Murder: ହତ୍ୟାକାଣ୍ଡ ନେଇ ଚାଞ୍ଚଲ୍ୟ; ଖଣ୍ଡପଡ଼ାରେ ମାରିଲେ, ଗଣିଆରେ ଜାଳିଦେଲେ!

ନୟାଗଡ଼ (ସନ୍ଦୀପ ଲେଙ୍କା):ନୟାଗଡ଼ଜିଲ୍ଲା ପୁଲିସକୁ ସତେ ଯେମିତି ଶନି ଦଶା ପଡ଼ିଛି। ସୋମବାର ଗୋଟିଏ ଦିନରେ ଜିଲ୍ଲାର ଦୁଇଟି ବଡ଼ବଡ଼ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି। ଓଡ଼ଗାଁରେ ସକାଳୁ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଦିନ ତମାମ ଚର୍ଚ୍ଚା କମିନଥିବା ବେଳେ ସନ୍ଧ୍ୟାରେ ଗଣିଆ ଥାନା ଅଧୀନ ବାଲିସାହି-ଏରୁଣ୍ଡିପଥର ରାସ୍ତାରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ ଖଣ୍ଡପଡ଼ା ଥାନା ଅଧୀନ‌ ଢୋଲମରା ପଞ୍ଚାୟତର କନ୍ଧମେରି ଗାଁର ରୁଷିଆ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ (୧୮)। ସଞ୍ଜୟଙ୍କ ମୃତଦେହ ନିକଟରେ ତାଙ୍କ ଚପଲ ପଡ଼ିଥିବା ବେଳେ ପାଖରେ ଘାସ ଗୁଡ଼ିକ ଜଳି ଯାଇଥିବା ଦେଖିବାକୁ ମିଳିଛି। ଏଣୁ ସେହି ସ୍ଥାନରେ ହିଁ ତାଙ୍କୁ ଜାଳି ଦିଆଯାଇଥିବା ଅନୁମାନ କରାଯାଉଛି। ଖଣ୍ଡପଡ଼ା‌ରେ ତାଙ୍କୁ ହତ୍ୟା କରାଯାଇ ଗଣିଆ ଅଞ୍ଚଳର ଏହି ନିଛାଟିଆ ସ୍ଥାନରେ ଦୁର୍ବୃତ୍ତମାନେ ଜାଳି ଦେଇଥିବା ସନ୍ଦେହ କରାଯାଉଛି।
ସୋମବାର ଅପରାହ୍ନରେ ବାଲିସାହି-ଏରୁଣ୍ଡିପଥର ରାସ୍ତାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଖବର ପାଇ ଗଣିଆ ଥାନା ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ପରେ ଥାନା ଇନସପେକ୍ଟର ଟଙ୍କଧର ଛତ୍ରିଆ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହାତରେ କରାଯାଇଥିବା ଟାଟୁରୁ ତାଙ୍କ ନାଁ ସଞ୍ଜୟ ବୋଲି ଜଣାପଡ଼ିଥିଲା। ପରେ ପୁଲିସ ଅଧିକ ଖୋଳତାଡ଼ କରିବାରୁ ତ‌ାଙ୍କ ଘର ସମ୍ପର୍କରେ ସମସ୍ତ ତଥ୍ୟ ପାଇଥିଲା। ରାତିରେ ଗଣିଆ ଥାନାରେ ତାଙ୍କ ମା’ ଡଲି ପ୍ରଧାନ ପହଞ୍ଚି ପୁଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ମୃତକଙ୍କ ମା’ ଡଲିଙ୍କ ସୂଚନା ମୁତାବକ, ସଞ୍ଜୟ ଭୁବନେଶ୍ବରରେ ରହି କାଠ କାମ କରୁଥିଲେ। ଗତକାଲି ଅପରାହ୍ନରେ ସେ ଘରକୁ ଆସିଥିବା ନେଇ ତାଙ୍କ ମାଲିକ ଫୋନ୍ ଯୋଗେ କହିଥିଲେ। ଫୋନ୍ ପାଇବା ପରେ ପୁଅ କେତେବେଳେ ଆସିବ ବୋଲି ଡଲି ଅପେକ୍ଷା କରିଥିଲେ। ମାତ୍ର ରାତି ପାହି ସକାଳ ହେଲା ପଛେ, ସଞ୍ଜୟଙ୍କ ଦେଖା ମିଳିଲା ନାହିଁ। ଶେଷରେ ଗଣିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଅଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବା ନେଇ କେହି ସୋସିଆଲ ମିଡିଆରେ ସଞ୍ଜୟଙ୍କ ଫଟୋ ଅପଲୋଡ୍ କରିଥିଲେ। ଏହାକୁ ତାଙ୍କର ଜଣେ ସମ୍ପର୍କୀୟ ଦେଖି ଡଲିଙ୍କୁ ଯୋଗାଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ କେମିତି ଓ କାହିଁକି ଘଟିଲା, ଏହାର ଉତ୍ତର ମଧ୍ୟ ଡଲିଙ୍କ ପାଖରେ ନାହିଁ। ଏତେ କମ୍ ବୟସର ସଞ୍ଜୟଙ୍କ ସହ କାହାର ଶତ୍ରୁତା ଥିଲା? ତାଙ୍କୁ ଖଣ୍ଡପଡ଼ା ନା ଭୁବନେଶ୍ବରରେ ହତ୍ୟା କରାଯାଇ, ଏଠାରେ ଫୋପାଡ଼ି ଦିଆଯାଇଛି? ଗୁରୁତ୍ବପୂର୍ଣ୍ଣ କଥା ହେଲା ଯଦି ସଞ୍ଜୟଙ୍କୁ ଏଠାରେ ହତ୍ୟା କରାଯାଇଛି, ତେବେ ସେ କାହିଁକି ଏହି ଅଞ୍ଚଳକୁ ଆସିଥିଲେ? ଏହି ହତ୍ୟାକାଣ୍ଡକୁ ନେଇ ଏବେ ଏମିତି ମାଳମାଳ ପ୍ରଶ୍ନ ଉଙ୍କି ମାରିଛି ଓ ପୁଲିସ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