ତା’ଛଡ଼ା ଶବ୍ଦ ପ୍ରଦୂଷଣ ଯୋଗୁଁ ସାମୁଦ୍ରିକ ଜୀବମାନଙ୍କ ମସ୍ତିଷ୍କ ବି ଭାରାକ୍ରାନ୍ତ ହେଉଛି। ସେମାନେ ସାମୟିକ ଅଥବା ଚିରଦିନ ଲାଗି ଶ୍ରବଣଶକ୍ତି ହରାଉଛନ୍ତି। ସେମାନଙ୍କ ଦେଶାନ୍ତର ଯାତ୍ରା ଓ ଖାଦ୍ୟପ୍ରାପ୍ତିରେ ବ୍ୟାଘାତ ସୃଷ୍ଟିହେଉଛି। ମେସିନ୍‌ ଧ୍ବନି ଯୋଗୁଁ ଭୀତତ୍ରସ୍ତ ହୋଇ ଜଳରୁ ବାହାରକୁ ଲମ୍ଫ ମାରିବା ଫଳରେ ସେମାନେ ଅସୁସ୍ଥତା ଭୋଗୁଛନ୍ତି ଅଥବା ବେଳାଭୂମିରେ ଫସି ଯାଉଛନ୍ତି। ପ୍ରମୁଖ ଜାହାଜ ଯାତାୟାତ ମାର୍ଗ ହୋଇଥିବାରୁ ଭାରତ ମହାସାଗରରେ ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେଣୁକରି ଭାରତରେ ଥିବା ୭,୫୦୦ କିଲୋମିଟର୍‌ ସୁପ୍ରଶସ୍ତ ଉପକୂଳ ଅଚିରେ ସାଗର ଶବ୍ଦ ପ୍ରଦୂଷଣ କବଳିତ ହେବାର ଆଶଙ୍କା ବି ରହିଛି। ସାଗର ଶବ୍ଦ ପ୍ରଦୂଷଣ ଚିନ୍ତାଜନକ ହେଲେ ବି ନିରାକରଣ ଉପାୟ ରହିଛି। ଜାହାଜ ବେଗ ହ୍ରାସ କଲେ ଶବ୍ଦ ପ୍ରଦୂଷଣ ବହୁଳାଂଶରେ ହ୍ରାସ ପାଇବ। ନୂତନ ଶୈଳୀରେ ନିର୍ମିତ ପଙ୍ଖା ଏବଂ ଜାହାଜରେ ଦିଆଯାଉଥିବା ଆସ୍ତରଣ ଯୋଗୁଁ ବି ଶବ୍ଦ ପ୍ରଦୂଷଣ ହ୍ରାସ ପାଇପାରିବ। ତୈଳ ଓ ପ୍ରାକୃତିକ ବାଷ୍ପ ସନ୍ଧାନ ଲାଗି ଏୟାର୍‌ ଗନ୍‌ ପରିବର୍ତ୍ତେ କମ୍ପନଭିତ୍ତିକ ପଦ୍ଧତି ଅବଲମ୍ବନ କଲେ କମ୍‌ ଶବ୍ଦ ହେବ। ସ୍ପର୍ଶକାତର ଅଞ୍ଚଳଗୁଡ଼ିକୁ ଚିହ୍ନଟକରି ନିଃଶବ୍ଦ ସାମୁଦ୍ରିକ ଜୋନ୍‌ କରାଗଲେ ମଧ୍ୟ ସାଗର ଶବ୍ଦ ପ୍ରଦୂଷଣ କିଛି ମାତ୍ର‌ାରେ ହ୍ରାସ ପାଇବ।