ରାଜ୍ୟ

Odisha: ବିକଶିତ ଓଡ଼ିଶା ୨୦୩୬ ଗଠନରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆଜି ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆଜି ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଅଧ୍ୟକ୍ଷତା କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ସ୍ମାରକୀ ଦିବସ ଉପଲକ୍ଷେ ଆଜି ‘ବିକଶିତ ଓଡ଼ିଶା ୨୦୩୬ ଗଠନ ନିମନ୍ତେ ପ୍ରବାସୀ ଓଡ଼ିଆଙ୍କ ଭୂମିକା’ ଶୀର୍ଷକକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। କୋଲକାତାରୁ ନିଜ ପାଠପଢ଼ା ସାରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିବା ଦିବସକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ସ୍ମାରକୀ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଆମାନଙ୍କୁ ଏକତ୍ରୀତ କରିବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ମଧୁବାବୁଙ୍କ ଭୂମିକା ପ୍ରେରଣାଦାୟୀ। ସେହିପରି ଭାବେ ଓଡ଼ିଆ ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ସମସ୍ତ ପ୍ରବାସୀ ଓଡ଼ିଆମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ଏବଂ ବିକଶିତ ଓଡ଼ିଶା-୨୦୩୬ ଗଠନ ଦିଗରେ ସମସ୍ତ ପ୍ରବାସୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଡ଼. ହୋତା ମତପ୍ରକାଶ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୁର ମଧୁବାବୁଙ୍କ ସ୍ମୃତି ଚାରଣ କରିବା ସହ ମଧୁବାବୁଙ୍କ ଜୀବନୀ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ପ୍ରବାସୀ ଓଡ଼ିଆମାନେ ରାଜ୍ୟ ଓ ଦେଶ ବାହାରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରିବା ସହ ଓଡ଼ିଶାର ଯଶ ଓ କୀର୍ତ୍ତିକୁ ବଜାୟ ରଖନ୍ତୁ ବୋଲି ଶ୍ରୀ ଦାଶ ବେନହୁର କହିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button