି, ଯେଉଁଥିରେ ମମତା ବାନର୍ଜୀଙ୍କୁ ଦଳର ସୁପ୍ରିମୋ, ରିତବ୍ରତ ବାନର୍ଜୀଙ୍କୁ ବିରୋଧୀ ଦଳ ନେତା ଏବଂ ଶିଉଲି ସାହା, ଜାଭେଦ୍ ଖାନ୍, ସନ୍ଦୀପନ ସାହା ଓ ସବିନା ୟାସମିନଙ୍କୁ ଗୃହର ଉପନେତା ଭାବେ ନାମିତ କରାଯାଇଛି।
ନିର୍ବାଚନରେ ଟିଏମସିର ପରାଜୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବା ପରେ ଦଳ ମଧ୍ୟରେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ବହିଷ୍କୃତ ବିଧାୟକ ସନ୍ଦୀପନ ସାହା ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ଦୁଇ-ତୃତୀୟାଂଶରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ଯାହାଫଳରେ ସେମାନଙ୍କ ଉପରେ ଦଳ ବଦଳ ବିରୋଧୀ ଆଇନ ଲାଗୁ ହୋଇପାରିବ ନାହିଁ। ବିଗତ କିଛି ସପ୍ତାହ ମଧ୍ୟରେ ମମତା ବାନର୍ଜୀଙ୍କ ଦ୍ୱାରା ଆହୂତ ବୈଠକଗୁଡ଼ିକରେ ବିଧାୟକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଥିଲା, ଯାହା ଏହି ବିଦ୍ରୋହର ସ୍ପଷ୍ଟ ସଂକେତ ଦେଉଥିଲା। ଗତ ମେ’ ୬ ତାରିଖରେ ୭୧ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ମେ’ ୩୧ ବୈଠକକୁ କେବଳ ୨୦ ଜଣ ବିଧାୟକ ଆସିଥିଲେ। ତୃଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ କିଛି ବିଧାୟକ ମହାରାଷ୍ଟ୍ରର ”ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଡେଲ” ଆପଣାଇ ଦଳ ଓ ସାଂଗଠନିକ ଚିହ୍ନକୁ ସମ୍ପୂର୍ଣ୍ଣ ଭାବେ ହାତେଇବାକୁ ଚେଷ୍ଟା କରୁଛନ୍ତି।
ଦଳ ଭାଙ୍ଗିବା ପାଇଁ ”ମହାରାଷ୍ଟ୍ର ମଡେଲ” ଆପଣାଉଥିବା ନେଇ ଚର୍ଚ୍ଚା ତୀବ୍ର
ଅନ୍ୟପଟେ ନିଜର ପ୍ରତିକ୍ରିୟା ରଖି ମମତା ବାନର୍ଜୀ କହିଛନ୍ତି ଯେ ସିପିଏମରୁ ଆସିଥିବା ରିତବ୍ରତ ବାନର୍ଜୀଙ୍କ ପ୍ରରୋଚନାରେ ହିଁ ଏସବୁ ଘଟୁଛି ଏବଂ ପୋଲିସ ପ୍ରଶାସନ ସାହାଯ୍ୟରେ ବିଧାୟକମାନଙ୍କୁ ଧମକ ଦିଆଯାଇ ଦଳ ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ସେ ନିର୍ବାଚନ ସମୟରେ ଅନ୍ୟ ଯୋଗ୍ୟ ନେତାମାନଙ୍କୁ ବଞ୍ଚିତ କରି ରିତବ୍ରତଙ୍କୁ ଟିକେଟ୍ ଦେଇଥିବାରୁ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି। ବିଧାନସଭାରେ ସୃଷ୍ଟି ହୋଇଥିବା ଏହି ସାଂଘାତିକ ରାଜନୈତିକ ସ୍ଥିତି ଉପରେ ନଜର ରଖି ବିଜେପି ନେତା ତାପସ ରାୟ କହିଛନ୍ତି ଯେ ଏହା ଟିଏମସିର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ ଏବଂ ଦଳ ଏହିଭଳି ଭାବେ ହିଁ ଭାଙ୍ଗିବା ଉଚିତ୍। ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେପିର କବାଟ ଟିଏମସିର ଦୁର୍ନୀତିଗ୍ରସ୍ତ ଓ ଦଳବଦଳକାରୀ ନେତାଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଦଳ ନିଜ ଦମରେ ୨୦୭ଟି ଆସନ ଜିତି ସରକାର ଗଠନ କରିଥିବାରୁ ବିଜେପିର ”ତୃଣମୂଳକରଣ” କଦାପି ହେବାକୁ ଦିଆଯିବ ନାହିଁ। ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତିରେ ଏହି କ୍ଷମତା ଯୁଦ୍ଧ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ସମ୍ବାଦ