Nepal: ନେପାଳ ବନ୍ୟା: ଜଳବିଦ୍ୟୁତ୍ ପ୍ରକଳ୍ପରୁ ୯୩୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜୋରଦାର
ନେପାଳରେ ଅଗଷ୍ଟ ୨୬ ତାରିଖରୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ୯୩୩ ଜଣ ଜଳବିଦ୍ୟୁତ୍ ପ୍ରକଳ୍ପ କର୍ମଚାରୀ ଓ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି। ବନ୍ୟାର ଷଷ୍ଠ ଦିନ ସୋମବାର ନେପାଳୀ ଉଦ୍ଧାରକାରୀ ଦଳ ବିଭିନ୍ନ ପ୍ରକଳ୍ପର ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି।

କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ ତାରିଖରୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ୯୩୩ ଜଣ ଜଳବିଦ୍ୟୁତ୍ ପ୍ରକଳ୍ପ କର୍ମଚାରୀ ଓ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି। ବନ୍ୟାର ଷଷ୍ଠ ଦିନ ସୋମବାର ନେପାଳୀ ଉଦ୍ଧାରକାରୀ ଦଳ ବିଭିନ୍ନ ପ୍ରକଳ୍ପର ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣ (ଏନ୍ଡିଆର୍ଆର୍ଏମ୍ଏ) ଅନୁସାରେ, ବନ୍ୟାପ୍ରଭାବିତ ଅଞ୍ଚଳର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରୁ ୯୩୩ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପର ସୁଡ଼ଙ୍ଗରୁ ୨୭୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିରୁ ଅପର ତ୍ରିଶୁଳୀ-୧ ପ୍ରକଳ୍ପରୁ ୨୫୪ ଜଣ ଓ ଲାଙ୍ଗଟାଙ୍ଗ ଖୋଲା ପ୍ରକଳ୍ପରୁ ୧୮ ଜଣ ଉଦ୍ଧାର ହୋଇଛନ୍ତି। ଅନ୍ୟମାନଙ୍କ ସ୍ଥିତି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଦୁଇଟି ସୁଡ଼ଙ୍ଗରୁ ତିନିଟି ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ୨୧୬ ମେଗାୱାଟ୍ କ୍ଷମତାର ନିର୍ମାଣାଧୀନ ଅପର ତ୍ରିଶୁଳୀ-୧ ପ୍ରକଳ୍ପର ୫୦୦ରୁ ଅଧିକ କର୍ମଚାରୀ, ଶ୍ରମିକ ଓ ଇଞ୍ଜିନିୟରଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣ ସୁଡ଼ଙ୍ଗ ଭିତରେ ଥିବା ଆଶଙ୍କା କରାଯାଉଛି। ଅପର ତ୍ରିଶୁଳୀ-୩ବିରେ ୨୧୩, ରସୁୱାଗଢ଼ୀରେ ୯୩, ଅପର ତ୍ରିଶୁଳୀ-୩ଏ ଓ ଲାଙ୍ଗଟାଙ୍ଗ ଖୋଲାରେ ୪୨ ଜଣ ଲେଖାଏଁ ନିଖୋଜ ଅଛନ୍ତି। ମେଲୁଙ୍ଗ ଖୋଲାରେ ୭, ରସୁୱା-ଭୋଟେକୋଶୀରେ ୪ ଓ ମିଡିଲ୍ ତ୍ରିଶୁଳୀରେ ୨ ଜଣ ନିଖୋଜ ଅଛନ୍ତି।
ବନ୍ୟାରେ ନୁୱାକୋଟ୍ ଅଞ୍ଚଳର ଅପର ତ୍ରିଶୁଳୀ-୩ଏ ପ୍ରକଳ୍ପର ସୁଡ଼ଙ୍ଗ ମାଟି ଓ ପଙ୍କରେ ପୋତି ହୋଇଯାଇଛି। ରବିବାର ନେପାଳୀ ସେନାର ଯନ୍ତ୍ରପାତି ଓ ବିସ୍ଫୋରଣ ମାଧ୍ୟମରେ ସୁଡ଼ଙ୍ଗର ପ୍ରବେଶପଥ ବଡ଼ କରିବା ଉଦ୍ୟମ ଆରମ୍ଭ ହୋଇଥିଲା। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ୬୬ ଜଣ ନେପାଳୀ ସେନା କର୍ମଚାରୀ, ୧୮ ଜଣ ସଶସ୍ତ୍ର ପୁଲିସ ଓ ୬ ଜଣ ନେପାଳ ପୁଲିସଙ୍କୁ ନେଇ ୯୦ ଜଣିଆ ଦଳ ଏଠାରେ ନିୟୋଜିତ ଅଛି। ସୁଡ଼ଙ୍ଗର ମୁଖ୍ୟ ଅଂଶରେ ୬ ବର୍ଗଫୁଟ୍ର ଏକ ଖୋଲା ସ୍ଥାନ ସୃଷ୍ଟି କରାଯାଇଥିଲେ ମଧ୍ୟ ଭିତରେ ଥିବା ଲୋକଙ୍କଠାରୁ କୌଣସି ଉତ୍ତର ମିଳିନାହିଁ।
ସୌଜନ୍ୟ ସମ୍ବାଦ




