ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ପରବର୍ତ୍ତୀ ୱେବିନାର ସିରିଜର ଚତୁର୍ଥ ୱେବିନାରରେ ‘ସବକା ସାଥ ସବକା ବିକାଶ–ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ଉଦ୍ବୋଧନ ରଖି କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଗାଁକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ସରକାର ସଫଳତା ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡା ଓ ସଂସ୍କୃତି କ୍ଷେତ୍ର ଦେଶର ସାମଗ୍ରିକ ଉନ୍ନତିର ପ୍ରମୁଖ ଆଧାର। ବଜେଟ୍ରେ ଘୋଷିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ବିଶେଷଜ୍ଞ ଓ ନୀତିନିର୍ଦ୍ଧାରକମାନଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।
ସେ କହିଥିଲେ ଯେ ପ୍ରତିରୋଧକ ଓ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଶକ୍ତିଶାଳୀ କରିବା ଉପରେ ଭାରତ ଗୁରୁତ୍ୱ ଦେଉଛି। ଦେଶର ଅନେକ ଜିଲ୍ଲାରେ ନୂଆ ମେଡିକାଲ କଲେଜ ଖୋଲାଯାଇଛି ଏବଂ ଆୟୁଷ୍ମାନ ଭାରତ ଯୋଜନା ଓ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ସେବା ପହଞ୍ଚ ବଢ଼ିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଉଲ୍ଲେଖ କରି ସେ କହିଥିଲେ ଯେ ଟେଲିମେଡିସିନ ମାଧ୍ୟମରେ ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ମଧ୍ୟ ସହଜରେ ଡାକ୍ତରଙ୍କ ପରାମର୍ଶ ପାଇପାରୁଛନ୍ତି। ଏହାର ବ୍ୟବହାରକୁ ଆହୁରି ସରଳ କରିବା ସହିତ ସଚେତନତା ବୃଦ୍ଧି ଆବଶ୍ୟକ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ିଙ୍କୁ ଭାରତର ସବୁଠାରୁ ବଡ଼ ଶକ୍ତି ବୋଲି ବର୍ଣ୍ଣନା କରିଥିଲେ। ନୂତନ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାକୁ ନିଯୁକ୍ତି ଓ ଉଦ୍ୟମିତା ସହିତ ଯୋଡ଼ିବା ପାଇଁ ପ୍ରୟାସ ହେଉଛି। ବିଶେଷକରି AI, ଅଟୋମେସନ ଓ ଡିଜିଟାଲ ଅର୍ଥନୀତି ଭଳି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆଗକୁ ଆଣିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସେହିପରି ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଓ କମିକ୍ସ (AVGC) କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେଉଥିବା କଥା କହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିଳ୍ପ ସହଯୋଗ ଓ ଗବେଷଣାକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। କ୍ରୀଡା କ୍ଷେତ୍ରରେ Khelo India ପରି ପଦକ୍ଷେପ ଦ୍ୱାରା ଛୋଟ ସହର ଓ ଗ୍ରାମ ଅଞ୍ଚଳରୁ ମଧ୍ୟ ପ୍ରତିଭା ଚିହ୍ନଟ ହେଉଥିବା ବୋଲି ସେ କହିଥିଲେ। ଆଗାମୀ ଅଲିମ୍ପିକ୍ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଏବେଠାରୁ ଯୁବ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ବିଶାଳ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପାରମ୍ପରିକ ପର୍ଯ୍ୟଟନସ୍ଥଳୀ ସହିତ ନୂତନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ବିକାଶ କରିବା ଉପରେ ସରକାର ଧ୍ୟାନ ଦେଉଛି। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ ବଢ଼ିଲେ ଦେଶର ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ ଏବଂ ଏକ ବିକଶିତ ଭାରତ ଗଠନର ଭିତ୍ତି ମଜବୁତ ହେବ।
ସୌଜନ୍ୟ ସମ୍ବାଦ
