ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍ଡିଏମ୍)ର ବ୍ୟାପକ ଅପବ୍ୟବହାରକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ। ଆଜି ବିଧାନସଭାରେ ଉପସ୍ଥାପିତ ରିପୋର୍ଟରେ ବହୁ ଚକିତ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଚାଉଳ ଯୋଗାଣଠାରୁ ଆରମ୍ଭ କରି ସଂରକ୍ଷଣ, ବଣ୍ଟନ ଆଦି ପ୍ରତିିଟି ସ୍ତରରେ ଅନିୟମିତତା ଧରାପଡ଼ିଛି। ଓଜନଠାରୁ କମ୍ ଚାଉଳ ଦେବା, ଚାଉଳରେ ପୋକ ଲାଗିବା, ସ୍କୁଲ ବାରଣ୍ଡା ଓ ସାଇକଲ୍ ଷ୍ଟାଣ୍ଡରେ ରୋଷେଇ କରିବା, ହାତ ଧୋଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା, ପିଲାଙ୍କ ଟଙ୍କା ପ୍ରଧାନଶିକ୍ଷକ ବାଟମାରଣା କରିବା ଭଳି ତଥ୍ୟ ରିପୋର୍ଟରେ ରହିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ଚୋରି ଓ ବାଟମାରଣା କରାଯାଉଛି। ପରିବହନ ଏଜେଣ୍ଟମାନେ କାରସାଦି କରି ଚାଉଳ ଦେଉନାହାନ୍ତି। ପୁରୀ ଜିଲ୍ଲାର ଗୋପରେ ୭୦୮.୪୯ କ୍ବିଣ୍ଟାଲ୍ ଚାଉଳ ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ଝାରସୁଗୁଡ଼ାରେ ୨,୨୨୪.୨୨ କ୍ବିଣ୍ଟାଲ୍ ଚାଉଳକୁ ପରିବହନ ଏଜେଣ୍ଟମାନେ ଉଠାଇନଥିଲେ। ସେ ବାବଦ ଅର୍ଥରାଶି ମଧ୍ୟ ଯୋଗାଣକାରୀ ସଂସ୍ଥାଠାରୁ ଆଦାୟ କରିବାକୁ ପଦକ୍ଷେପ ନିଆଯାଇଥିଲା। ମଧ୍ୟାହ୍ନ ଭୋଜନ ୨୦୦୬ ନିର୍ଦ୍ଦେଶାବଳୀ ଅନୁସାରେ, ବିଦ୍ୟାଳୟରେ ଗୋଟିଏ ମାସର ଶସ୍ୟ ଷ୍ଟକ୍ ଓ ରୋଷେଇ ଖର୍ଚ୍ଚ ରହିବା ଦରକାର। କିନ୍ତୁ ଅଡିଟ୍ରୁ ଜଣାପଡ଼ିଛି ଯେ ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ପରିମାଣର ଶସ୍ୟ ଷ୍ଟକ୍ ରଖାଯାଇନଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସ୍ଥିତି ମଧ୍ୟ ସେହିଭଳି ଖରାପ ଥିଲା। ଯୋଜନା ପାଇଁ ଯେତିକି ଶସ୍ୟ ଆବଣ୍ଟନ କରାଯାଉଥିଲା ତାହା ମଧ୍ୟ ଉଠାଯାଉନଥିଲା। ସେଥିପାଇଁ ବିଦ୍ୟାଳୟଗୁଡ଼ିକରେ ଷ୍ଟକ୍ ରହିପାରୁନଥିଲା।
ସୌଜନ୍ୟ ସମ୍ବାଦ
