ପୁରୀ: ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା। ସାମାନ୍ୟ ବଚସାରୁ ଯୁବକଙ୍କ ଛୁରି ଭୁସି ଦେଲେ ଦୁର୍ବୃତ୍ତ। ମୃତକଙ୍କ ଘର ଭଦ୍ରକଜିଲ୍ଲା ବନ୍ତ ଅଞ୍ଚଳର ବୋଲି ସୂଚନା। ଅଭିଯୁକ୍ତ ସମୁଦ୍ର କୂଳ ଥାନାରେ ଅଟକ।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ରଂଜନ କୁମାର ଦାସ ଓ ମାନସ ରଂଜନ ନାୟକ ଜଣେ ସଂପର୍କୀୟଙ୍କ ଶବସଂସ୍କାର ଲାଗି ପୁରୀ ସ୍ବର୍ଗଦ୍ବାରକୁ ଆସିଥିଲେ। ସେଠାରେ ଅନ୍ତିମସଂସ୍କାର କାମ ସରିବା ପରେ ରଂଜନ କୁମାର ଦାସ ଓ ମାନସ ରଂଜନ ନାୟକ ହେଟେଲ୍ ଗେଲ୍ ନିକଟ ପିଣ୍ଡିରେ ବସିଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ତାଙ୍କ ସହ ଉଭୟଙ୍କର ଝଗଡ଼ା ହୋଇଥିଲା।
ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ
ପରେ ଦୁର୍ବୃତ୍ତଜଣକ ରଂଜନ ଓ ମାନସଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ରଂଜନ କୁମାର ଦାସଙ୍କର ମୃତ୍ୟୁ ହୋଇଥିଲା। ତେବେ ମାନସଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଖବର ପାଇ ପୁରୀ ସମୁଦ୍ର କୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାର ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି।
ସୌଜନ୍ୟ ସମ୍ବାଦ
