ଦେଶ ବିଦେଶ

Muhammad Yunus: ନ୍ୟୁୟର୍କରେ ମହମ୍ମଦ ୟୁନୁସଙ୍କୁ ଘେରିଲେ ବାଂଲାଦେଶୀ ପ୍ରବାସୀ

ବାଂଲାଦେଶ ଅନ୍ତରୀଣ ସରକାରର ପୂର୍ବତନ ମୁଖ୍ୟ ଉପଦେଷ୍ଟା ତଥା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଆମେରିକାର ନ୍ୟୁୟର୍କରେ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି।

ନ୍ୟୁୟର୍କ: ବାଂଲାଦେଶ ଅନ୍ତରୀଣ ସରକାରର ପୂର୍ବତନ ମୁଖ୍ୟ ଉପଦେଷ୍ଟା ତଥା ନୋବେଲ ପୁରସ୍କାରବିଜେତା ମହମ୍ମଦ ୟୁନୁସ ଆମେରିକାର ନ୍ୟୁୟର୍କରେ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସୋମବାର ନ୍ୟୁୟର୍କର ଜନ୍ ଏଫ୍‌ କେନେଡି (ଜେଏଫ୍‌କେ) ଅନ୍ତର୍ଜାତୀୟ ବିମାନବନ୍ଦରରେ କିଛି ବାଂଲାଦେଶୀ ତାଙ୍କୁ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

‘ଆପଣ ଜଣେ ଆତଙ୍କବାଦୀ। ଆପଣ ବାଂଲାଦେଶରେ ଲୋକଙ୍କୁ ହତ୍ୟା କରିଛନ୍ତି। ଆପଣ ଏଠାକୁ କାହିଁକି ଆସିଛନ୍ତି?’ ବୋଲି ଜଣେ ବ୍ୟକ୍ତି ୟୁନୁସଙ୍କୁ ପ୍ରଶ୍ନ କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଅନ୍ୟମାନେ ମଧ୍ୟ ତାଙ୍କୁ ବାଂଲାଦେଶ ଫେରିଯିବାକୁ କହିଥିଲେ।

‘ଆତଙ୍କବାଦୀ’ କହି କଲେ ବିରୋଧ

ୟୁନୁସ କତର ଏୟାର୍‌ୱେଜ୍‌ର ଏକ ବିମାନରେ ଦୋହାରୁ ନ୍ୟୁୟର୍କ ଆସିଥିଲେ। ସ୍ଥାନୀୟ ସମୟ ସୋମବାର ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟ୍‌ରେ ବିମାନଟି ଅବତରଣ କରିଥିବା ବେଳେ ଟର୍ମିନାଲ୍‌-୮ ଅଞ୍ଚଳରେ ପ୍ରାୟ ୪ଟା ୧୦ ମିନିଟ୍‌ରେ ଏହି ଘଟଣା ଘଟିଥିବା ବାଂଲାଦେଶୀ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି। ସେତେବେଳେ ୟୁନୁସ ହ୍ୱିଲ୍‌ଚେୟାରରେ ଥିଲେ। ତାଙ୍କ ସହ ତାଙ୍କ ସହଯୋଗୀ ଲାମିଆ ମୋର୍ସେଦ୍‌ ମଧ୍ୟ ଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଘଟଣାସ୍ଥଳରୁ ନେଇଯାଇଥିଲେ।

ବିକ୍ଷୋଭକାରୀମାନେ ବାଂଲାଦେଶରେ ହଜାର ହଜାର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଏବଂ ପ୍ରାୟ ୨ ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଉଠାଇଥିଲେ। ୟୁନୁସ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିଥିବା ମଧ୍ୟ ସେମାନେ କହିଥିଲେ। ବାଂଲାଦେଶରେ ଶେଖ୍‌ ହସିନାଙ୍କ ସରକାରର ପତନ ପରେ ୟୁନୁସ ଅନ୍ତରୀଣ ସରକାରର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳକୁ ନେଇ ଦେଶରେ ରାଜନୈତିକ ବିବାଦ ଲାଗି ରହିଥିଲା। ଏହି ଘଟଣା ସମ୍ପର୍କରେ ୟୁନୁସ କିମ୍ବା ତାଙ୍କ ପ୍ରତିନିଧିଙ୍କ ପକ୍ଷରୁ ତୁରନ୍ତ କୌଣସି ବିବୃତି ମିଳିନାହିଁ। ବାଂଲାଦେଶରେ ତାଙ୍କ କାର୍ଯ୍ୟକାଳ ଓ ଗ୍ରାମୀଣ ଗ୍ରୁପ୍‌ ସମ୍ପର୍କରେ ତଦନ୍ତ ଦାବି ଉଠୁଥିବା ସମୟରେ ଏହି ଘଟଣା ଘଟିଛି। ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ପଦ ଛାଡ଼ିବା ପରେ ୟୁନୁସଙ୍କର ଏହା ପ୍ରଥମ ବିଦେଶ ଯାତ୍ରା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button