ଚେନ୍ନାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଲଗାତାର ଦୁଇଦିନରେ ଦୁଇଟି ବ୍ୟକ୍ତିଗତ ଶତକ ଦେଖିବାକୁ ମିଳିଛି। ସୋମବାର ଶ୍ରୀଲଙ୍କାର ପଥୁମ ନିଶଙ୍କଙ୍କ ଶତକ ପରେ ମଙ୍ଗଳବାର କାନାଡାର ଯୁବରାଜ ସମରା ଏକ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି। ତେବେ ଏହି ଶତକ ସତ୍ତ୍ବେ ସେ ନିଜ ଦଳକୁ ପରାଜୟକୁ ବଞ୍ଚାଇପାରିନଥିଲେ। କାନାଡା ଦ୍ବାରା ଧାର୍ଯ୍ୟ ୧୭୪ ରନ୍ର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ୍ ମାତ୍ର ୧୫.୧ ଓଭରରେ ହାସଲ କରି ସୁପର୍-୮ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କାନାଡା ଦୁଇ ଓପନର ଯୁବରାଜ ( ୬୫ ବଲରୁ ୧୧୦, ୬ ଛକା, ୧୧ ଚୌକା) ଓ ଦିଲ୍ପ୍ରିତ୍ ବାଜଓ୍ବା (୩୯ ବଲ୍ରୁ ୩୬)ଙ୍କ ଶତକୀୟ ଭାଗୀଦର ବଳରେ ୧୭୩/୪ ଭଳି ଏକ ଆହ୍ବାନଭରା ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୩୦ ରନ୍ରେ ୨ଟି ୱିକେଟ୍ ହରାଇଥିଲେ ବି ଗ୍ଲେନ୍ ଫିଲିପ୍ସ* (୩୬ ବଲ୍ରୁ ୭୬) ଓ ରାଚିନ୍ ରବୀନ୍ଦ୍ର* (୩୯ ବଲ୍ରୁ ୫୯)ଙ୍କ ୧୪୬ ରନ୍ର ଭାଗୀଦାର ବଳରେ ୨୯ଟି ବଲ୍ ବାକି ଥାଇ ନିଜର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କାନାଡା ପକ୍ଷରୁ ସାଦ୍ ବିନ୍ ଜାଫର ଓ ଡାଇଲନ୍ ହେଲିଗର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଗ୍ଲେନ୍ ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସୌଜନ୍ୟ ସମ୍ବାଦ
