Odisha Vigilance: ଯାଜପୁରରେ ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପ୍ରସନ୍ନ ସାହାଣୀ, ୪୦ ହଜାର ଟଙ୍କା ଲାଞ୍ଚ ଜବତ
ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର JRA ପ୍ରସନ୍ନ କୁମାର ସାହାଣୀଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଧରିଛି। ଅଭିଯୁକ୍ତ ପ୍ରସନ୍ନ କୁମାର ସାହାଣୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ଯାଜପୁର: ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ (JRA) ପ୍ରସନ୍ନ କୁମାର ସାହାଣୀଙ୍କୁ ୪୦ ହଜାର ଟଙ୍କା ଲାଞ୍ଚଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଧରିଛି। ଜଣେ ଆବେଦନକାରୀଙ୍କ ମା’ଙ୍କ ନାମରେ ଏକ ଜମି କିଣିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ଫାଇଲ୍ ପ୍ରକ୍ରିୟାକରଣ କରିବାକୁ ସେ ଏହି ଲାଞ୍ଚ ଦାବି କରିଥିଲେ। ଉକ୍ତ ଜମିର ପରିମାଣ ୧୬ ଡେସିମିଲ୍ ଏବଂ ଜମି ମାଲିକ ଅନୁସୂଚିତ ଜାତି (SC) ବର୍ଗର ଅଟନ୍ତି।
ସରକାରୀ ନିୟମ ଅନୁଯାୟୀ, ଅନୁସୂଚିତ ଜାତି/ଜନଜାତି (SC/ST) ବର୍ଗର ବ୍ୟକ୍ତିଙ୍କଠାରୁ ଜମି କିଣିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ। ଏଥିପାଇଁ ଆବେଦନକାରୀ ଗତ ୨୯.୧୧.୨୦୨୫ ତାରିଖରେ ନିଜ ମା’ଙ୍କ ନାମରେ ଜମି କିଣିବାକୁ ଅନୁମତି ନିମନ୍ତେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ।
ତେବେ ଅଭିଯୁକ୍ତ ପ୍ରସନ୍ନ କୁମାର ସାହାଣୀ କୌଣସି କାରଣ ନ ଦର୍ଶାଇ ଫାଇଲ୍ ପ୍ରକ୍ରିୟାକରଣରେ ବିଳମ୍ବ କରୁଥିଲେ। ଆବେଦନକାରୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଡେସିମିଲ୍ ପିଛା ୩ ହଜାର ଟଙ୍କା ହିସାବରେ ମୋଟ ୪୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି ଜଣାଇବା ପରେ ଅଭିଯୁକ୍ତ ଲାଞ୍ଚ ପରିମାଣକୁ ୪୦ ହଜାର ଟଙ୍କାକୁ ହ୍ରାସ କରିଥିଲେ।
ଲାଞ୍ଚ ଦାବି ଏବଂ ହଇରାଣ ହରକତରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ନିଜ କାର୍ଯ୍ୟାଳୟ କକ୍ଷରେ ଅଭିଯୋଗକାରୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପ୍ରସନ୍ନ କୁମାର ସାହାଣୀଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମସ୍ତ ୪୦ ହଜାର ଟଙ୍କା ଜବତ କରାଯାଇଛି।
ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି
ଚଢ଼ାଉ ପରେ ଆୟବହିର୍ଭୂତ ସମ୍ପତ୍ତି (DA) ଠାବ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଶ୍ରୀ ସାହାଣୀଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ ୩୭/୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ପ୍ରସନ୍ନ କୁମାର ସାହାଣୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ସୌଜନ୍ୟ ସମ୍ବାଦ




