Odisha T20 League: ୨୦ରୁ ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍; ଲଢିବେ ୬ ଟିମ୍, ଚାମ୍ପିଅନ୍ ଉପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁଠି ଦେଖିବେ Live

ଭୁବନେଶ୍ୱର,୩୧/୦୮: ବାରବାଟୀ ଷ୍ଟାଡିୟମରେ ଆସନ୍ତା ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍ ସିଏମ ଟ୍ରଫି-୨୦୨୬ । ରବିବାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଛି । ମୋଟ୍ ୬ଟି ଦଳକୁ ନେଇ ଲିଗ୍ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଥିଲେ, ‘ଯୁବ ପ୍ରତିଭାଙ୍କ ପାଇଁ ଓଡ଼ିଶା ଟି-ଟ୍ୱେଣ୍ଟି ଲିଗ୍ ଏକ ପ୍ଲାଟଫର୍ମ । ରାଜ୍ୟରେ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିଜନ ଓ ସମର୍ଥନକୁ ପ୍ରତିଫଳିତ କରି ଏଥର ଲିଗ୍କୁ ସିଏମ୍ ଟ୍ରଫି ନାମ ଦିଆଯାଇଛି ।
୨୦୨୬ ସଂସ୍କରଣରେ ମୋଟ୍ ୬ଟି ଦଳ ସାମିଲ ହୋଇଛନ୍ତି ।’ ଗତ ସଂସ୍କରଣରେ କଟକ ପାନ୍ଥର୍ସ ଚାମ୍ପିଅନ ହୋଇଥିଲା । କଟକ ସହ ଅନ୍ୟ ଦଳ ଗୁଡ଼ିକ ହେଲେ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲ୍ସ, ସମ୍ବଲପୁର ୱାରିୟର୍ସ ଓ କେନ୍ଦୁଝର ମାଇନର୍ସ । ସଂପୂର୍ଣ୍ଣ ଲିଗରେ ଖେଳାଯିବ ମୋଟ୍ ୧୭ଟି ମ୍ୟାଚ । ୨୯ ତାରିଖ ଫାଇନାଲ ପୂର୍ବରୁ ଏକ ପ୍ରଦର୍ଶନୀ ମହିଳା ମ୍ୟାଚ ଖେଳାଯିବା କାର୍ଯ୍ୟକ୍ରମ ରହିଛି । ଓସିଏ ସିଇଓ ସୁବ୍ରତ ବେହେରା କହିଥିଲେ, ‘ଆସନ୍ତା ୬ ତାରିଖରେ ଖେଳାଳି ଡ୍ରାଫ୍ଟ ଅନୁଷ୍ଠିତ ହେବ । ଡ୍ରାଫ୍ଟରେ ସାମିଲ ହୋଇଥିବା ଖେଳାଳିଙ୍କୁ ୫ଟି ବର୍ଗରେ ଭାଗ କରିଛୁ । ଆଇକନ ପ୍ଲେୟାରଙ୍କୁ ୧ ଲକ୍ଷ ୨୫ ହଜାର, ଗ୍ରେଡ୍ ଏ’ ବର୍ଗର ଖେଳାଳିଙ୍କୁ ୧ ଲକ୍ଷ, ଗ୍ରେଡ୍ ବି’ ଖେଳାଳିଙ୍କୁ ୭୫ ହଜାର, ଗ୍ରେଡ୍ ସି’ ଖେଳାଳିଙ୍କୁ ୫୦ ହଜାର ଏବଂ ଗ୍ରେଡ୍ ଡି’ ଖେଳାଳିଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ମିଳିବ ।
ସୌଜନ୍ୟ ପ୍ରମେୟ




