ଦେଶ ବିଦେଶ

Nuclear power plant data leaked: କୁଡ଼ନକୁଲମ୍‌ ପରମାଣୁ କେନ୍ଦ୍ରର ତଥ୍ୟ ଲିକ୍‌: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ସର୍ଭରରୁ ୮.୫ ଲକ୍ଷ ଫାଇଲ୍ ଚୋରି

ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ତାମିଲନାଡୁର କୁଡ଼ନକୁଲମ୍‌ ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ଏକ ଅନ୍ତର୍ଜାତୀୟ ରାନ୍‌ସମୱେର୍ (ସାଇବର୍‌ ଲୁଟେରା) ଗ୍ରୁପ୍ ‘ୱାର୍ଲଡ୍‌ ଲିକ୍ସ’ ଏହି ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ....

ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ତାମିଲନାଡୁର କୁଡ଼ନକୁଲମ୍‌ ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ଏକ ଅନ୍ତର୍ଜାତୀୟ ରାନ୍‌ସମୱେର୍ (ସାଇବର୍‌ ଲୁଟେରା) ଗ୍ରୁପ୍ ‘ୱାର୍ଲଡ୍‌ ଲିକ୍ସ’ ଏହି ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶର ବ୍ଲୁ-ପ୍ରିଣ୍ଟ୍ ଓ ଯୋଗାଣକାରୀଙ୍କ ସମ୍ପର୍କିତ ତଥ୍ୟ ‘ଡାର୍କ ୱେବ୍‌’ରେ ପ୍ରକାଶ କରିଛି। ଏହି ତଥ୍ୟଗୁଡ଼ିକ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ‘ରିଲାଏନ୍ସ ଗ୍ରୁପ୍‌’ର ସର୍ଭରରୁ ଚୋରି ହୋଇଥିବା ଦାବି କରାଯାଇଛି। ଏହି ଘଟଣା ସାମନାକୁ ଆସିବା ପରେ ଦେଶର ମୁଖ୍ୟ ସାଇବର୍‌ ସୁରକ୍ଷା ସଂସ୍ଥା ‘ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍‌ଜେନ୍ସି ରେସ୍‌ପନ୍ସ ଟିମ୍’ (ସିଇଆର୍‌ଟି-ଇନ୍) ଓ ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପରମାଣୁ ପ୍ଲାଣ୍ଟର ଅନ୍ୟତମ ଠିକାଦାର ଥିବା ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏହି ସାଇବର ଆକ୍ରମଣକୁ ସ୍ୱୀକାର କରାଯାଇଛି। ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ପକ୍ଷରୁ କୁହାଯାଇଛି ଯେ ତୃତୀୟ ପକ୍ଷ ଭାରତୀୟ ଡାଟା ସେଣ୍ଟର ସେବା ପ୍ରଦାନକାରୀ ସଂସ୍ଥା ‘ୟୋଟା’ ଦ୍ୱାରା ପରିଚାଳିତ ଏକ ସର୍ଭରରୁ ଏହି ତଥ୍ୟ ଆଂଶିକ ଭାବେ ଲିକ୍ ହୋଇଛି। ଗତ ମେ ୨୯ ତାରିଖରେ ୟୋଟା ସର୍ଭରରେ ସନ୍ଦେହଜନକ ଗତିବିଧି ଦେଖାଯାଇଥିଲା ଏବଂ ଜୁନ୍ ଶେଷ ସୁଦ୍ଧା ତଥ୍ୟ ଚୋରି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ଏହି ବିଷୟରେ କେନ୍ଦ୍ର ସରକାର ଓ ପରମାଣୁ ଶକ୍ତି ନିଗମକୁ ଅବଗତ କରାଯାଇଛି। ହ୍ୟାକର୍ ଗ୍ରୁପ୍ ପାଖରେ ରିଲାଏନ୍ସର ପ୍ରାୟ ୮ ଲକ୍ଷ ୫୮ ହଜାର ଫାଇଲ୍ ରହିଥିବା ବେଳେ ସେଥିମଧ୍ୟରୁ ସବୁଠାରୁ ଗୁପ୍ତ ୧୯,୦୦୦ ଫାଇଲ୍‌କୁ ଇଣ୍ଟର୍‌ନେଟ୍‌ରେ ସାର୍ବଜନୀନ କରାଯାଇଛି।

‘ଡାର୍କ ୱେବ୍‌’ରେ ସାର୍ବଜନୀନ କଲା ହ୍ୟାକର୍ ଗ୍ରୁପ୍‌ 
ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ସର୍ଭରରୁ ୮.୫ ଲକ୍ଷ ଫାଇଲ୍ ଚୋରି

