Nepal: ମୃତକଙ୍କୁ ଚିହ୍ନଟ କରିହେଉନି, ଗୋଟିଏ ମର ଶରୀରର ୨ ଦାବିଦାର
ବନ୍ୟା ବିପର୍ଯ୍ୟୟ ଅନେକ ଜୀବନଦୀପ ଅକାଳରେ ଲିଭାଇ ଦେଇଛି। ଆକସ୍ମିକ ବନ୍ୟାରେ ଭାସି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ବି ସଂଘର୍ଷ ଆରମ୍ଭ ହୋଇଛି।

କାଠମାଣ୍ଡୁ: ବନ୍ୟା ବିପର୍ଯ୍ୟୟ ଅନେକ ଜୀବନଦୀପ ଅକାଳରେ ଲିଭାଇ ଦେଇଛି। ଆକସ୍ମିକ ବନ୍ୟାରେ ଭାସି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ବି ସଂଘର୍ଷ ଆରମ୍ଭ ହୋଇଛି। ଉଦ୍ଧାର ହୋଇଥିବା ଅନେକ ମୃତକଙ୍କୁ ଚିହ୍ନଟ କରିହେଉନାହିଁ।
ପୋଖରାରେ ୨ଟି ପରିବାର ଗୋଟିଏ ମର ଶରୀରକୁ ସେମାନଙ୍କ ନିଜ ଲୋକଙ୍କର ବୋଲି ଚିହ୍ନଟ କରିଛନ୍ତି । ପୋଖରା ଏକାଡେମି ଅଫ୍ ହେଲ୍ଫ ସାଇନ୍ସରେ ବଡି ନମ୍ବର ୧୦୦୩କୁ ଉଭୟ ମାଇଲୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପରେ କାମ କରୁଥିବା ଗୋପାଳ ଦହିତଙ୍କ ସମ୍ପର୍କୀୟ ଏବଂ ରୁପନଡେହିର ଜଣେ ଟୁରିଷ୍ଟଗାଇଡ୍ ଦାମୋଦର ବସ୍ୟଲ୍ଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିଛନ୍ତି। ଉଭୟ ବନ୍ୟାରେ ଭାସି ଯାଇଥିଲେ। ଉଭୟ ପରିବାର ଦାବି କରିଛନ୍ତି ଯେ ମର ଶରୀରଟି ସେମାନଙ୍କ ନିଖୋଜ ସମ୍ପର୍କୀୟଙ୍କ ଭଳି ଲାଗୁଛି।
ଉଭୟ ପରିବାର ଗୋଟିଏ ମରଶରୀରକୁ ସେମାନଙ୍କ ସମ୍ପର୍କୀୟ ବୋଲି ଦାବି କରିଥିବାବେଳେ କର୍ତ୍ତୃପକ୍ଷମାନେ ଉଭୟ ଦହିଦ ଓ ବସ୍ୟଲଙ୍କ ସମ୍ପର୍କୀୟଙ୍କର ଡିଏନ୍ଏ ନମୁନା ସଂଗ୍ରହକରିଛନ୍ତି। ତେବେ ଏହା କେବଳ ଗୋଟିଏ ମାମଲା ନୁହେଁ। ଏହି ହସ୍ପିଟାଲ୍ରେ ଅନ୍ୟ ଏକ ମର ଶରୀରର ବି ଦୁଇ ଜଣ ଦାବିଦାର୍ ଅଛନ୍ତି। ପୋଖରାକୁ ଅଣାଯାଇଥିବା ୧୦୨ଟି ମର ଶରୀର ମଧ୍ୟରୁ ୮୭ଟିର ସୋମବାର ସକାଳ ସୁଦ୍ଧା ବ୍ୟବଚ୍ଛେଦ ହୋଇଛି। ପରୀକ୍ଷା ପାଇଁ ୫ଟି ଫରେନ୍ସିକ୍ ସ୍ପେସାଲିଷ୍ଟ୍ କାମ କରୁଛନ୍ତି। ହସ୍ପିଟାଲ୍ର ଫ୍ରିଜର ସୁବିଧା ମଧ୍ୟ ପ୍ରାୟ ଶେଷ ହୋଇଆସିଲାଣି।
ସୌଜନ୍ୟ ସମ୍ବାଦ




