Site icon Swayam News

MLAs’ Salaries Bjd ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଦାବି କଲା ବିଜେଡି

ଭୁବନେଶ୍ବର: ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଗତକାଲି ବିଜେପି ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଣେ ଆଜି ବିଜେଡି ବିଧାୟକମାନେ ବି ଜନ ଅସନ୍ତୋଷକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମାନ ଦାବି କରିଛନ୍ତି। ଏହାଫଳରେ ଦରମା ଓ ପେନ୍‌ସନ୍‌ ବୃଦ୍ଧି ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବ ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି  ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

 ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ

ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶାସକ ଦଳର ବିଧାୟକମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ତେବେ ଏହା ଉପରେ ସରକାରୀ ପ୍ରକ୍ରିୟା କିଛି ଆରମ୍ଭ ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ତିନିଟି ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏ ଯାଏଁ ଯାଇନାହିଁ। ତେଣୁ ସରକାର ବିଲ୍‌ ତିନିଟି ଆଉ ନ ପଠାଇବାର ସମ୍ଭାବନା ରହିଛି। ଯଦି ବି ରାଜ୍ୟପାଳଙ୍କ ପାଖକୁ ଯାଏ, ତେବେ ରାଜ୍ୟପାଳ ବିଲ୍‌ଟି ପୁନର୍ବିଚାର ପାଇଁ ଫେରାଇଦେବେ। ଯଦି ବିଲ୍‌ ଉପରେ ସଂଶୋଧନ କରାଯାଇ ଦରମା ପରିମାଣ କମାଯିବ, ତେବେ ବଜେଟ ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଆସିପାରେ। ଏ ସମ୍ପର୍କରେ ସରକାରୀ ଭାବେ କିଛି ସ୍ପଷ୍ଟ ସୂଚନା ଆସି ନାହିଁ।

ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ରେ ଦରମା ଓ ଭତ୍ତା ବୃଦ୍ଧି ବାବଦକୁ ମିଳିବାକୁ ଥିବା ଅର୍ଥ ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version