Murder Mystery: କାଠଯୋଡ଼ି କୂଳରେ ମହିଳାଙ୍କୁ ହତ୍ୟା ଘଟଣା: କି-ପ୍ୟାଡ୍ ମୋବାଇଲକୁ ବନ୍ଦ କରି ଲୋକେସନ୍ ବଦଳାଉଛି ଅଭିଯୁକ୍ତି, ଚଢ଼ାଉ ବେଳକୁ ଖସିଯାଉଛି…

କଟକ,୧୬/୧୦: କାଠଯୋଡ଼ି କୂଳରେ କଳାହାଣ୍ଡିର ମହିଳା ଗୌରୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଟିମ୍ ଉଦ୍ୟମ ଜାରି ରଖିଛି । କଟକ ପୁଲିସର ଏକାଧିକ ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରିସାରିଲାଣି । ହେଲେ ପ୍ରତିଥର ଅଭିଯୁକ୍ତ ଯୁବକ ପୁଲିସକୁ ଚକ୍ମା ଦେଇ ଖସିଯିବାରେ ସଫଳ ହେଉଛି । ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ସେ ବେଶୀ ସମୟ ରହୁନାହିଁ । ଏହାମଧ୍ୟରେ ପୁଲିସ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଝାଡ଼ଖଣ୍ଡରେ ଡେରା ପକାଇଥିବା ସୂଚନା ମିଳିଛି ।
ଗତ ୭ ତାରିଖ ଅପରାହ୍ନରେ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀର ଜଳେଶ୍ୱର ଗଡ଼ାରେ କଳାହାଣ୍ଡିର ଗୌରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ସନ୍ଧ୍ୟା ସମୟରେ ଏହି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ମୃତକଙ୍କ ପରିଚୟ ଜାଣିବା ଓ ହତ୍ୟାକାରୀକୁ ଧରିବା ପାଇଁ ପୁଲିସର ୫ଟି ଟିମ୍ ଲାଗିପଡ଼ିଛି । ତଦନ୍ତ ସମୟରେ ପୁଲିସକୁ କଳାହାଣ୍ଡିରୁ କଟକ ଭାୟା ଜଗତସିଂହପୁର ଲିଙ୍କ ମିଳିଥିଲା । ମୃତ ଗୌରୀ କଳାହାଣ୍ଡିର ବାସିନ୍ଦା ହୋଇଥିଲା ବେଳେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ସେ ହତ୍ୟାକାରୀ ଯୁବକ ସହିତ ଆସି ଜଗତସିଂପୁରରେ ରହିଥିଲେ । ବହୁ ପୂର୍ବରୁ ଅଭିଯୁକ୍ତ ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ମହିଳାଙ୍କ ସ୍ୱାମୀ କୌଣସି ଏକ ମାମଲାରେ ଗିରଫ ହୋଇ ଜେଲ୍ରେ ରହିବା ପରେ ପ୍ରେମିକ ସହିତ ଗୌରୀ ଘରଛାଡ଼ି ଚାଲିଆସିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି ।
ଗତ ୭ ତାରିଖ ମଧ୍ୟାହ୍ନରେ ଉଭୟ ବସ୍ଷ୍ଟାଣ୍ଡ୍ରେ ପହଞ୍ଚି ଏକ ମେଡିକାଲ୍କୁ ଯାଇଥିଲେ । ପରେ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ପହଞ୍ଚିଥିଲେ । ଏହି ସମୟରେ କୌଣସି ଏକ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଯୁବକ ଜଣକ ମହିଳାଙ୍କୁ ଅମାନୁଷିକ ଭାବେ ଗୌରୀଙ୍କୁ ହତ୍ୟା କରିଥିଲା । ଦୁଇଦିନ ପରେ ମୃତକଙ୍କ ପରିଚୟ ଜଣାପଡ଼ିବା ପରେ ଅଭିଯୁକ୍ତ ଯୁବକ ବିଷୟରେ ଠିକ୍ ତଥ୍ୟ ପୁଲିସକୁ ମିଳିଥିଲା ।
ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଯୁବକ ଜଣକ ରିଂବନ୍ଧ ଉପରକୁ ନ ଆସି ନଦୀକୂଳ ଦେଇ ପୁରୀଘାଟ ଗଡ଼ାରେ ଉଠି ପୁଣି ବାଦାମବାଡ଼ି ଆଡ଼କୁ ଆସିଥିଲା । ସେଠାରୁ ବସ୍ ଯୋଗେ ବଲାଙ୍ଗିର ପଳାଇଥିଲା । ବଲାଙ୍ଗିରରେ ଦୁଇ ଦିନ ରହିବା ପରେ ସେ ଝାଡ଼ଖଣ୍ଡ ପଳାଇଛି । ପୁଲିସ ତା’ର ମୋବାଇଲ ଲୋକେସନ୍ ଟ୍ରାକ୍ କରି ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି । ଅଭିଯୁକ୍ତ ଯୁବକ ଅଧିକାଂଶ ସମୟ ମୋବାଇଲଟିକୁ ବନ୍ଦ କରି ରଖୁଛି । ତେଣୁ ଲୋକେସନ୍ ଛଡ଼ା ଅନ୍ୟ ବୈଷୟିକ ତଥ୍ୟ ଗୁଡ଼ିକ ପୁଲିସ ପାଇପାରୁନି । ଝାଡ଼ଖଣ୍ଡର ଉପାନ୍ତ ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନରେ ଅଭିଯୁକ୍ତର କିଛି ପରିଚିତ ବ୍ୟକ୍ତି କାମ କରୁଥିବା ସୂଚନା ମିଳିଛି । ଯୁବକ ଜଣକ ସେଠାରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।
ସୌଜନ୍ୟ ପ୍ରମେୟ




