ଧଣ୍ଡାମୁଣ୍ଡା: ନୂଆଁଖାଇ ପରେ ଦାଦନ ଏବେ ବାହାର ରାଜ୍ୟରେ ବର୍ଷର ଛ ମାସ ଗହଳି ଥିବା ବେଳେ ବାକି ଛ ମାସ ଘରେ ଘରେ ତାଟି କବାଟ ପଡ଼ିଯାଏ। ଭୋକ ପାଇଁ ଭିଟାମାଟି ଛାଡ଼ନ୍ତି ଲୋକେ। ଖାଲି ବୟୋଜ୍ୟେଷ୍ଠମାନଙ୍କୁ ଛାଡ଼ି ଦେଲେ ପ୍ରାୟତଃ ଲୋକେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥାନ୍ତି। ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ଚାଲାଣର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନି I ସରକାରଙ୍କ ଜନ ହିତକର ଯୋଜନା ସତେ ଯେପରି ଏଇମାନଙ୍କ ପାଇଁ ସାତ ସପନ। ନୂଆଁଖାଇ ପର୍ବ ପରେ ଦାଦନ ଚାଲାଣ ଆରମ୍ଭ ହୋଇଥିବା ବେଳେ ପୌଷ ପୂର୍ଣ୍ଣମୀ ବେଳେ ପ୍ରାୟତଃ ଗାଁଗୁଡ଼ିକ ଜନଶୂନ୍ୟ ହୋଇଯାଏ।
ଖବରରେ ପ୍ରତ୍ୟେକ ଦିନ କିଛି ନା କିଛି ଦାଦନ ଉଦ୍ଧାର ହେଉଥିବାର ଖବର ହେଉଥିଲେ ମଧ୍ୟ ଦାଦନ ଚାଲାଣ ସମ୍ପୂର୍ଣ୍ଣ ଥମିନି, ବରଂ ଲୋକେ ଏଇଠି କାମଧନ୍ଦା ନ ପାଇ ପେଟ ଚାଖଣ୍ଡକ ପାଇଁ ସପରିବାର ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି I ଦାଦନ ନିର୍ଯାତନାର ଖବର ସବୁ ବେଲେ ଶିରୋନାମାରେ ଥିଲେ ମଧ୍ୟ ଖାତିର ନାହିଁ I
ଗାଁ ପାଇଁ ଅପହଞ୍ଚ ସରକାରୀ ଯୋଜନା
ଦାଦନ ରୂପକ କ୍ୟାନ୍ସରକୁ ସମୂଳେ ମୂଳୋତ୍ପାଟନ ପାଇଁ ସରକାରଙ୍କ ସୁନେଲି ଯୋଜନା, ସଚେତନତା କାର୍ଯ୍ୟକ୍ରମ ଥିଲେ ବି ଦାଦନ ରୋକିବା ସମ୍ଭବ ନୁହେଁ। ଲୋକଙ୍କ ଅଭିଯୋଗ ସରକାର ପର୍ଯ୍ୟାପ୍ତ କାମ ଦେଉନାହାନ୍ତି, ଆମେ ଦାଦନ ଯିବୁ। ସେହିପରି ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଚାଉଳବାଞ୍ଜି ଗାଁ ଏବେ ଜନଶୂନ୍ୟ। ଗାଁରେ ୧୫୦ ପରିବାର ଥିଲେ ମଧ୍ୟ ଅଧିକାଂଶ ଏବେ ପେଟପାଟଣା ପାଇଁ ବାହାର ରାଜ୍ୟରେ
ଖାଲି ବୃଦ୍ଧ, ବିକଳାଙ୍ଗ ଲୋକଙ୍କୁ ଛାଡ଼ି ଦେଲେ। ଗାଁରେ ଲୋକ ନାହାନ୍ତି। ଗାଁର ଲୋକଙ୍କ କହିବା କଥା ହେଲା ଗାଁରେ କାମ ମିଳୁନି, ସେଥିପାଇଁ ବାହାର ରାଜ୍ୟ ଦାଦନ ଖଟିଯାଇଛନ୍ତି ଘର ଲୋକେ। ସରକାରୀ ସ୍ତରରେ ଅନେକ ଯୋଜନା ଥିଲେ ବି ଏଇ ଗାଁ ପାଇଁ ଅପହଞ୍ଚ ସରକାରୀ ଯୋଜନା।
ସୌଜନ୍ୟ ସମ୍ବାଦ
