ଭୁବନେଶ୍ବର: ସସମ୍ମାନେ ଝିଅ ଯାଉଛନ୍ତି ଶାଶୂଘର। କର୍ତ୍ତା ସାଜୁଛନ୍ତି ଖୋଦ୍ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଉଛନ୍ତି। ପୂର୍ଣ୍ଣାହୂତି ଦେଇ ବୈବାହିକ ଜୀବନର ମଙ୍ଗଳ କାମନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୮୮ ଜଣ ଝିଅଙ୍କ ବିବାହ କରାଇଲାଣି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ। ଏଥିପାଇଁ ଆର୍ଥିକ ଅନଗ୍ରସର ପରିବାରର ଝିଅଙ୍କ ବିବାହ ପିଛା ୬୦ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ୪୫ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ପଠାଯାଉଛି। ଏହାବାଦ୍ ବିବାହ ଆୟୋଜନ ପାଇଁ ଅତିରିକ୍ତ ୧୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନସୁଦ୍ଧା ୨ କୋଟି ୩୨ ଲକ୍ଷ ୮୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଦେଲେଣି ରାଜ୍ୟ ସରକାର।
ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ। ଏହାକୁ ଜନସାଧାରଣଙ୍କ ମନ ଓ ମସ୍ତିଷ୍କରେ ଛାପିବା ଉଦ୍ଦେଶ୍ୟରେ ଗତ ଫେବୃଆରୀରୁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’। ଏହି ଯୋଜନା ଅଧୀନରେ ପ୍ରଥମେ ଗଞ୍ଜାମରେ ଓ ପରେ କଟକ, ସୁନ୍ଦରଗଡ଼, ବାଲେଶ୍ବର ଓ ମୟୂରଭଞ୍ଜରେ ସାମୁହିକ ବିବାହର ଆୟୋଜନ କରି ୩୮୮ ଜଣ ଝିଅଙ୍କ ବିବାହ କରାଇଲେଣି ରାଜ୍ୟ ସରକାର। ଓଡ଼ିଶାର କୌଣସି ଝିଅ ଯେପରି ଆର୍ଥିକ ଅନଟନ କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ ତଥା ବାଲ୍ୟ ବିବାହକୁ ରୋକିବା ଏବଂ ବିଧବା ବିବାହକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା। ଏହା ସମାଜକୁ ମହିଳାମାନଙ୍କ ପାଇଁ ସୁସ୍ଥ ପରିବେଶ ଗଠନରେ ସହାୟ ହେବ ବୋଲି ସରକାର ଏକ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନଃବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ବହୁ ପରିମାଣରେ ସହାୟତା ପ୍ରଦାନ କରିବ ଆଶା କରାଯାଉଛି। ଏହି ଯୋଜନାରେ ସାମିଏ ହେବା ପାଇଁ କନ୍ୟାର ବୟସ ୧୮ରୁ ୩୫ ବର୍ଷ ଏବଂ ବରର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ। ଏହି ଯୋଜନା ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୮୩ ଲକ୍ଷ ଟଙ୍କାର ବଜେଟ୍ ଘୋଷଣା କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓଡ଼ିଶା ସରକାରଙ୍କ ଏକ କଲ୍ୟାଣକାରୀ ପଦକ୍ଷେପ, ଯାହା ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବ। ଏହି ଯୋଜନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର କନ୍ୟାମାନଙ୍କୁ ସାମାଜିକ ସୁରକ୍ଷା ଏବଂ ସମ୍ମାନ ସହ ବିବାହ ପାଇଁ ସହାୟତା ପ୍ରଦାନ କରେ। ଏହି ଯୋଜନା ମାଧ୍ୟମରେ ସରକାର ଗରିବ ପରିବାରର ଝିଅ ବାହାଘରର ବୋଝ ହାଲ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୌଜନ୍ୟ ସମ୍ବାଦ
