ରାଜ୍ୟ

Nandankanan News:ସର୍ବକନିଷ୍ଠ ମା’ହେଲା ସିଂହୀ ‘ଶ୍ରୀୟା’, ନନ୍ଦନକାନନରେ ଦୁଇ ଘଡ଼ିଆଳ କୁମ୍ଭୀର ମୃତ

ବାରଙ୍ଗ,୧୪ \୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସର୍ବ କନିଷ୍ଠ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି ସିଂହୀ ‘ଶ୍ରୀୟା’ । ‘ଶ୍ରୀୟା’କୁ ଏବେ ଦୁଇ ବର୍ଷ ଦେଢ଼ ମାସ ବୟସ । ୨୦୨୪ ଅଗଷ୍ଟ ୮ ତାରିଖରେ ସିଂହୀ ବିଜଲି ଓ ସିଂହ ସମ୍ରାଟ ଔରସରୁ ୩ଟି ଶାବକ ଧ୍ରୁବ, ହର୍ଷ ଓ ଶ୍ରୀୟା ଜନ୍ମ ହୋଇଥିଲେ । ବିଜଲୀ ଶାବକମାନଙ୍କୁ ଗ୍ରହଣ ନକରିବାରୁ କର୍ତ୍ତୃପକ୍ଷ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖି ବଡ଼ କରିଥିଲେ । ପ୍ରାୟ ଏକ ବର୍ଷର ହେବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ପଛ ପାର୍ଶ୍ବ ଖୁଆଡ଼ରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ‘ଧ୍ରୁବ’କୁ ଅଲଗା କରାଯାଇ ଗୋଟିଏ ଖୁଆଡ଼ରେ ‘ହର୍ଷ’ ଓ ‘ଶ୍ରୀୟା’କୁ ରଖାଯାଇଥିଲା । ତେବେ କର୍ତ୍ତୃପକ୍ଷଙ୍କ ଅଜାଣତରେ ସେମାନଙ୍କ ମିଳନ ହୋଇଥିବା ଜଣେ କର୍ମଚାରୀ କହିଛନ୍ତି ।

ଆଜି ସାନ୍ଧ୍ୟରେ ହଠାତ୍ ‘ଶ୍ରୀୟା’ ଗୋଟିଏ ଶାବକ ଜନ୍ମ ଦେଇଥିଲା । ଏ ସମ୍ପର୍କରେ କେହି ଜାଣିପାରି ନଥିଲେ । ପରେ କର୍ମଚାରୀମାନେ ଦେଖି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଭାଗୀୟ ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚିଥିଲେ । ତେବେ କମ୍ ବୟସରେ ପ୍ରଥମ କରି ମା’ ହୋଇଥିବାରୁ ‘ଶ୍ରୀୟା’ ଶାବକକୁ ଗ୍ରହଣ କରିନଥିଲା । ତେଣୁ ଶାବକଟିକୁ ମା’ଠାରୁ ଅଲଗା କରି ଶିଶୁ ଲାଳନପାଳନ କେନ୍ଦ୍ରକୁ ନିଆଯାଇଛି । ସିଂହ ଶାବକ ଜନ୍ମ ହେବା ସମ୍ପର୍କରେ ଅଧିକ ଜାଣିବା ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

୨୦ ଦିନରେ ୫ କୁମ୍ଭୀରଙ୍କ ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଘଡ଼ିଆଳ କୁମ୍ଭୀର ଖୁଆଡ଼ରେ ଦୁଇଟି ଘଡ଼ିଆଳ କୁମ୍ଭୀର ଛୁଆଙ୍କ ମୃତ୍ୟୁ ଘଟିଛି । ତେବେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡ଼ିନାହିଁ । ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଦୁଇ କୁମ୍ଭୀର ଛୁଆଙ୍କ ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଡ଼ିଆଳ ସଂଖ୍ୟା ୧୬୧କୁ ହ୍ରାସ ପାଇଛି । ୨୦୨୬ ମେ ୨୪ରୁ ଜୁନ୍ ୧ ତାରିଖ ମଧ୍ୟରେ ୭୧ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ବଡ଼କଥା ହେଲା ଗତ ୨୦ ଦିନ ମଧ୍ୟରେ ୫ଟି କୁମ୍ଭୀରଙ୍କ ମୃତ୍ୟୁ ହୋଇସାରିଲାଣି । ସେଥିମଧ୍ୟରେ ୩ଟି କୁମ୍ବୀର ଛୁଆ ୪ ମାସର, ଗୋଟିଏ ବୟସ୍କ ଓ ଗୋଟିଏ ବଉଳା କୁମ୍ଭୀର ରହିଛି । କୁମ୍ଭୀରମାନଙ୍କ ମୃତ୍ୟୁକୁ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଉଥିବା ବେଳେ ସେମାନଙ୍କ ଖୁଆଡ଼ ପାଣି ଓ ଖାଦ୍ୟ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଖାଦ୍ୟର ମାନକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ଏକ କମିଟି ଗଠନ ପାଇଁ ସାଧାରଣରେ ଦାବି ହେଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button