ସୌଭାଗ୍ୟବଶତଃ ପ୍ରକାଶିତ ଦଲିଲ୍‌ଗୁଡ଼ିକ ମଧ୍ୟରେ ପରମାଣୁ ରିଆକ୍ଟରର ମୂଳ ସଞ୍ଚାଳନ ବ୍ୟବସ୍ଥା (କୋର୍ ସିଷ୍ଟମ୍) ସମ୍ପର୍କିତ କୌଣସି ତଥ୍ୟ ନାହିଁ, ଯାହାକୁ ରୁଷ୍‌ର ସରକାରୀ ସଂସ୍ଥା ‘ରୋସାଟମ୍‌’ ଯୋଗାଇ ଦେଇଛି। କିନ୍ତୁ ଲିକ୍ ହୋଇଥିବା କାଗଜପତ୍ର ମଧ୍ୟରେ କୁଡ଼ନକୁଲମ୍‌ ପ୍ଲାଣ୍ଟର ନିର୍ମାଣାଧୀନ ୟୁନିଟ୍-୩ ଓ ୟୁନିଟ୍-୪ର ଭେଣ୍ଟିଲେସନ୍ ତଥା କୁଲିଂ (ଶୀତଳୀକରଣ) ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ୍ ରହିଛି। ଏହାସହିତ ଏକ କମନ୍ କଣ୍ଟ୍ରୋଲ୍ ରୁମ୍‌ର ସମ୍ପୂର୍ଣ୍ଣ ଚଟାଣ ନକ୍ସା (ଫ୍ଲୋର୍ ଲେଆଉଟ୍), ଯୋଗାଣକାରୀ ସଂସ୍ଥାଗୁଡ଼ିକର ତାଲିକା, ୨୦୨୪ର ଏକ ମିଳିତ ଯାଞ୍ଚ ବୈଠକର ବିବରଣୀ ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ବୀମା ପଲିସିର ନକଲ ଏଥିରେ ସାମିଲ ଅଛି।

ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞ ତଥା ‘ନ୍ୟୁକ୍ଲିୟର ଥ୍ରେଟ୍ ଇନିସିଏଟିଭ୍’ର ବରିଷ୍ଠ ନିର୍ଦ୍ଦେଶକ ନିକୋଲାସ ରୋଥ୍‌ଙ୍କ ଅନୁଯାୟୀ, ଏହି ତଥ୍ୟ ଲିକ୍ ପରମାଣୁ ପ୍ଲାଣ୍ଟର ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବିପଜ୍ଜନକ ସଂଗଠନ ବା ଶତ୍ରୁପକ୍ଷ ଏହି ନକ୍ସା ସାହାଯ୍ୟରେ ପ୍ଲାଣ୍ଟର ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆକ୍ରମଣ ଯୋଜନା କରିବାର ଆଶଙ୍କା ରହିଛି। ୨୦୧୮ ମସିହାରେ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଏହି ପ୍ଲାଣ୍ଟର ୟୁନିଟ୍-୩ ଓ ୪ର  ନିର୍ମାଣ ପାଇଁ ଚୁକ୍ତି ହାସଲ କରିଥିଲା, ଯାହା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। କୁଡ଼ନକୁଲମ୍‌ ପରମାଣୁ କେନ୍ଦ୍ର ସାଇବର ଆକ୍ରମଣର ଶିକାର ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୧୯ ମସିହାରେ  ଉତ୍ତର କୋରିଆର ଏକ ହ୍ୟାକର୍ ଗ୍ରୁପ୍ ପକ୍ଷରୁ ଏହି ପ୍ଲାଣ୍ଟର ପ୍ରଶାସନିକ ନେଟ୍‌ୱର୍କକୁ ମାଲୱେର୍ ସାହାଯ୍ୟରେ ହ୍ୟାକ୍ କରାଯାଇଥିଲା। ବର୍ତ୍ତମାନ ତଥ୍ୟ ଲିକ୍ କରିଥିବା ‘ୱାର୍ଲଡ୍‌ ଲିକ୍ସ’ ଗ୍ରୁପ୍ ପୂର୍ବରୁ ଭାରତର ଟାଟା ଗ୍ରୁପ୍‌କୁ ମଧ୍ୟ ଟାର୍ଗେଟ୍ କରିସାରିଛି। ଗତ ଜୁନ୍ ମାସରେ ଏହା ଗ୍ରୁପ୍ ଟାଟା ଗ୍ରୁପ୍ ନିକଟରୁ ଆପଲ୍ ଓ ଟେସଲା କମ୍ପାନିର ଗୁପ୍ତ ତଥ୍ୟ ବଦଳରେ ୧.୫ ମିଲିୟନ୍ ଡଲାର ମାଗିଥିଲା ଏବଂ ଦାବି ପୂରଣ ନ ହେବାରୁ ତଥ୍ୟ ଲିକ୍ କରିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button