ୱାଶିଂଟନ: ଆମେରିକାର ମିସିସିପିରେ ତିନୋଟି ପୃଥକ ଗୁଳିକାଣ୍ଡ ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସହିତ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଯୋଗୁ ମିସିସିପି ସହରରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରି ଏଭଳି କାଣ୍ଡ ଭିଆଇଛନ୍ତି। କ୍ଲେ କାଉଣ୍ଟି ସେରିଫ୍ ଏଡି ସ୍କଟ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ସନ୍ଦିଗ୍ଧ ବ୍ୟକ୍ତି ପୁଲିସ ହେପାଜତରେ ଅଛନ୍ତି।
ତିନୋଟି ପୃଥକ ଗୁଳିକାଣ୍ଡ ଘଟଣାରେ ଛଅ ଜଣଙ୍କର ମୃତ୍ୟୁ
ପୁଲିସ ପକ୍ଷରୁ ମୃତ୍ୟୁ ସଂଖ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରଦାନ କରାଯାଇନାହିଁ। କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି, ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ତଥା ତାଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଏକ ପୁଲିସ ଦଳ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି। ସେ କାହିଁକି ଗୁଳି ଚଳାଇଲେ ତାହା ଜାଣିବାକୁ ପୁଲିସ ପକ୍ଷରୁ ଚେଷ୍ଟା କରାଯାଉଛି।
ଗୁଳିକାଣ୍ଡରେ ଆହତଙ୍କ ସଠିକ୍ ସଂଖ୍ୟା ଅସ୍ପଷ୍ଟ
ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମିସିସିପି ପୁଲିସ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛି। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଗୁଳିକାଣ୍ଡରେ ଆହତଙ୍କ ସଠିକ୍ ସଂଖ୍ୟା ଅସ୍ପଷ୍ଟ ରହିଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ଫୁଟବଲ୍ ମ୍ୟାଚ୍ ପରେ ଗୁଳିକାଣ୍ଡ
ସୂଚନାଯୋଗ୍ୟ,ପ୍ରାୟ ତିନି ମାସ ପୂର୍ବରୁ, ୧୦ ଅକ୍ଟୋବର, ୨୦୨୫ରେ, ମିସିସିପିରେ ଗୁଳିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ଏକ ହାଇସ୍କୁଲରେ ଫୁଟବଲ୍ ମ୍ୟାଚ୍ ପରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଆହତ ହୋଇଥିଲେ।
ସୌଜନ୍ୟ ସମ୍ବାଦ
