Maya’s first womb: ମାୟାର ପ୍ରଥମ ଗର୍ଭରୁ ୨ ଶାବକ: ଗୋଟିଏ ଜୀବିତ, ଗୋଟିଏ ମୃତ
ସୋମବାର ସକାଳୁ ସକାଳୁ ନନ୍ଦନକାନନକୁ ମିଳିଛି ଖୁସି ଖବର। ମାଆ ହୋଇଛି ସିଂହୀ ମାୟା। ତା’ର ପ୍ରଥମ ଗର୍ଭରୁ ଜନ୍ମ ନେଇଛନ୍ତି ଦୁଇଟି ଶାବକ। ଗୋଟିଏ ମୃତ ଶାବକ ଜନ୍ମ ହୋଇଛି।

ବାରଙ୍ଗ: ସୋମବାର ସକାଳୁ ସକାଳୁ ନନ୍ଦନକାନନକୁ ମିଳିଛି ଖୁସି ଖବର। ମାଆ ହୋଇଛି ସିଂହୀ ମାୟା। ତା’ର ପ୍ରଥମ ଗର୍ଭରୁ ଜନ୍ମ ନେଇଛନ୍ତି ଦୁଇଟି ଶାବକ। ଗୋଟିଏ ମୃତ ଶାବକ ଜନ୍ମ ହୋଇଛି। ଅନ୍ୟଟି ସୁସ୍ଥ ଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ଶାବକ ଜନ୍ମ ଦେଇଥିବାରୁ ସିଂହୀ ମାୟା ନବଜାତ ଶିଶୁର ଉପଯୁକ୍ତ ଯତ୍ନ ନେଇପାରିବ ନାହିଁ। ତେଣୁ ନବଜାତ ଶାବକକୁ ମାଆ ମାୟାଠାରୁ ଅଲଗା କରି ଜନ୍ତୁରକ୍ଷକଙ୍କ ଦାୟିତ୍ବରେ ରଖାଯାଇଛି। ନବଜାତ ସିଂହ ଶାବକଟି ଏବେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ ଶିଶୁ ଯତ୍ନ କେନ୍ଦ୍ରରେ ରହିଛି। ତାକୁ ବୋତଲରେ ଦୁଧ ପିଇବାକୁ ଦିଆଯାଉଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ରବିବାର/ସୋମବାର ରାତି ପ୍ରାୟ ୨ଟା ୪୧ରେ ମୃତ ଶାବକଟି ଜନ୍ମ ନେଇଥିଲା। ସକାଳ ୫ଟା ୪୯ରେ ଦ୍ବିତୀୟ ଶାବକଟି ଭୂମିଷ୍ଠ ହେଲା ଏବଂ ସେଇଟି ସୁସ୍ଥ ଥିଲା। ସିସିଟିଭି ଫୁଟେଜ୍ରୁ ଏହି ଚିତ୍ର ହସ୍ତଗତ ହୋଇଛି। ମାୟା ପ୍ରଥମ ଥର ପାଇଁ ଜନ୍ମ ଦେବାକୁ ଯାଉଥିବା ନେଇ ପୂର୍ବରୁ ଆକଳନ କରାଯାଇଥିଲା ଏବଂ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସେ ଶାବକ ଜନ୍ମଦେବ ବୋଲି ଅନୁମାନ କରାଯାଉଥିଲା। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ତା’ ଉପରେ ସ୍ବତନ୍ତ୍ର ନଜର ରଖିଥିଲେ। ପାଖାପାଖି ଗୋଟିଏ ସପ୍ତାହ ବିଳମ୍ବ ହୋଇଛି। ମାୟା ମାଆ ହେବା ବିଳମ୍ବକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ ହେଁ ଆଜି ସେଥିରୁ ଆଶ୍ବସ୍ତି ମିଳିଛି। ନିୟମାନୁସାରେ ସିଂହୀମାନେ ଗର୍ଭଧାରଣର ୧୧୨ ଦିନରେ ଜନ୍ମ ଦିଅନ୍ତି। ଚଳିତବର୍ଷ ମେ ମାସରେ ମାୟା ଓ ସିଂହ ଶିବମ୍ର ମିଳନ ହୋଇଥିଲା ଏବଂ ମାୟା ଅନ୍ତଃସତ୍ତ୍ବା ହୋଇଥିଲା। ସୂଚନାଯୋଗ୍ୟ ଯେ ସିଂହୀ ମାୟା ଓ ସିଂହ ଶିବମ୍ ଗୋଟିଏ ମାଆ ସିଂହୀ ରେବାର ସନ୍ତାନ।
ସୌଜନ୍ୟ ସମ୍ବାଦ




