Mukesh Ambani: ଡାଟା ଭଳି ଶସ୍ତା ହେବ ଏଆଇ: ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କୁ ମଧ୍ୟ ସାଧାରଣ ଭାରତୀୟଙ୍କ ପାଖରେ ସୁଲଭ ଦରରେ ଉପଲବ୍ଧ କରାଯିବ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କୁ ମଧ୍ୟ ସାଧାରଣ ଭାରତୀୟଙ୍କ ପାଖରେ ସୁଲଭ ଦରରେ ଉପଲବ୍ଧ କରାଯିବ। ଜିଓ ଦେଶକୁ ଇଣ୍ଟରନେଟ୍ ଯୁଗ ପରେ ବର୍ତ୍ତମାନ ‘ବୁଦ୍ଧିମତ୍ତା ଯୁଗ’ ସହିତ ଯୋଡ଼ିବ। ଏହି ଦିଗରେ ଜିଓ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଗାମୀ ସାତ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଭାରତରେ ଶକ୍ତିଶାଳୀ ଏଆଇ ଭିତ୍ତିଭୂମି ସୃଷ୍ଟି କରିବା ସହ ଆଗାମୀ ଦଶକଗୁଡିକ ପାଇଁ ଆର୍ଥିକ ଦୃଢ଼ତା ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।

କମ୍ପାନି ଜାମନଗରରେ ପର୍ଯ୍ୟୟକ୍ରମେ ମଲ୍ଟି-ଗିଗାୱାଟ୍ ଏଆଇ ଡାଟା ସେଣ୍ଟର ପାର୍କ ବିକଶିତ କରୁଛି। ୨୦୨୬ ଶେଷ ମଧ୍ୟରେ ୧୨୦ ମେଗାୱାଟ୍ କ୍ଷମତା ଆରମ୍ଭ କରିବାର ଲକ୍ଷ୍ୟ ରହିଛି, ଯାହାକୁ ପରବର୍ତ୍ତୀକାଳରେ ଗିଗାୱାଟ୍ ସ୍ତର ପର୍ଯ୍ୟନ୍ତ ବଢ଼ାଯିବ। ଏହି ସମ୍ପୂର୍ଣ୍ଣ ଭିତ୍ତିଭୂମି ସବୁଜ ଶକ୍ତି ଉପରେ ଆଧାରିତ ହେବ। ସେହିପରି ଜିଓ ଏହାର ନେଟୱର୍କ ଜରିଆରେ ସମଗ୍ର ଦେଶରେ ଏଭଳି କମ୍ପ୍ୟୁଟିଂ କ୍ଷମତା ଉପଲବ୍ଧ କରାଇବ।

ସେ କହିଛନ୍ତି ଯେ ଏଆଇ ଭାରତୀୟ ଭାଷାରେ କାମ କରିବ ଯାହା ଫଳରେ ଚାଷୀ, ଯୁବକ, ଛାତ୍ରଛାତ୍ରୀ ଓ ଛୋଟ ବ୍ୟବସାୟୀମାନେ ନିଜ ଭାଷାରେ ଏହାର ଲାଭ ନେଇପାରିବେ। ଏହି କ୍ରମରେ ଶିକ୍ଷା ପାଇଁ ଜିଓ ଶିକ୍ଷା ଏଆଇ, ସ୍ୱାସ୍ଥ୍ୟ ପାଇଁ ଜିଓ ଆରୋଗ୍ୟ ଏଆଇ, କୃଷି ପାଇଁ ଜିଓ କୃଷି ଏବଂ ସାଧାରଣ ବ୍ୟବହାର ପାଇଁ ଜିଓ ଭାରତ ଆଇକ୍ୟୁ ପରି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ମୁଁ ଏଆଇକୁ ଆଧୁନିକ ‘ଅକ୍ଷୟ ପାତ୍ର’ ଭାବେ ଦେଖୁଛି, ଯାହା ଅସରନ୍ତି ପୋଷଣ ପ୍ରଦାନ କରିପାରିବ। ଏଆଇ ନିଯୁକ୍ତି ନେବ ନାହିଁ, ବରଂ ଉଚ୍ଚ-ଦକ୍ଷତା ବିଶିଷ୍ଟ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version