ନୂଆଦିଲ୍ଲୀ: ଦିନ ଥିଲା ଟିଭି ଖୋଲିଲେ କିମ୍ବା ଖବର କାଗଜର ପୃଷ୍ଠା ଓଲଟାଇଲେ ମାଓବାଦୀଙ୍କ ବର୍ବରତାର ଚିତ୍ର ଦେଖିବାକୁ ମିଳୁଥିଲା । ସବୁଦିନ ସୀମାନ୍ତବର୍ତ୍ତୀ ଇଲାକାରୁ ନକ୍ସଲଙ୍କ ନିଷ୍ଠୁରତାର ଖବର ସାମ୍ନାକୁ ଆସୁଥିଲା । କେଉଁଠି ପୋଲିସ ଇନଫର୍ମର ସନ୍ଦେହରେ କାହାକୁ ମାଓବାଦୀ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରୁଥିଲେ ତ ପୁଣି କେଉଁଠି ବିକାଶ କାମକୁ ବିରୋଧ କରି ନକ୍ସଲମାନେ ଟିପର ଜାଳିଦେଉଥିଲେ । କେବେ ଜିଲ୍ଲାପାଳଙ୍କୁ ତ କେବେ ବିଦେଶୀ ନାଗରିକଙ୍କୁ ଅପହରଣ କରି ରଖୁଥିଲେ । ଅସ୍ତ୍ରାଗାର ଲୁଟ୍, ଜେଲ ପୋଡ଼ି ପରି ବର୍ବରକାଣ୍ଡ ଲାଲ୍ ଆତଙ୍କର ଗୋଟେ ଗୋଟେ ରକ୍ତାକ୍ତ ଦସ୍ତାବିଜ ହୋଇ ରହିଛି ଓଡ଼ିଶା ଛାତିରେ । ଖାଲି ଆମ ରାଜ୍ୟ ନୁହେଁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ରେ ସକ୍ରିୟ ଥିଲେ ମାଓବାଦୀ । ଗୋଟେ ସମୟ ଥିଲା ମାଓବାଦୀଙ୍କ ପାଇଁ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିଲା । ଲୋକଙ୍କୁ ନିର୍ମମ ହତ୍ୟା କରି, ଗଳାକାଟି ନିଦ ହଜାଇ ଦେଇଥିଲେ ନକ୍ସଲ । ପାଖାପାଖି ୫୬ ବର୍ଷ ମାଓ ଆତଙ୍କରେ ଆତଙ୍କିତ ହୋଇ ରହିଥିଲେ ମଣିଷ ଆଉ ସେହି ନକ୍ସଲମାନଙ୍କ ସହ ଚାଲିଥିଲା ଆମ ବୀର ଯବାନଙ୍କ ସଂଘର୍ଷ… ହେଲେ ଆଜି ସେ ଦିନ ଆଉ ନାହିଁ… ଦିନେ ଯେଉଁ ଲାଲବାହିନୀ ଡରରେ ଲୋକେ ଘରେ ଲୁଚୁଥିଲେ ଏବେ କିନ୍ତୁ ସେହି ନକ୍ସଲମାନେ ଜୀବନ ବିକଳରେ ଅନ୍ଧାରୀ ଜଙ୍ଗଲରେ ଲୁଚୁଛନ୍ତି । ପୋଲିସ ଓ ଯବାନଙ୍କ ଗୁଳିକୁ ଡରି ଆତ୍ମସମର୍ପଣ କରୁଛନ୍ତି । ଏକପ୍ରକାର କହିବାକୁ ଗଲେ ଲାଲଗଡ଼ ଭୁଶୁଡ଼ିଛି ଏବଂ ଭାରତ ମାଓମୁକ୍ତ ହୋଇଛି ।
ସୌଜନ୍ୟ ସମ୍ବାଦ
