ଜାତୀୟମହାନଗର

Economic Crisis: ୧୩ ହଜାର ସୈନିକ ପଠାଇ ପାକିସ୍ତାନ ପାଇଲା ୩ ବିଲିୟନ ଡଲାର

ଇସଲାମାବାଦ/ରିୟାଦ: ଆର୍ଥିକ ସଙ୍କଟରେ ଜର୍ଜରିତ ପାକିସ୍ତାନ ନିଜର ସୁରକ୍ଷା ରଣନୀତିକୁ ଅର୍ଥନୈତିକ ସମ୍ବଳରେ ପରିଣତ କରିବା ପାଇଁ ସାଉଦି ଆରବକୁ ୧୩,୦୦୦ ସୈନିକ ଓ ଅସ୍ତ୍ରଶସ୍ତ୍ର ପଠାଇଛି। ଏହା ପରେ ରିୟାଦ ପକ୍ଷରୁ ଇସଲାମାବାଦ ପାଇଁ ତୁରନ୍ତ ୩ ବିଲିୟନ ଡଲାର (ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା) ମଞ୍ଜୁର କରାଯାଇଛି। ୟୁଏଇର ଋଣ ପରିଶୋଧ କରିବାକୁ ଚାପରେ ଥିବା ପାକିସ୍ତାନ ପାଇଁ ଏହି ସହାୟତା ଏକ ‘ଜୀବନରେଖା’ ସଦୃଶ ହୋଇଥିବା ବେଳେ, ଏହା ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ପ୍ରତିରକ୍ଷା ଚୁକ୍ତିର ପରିଣାମ ବୋଲି କୁହାଯାଉଛି।

ସାଉଦି ଆରବ ଏହି ଚୁକ୍ତି ମାଧ୍ୟମରେ ପାକିସ୍ତାନର ‘ପରମାଣୁ ଛତ୍ର ଛାୟା’ ତଳେ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବେଳେ, ପାକିସ୍ତାନ ଏହା ବଦଳରେ ନିଜର ଦେବାଳିଆ ଅର୍ଥନୀତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଗୋଟିଏ ସପ୍ତାହ ମଧ୍ୟରେ ଏହି ଅର୍ଥ ପାକିସ୍ତାନକୁ ମିଳିବା ସହ ପୂର୍ବରୁ ନିଆଯାଇଥିବା ଋଣର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଛି।

ପାକିସ୍ତାନ ପାଇଁ ଏହି ସହାୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ମାସ ଶେଷ ସୁଦ୍ଧା ତା’ର ୩.୫ ବିଲିୟନ ଡଲାର ଋଣ ପରିଶୋଧ କରିବାକୁ ପାକିସ୍ତାନ ଉପରେ ଚାପ ପକାଉଛି। ଅନ୍ୟପଟେ ଇରାନ-ଆମେରିକା ଉତ୍ତେଜନା ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି ଏବଂ ଆଇଏମଏଫ୍ ପକ୍ଷରୁ କଠୋର ଚେତାବନୀ ମଧ୍ୟ ମିଳିଛି। ଏପରି ସ୍ଥିତିରେ ସୈନ୍ୟ ପଠାଇ ଡଲାର ସଂଗ୍ରହ କରିବା ପାକିସ୍ତାନ ପାଇଁ ଏକମାତ୍ର ସମ୍ବଳ ପାଲଟିଛି। ବିଶ୍ଳେଷକଙ୍କ ଅନୁଯାୟୀ, ସାଉଦି ଆରବ ପରୋକ୍ଷରେ ଜଣେ ପାକିସ୍ତାନୀ ସୈନିକଙ୍କ ମୂଲ୍ୟ ପ୍ରାୟ ୨୦୦ ମିଲିୟନ୍ ଡଲାର ବୋଲି ଆକଳନ କରି ଏହି ବଡ଼ ନିବେଶ କରିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button