ରାଜ୍ୟ

Odisha Weather : ରାୟଗଡ଼ା,ମାଲକାନଗିରି ବର୍ଷା ବିତ୍ପାତ ; ବୁଡ଼ିଲା ପୋଲ ଯାତାୟତ ଠପ୍

ଭୁବନେଶ୍ବର,୨୪ \୯ : ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ । ବୁଧବାର ରାତି ପ୍ରାୟ ସାଢେ ୧୧ଟାରେ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପରକ୍ରିୟା ଜାରି ରହିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୫ ରୁ ୭୫ କିମି ରହିଥିଲା । ଲ୍ୟାଣ୍ଡଫଲ୍ ସମୟରେ ପ୍ରାୟ ୫ ମିଟର ଯାଏଁ ସମୁଦ୍ର ମାଡ଼ି ଆସିଥିଲା । ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ତେବେ ଆସନ୍ତା ୧୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ୨୬ ଯାଏ ବର୍ଷା ବିତ୍ପାତ ଲାଗି ରହିବ । ଆକସ୍ମିକ ବନ୍ୟା ଆସିପାରେ। ଭୂସ୍ଖଳନର ଭୟ ବି ରହିଛି । ବର୍ଷାର ପ୍ରକୋପରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି ।

ମାଲକାନଗିରି ବର୍ଷା ବିତ୍ପାତ

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବୁଡିଲା ୪ ପୋଲ । କାଙ୍କୁରୁକୋଣ୍ଡା, କନ୍ୟାଶ୍ରମ, ଏମଭି-୯୦ ଓ ଏମଭି-୯୬ ପୋଲ ଉପର ତିନିରୁ ଚାରି ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା, ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ୩୨୬ ନମ୍ବର ଜାତିୟ ରାଜପଥର ଅନେକ ସ୍ଥାନରେ ଅଟକି ରହିଛି ଶହ ଶହ ଯାନ ବାହାନ । ଲୋକଙ୍କ ସୁରକ୍ଷା ଲାଗି ସମସ୍ତ ପୋଲ ନିକଟରେ ପୋଲିସ ମୁତୟନ କରାଯାଇଛି ।

ରାୟଗଡ଼ାରେ ପ୍ରବଳ ବର୍ଷା

ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଭୋରରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷା ଲାଗିରହିଛି। ସେପଟେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ସମସ୍ତ ବ୍ଲକର ବିଡ଼ିଓ ଏବଂ ତହସିଲଦାର ମାନଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦେଶ ଦେଇଛନ୍ତି । ୧୧ଟି ହଟ୍ ସ୍ପଟ୍ ଚିହ୍ନଟ କରାଯାଇଛି, ଯେଉଁ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ସେହିପରି ପାନୀୟ ଜଳ,ବିଦ୍ୟୁତ୍ ବିଭାଗ ସଜାଗ ରହିଥିବା ବେଳେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ସଜାଗ ରହିଛି ।

କନ୍ଧମାଳରେ ବି ଢାଳୁଛି

କନ୍ଧମାଳର ଜି.ଉଦୟଗିରି ଅଞ୍ଚଳ ରେ ତୁହାକୁ ତୁହା ବର୍ଷା ହେଉଛି। ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ନିଷ୍ପତ୍ତି ଯୋଗୁ ଲୋକଙ୍କୁ ୬୦ କିଲୋମିଟର ଅଧିକ ଯିବା ପାଇଁ ପଡୁଛି । ଏ ନେଇ ଆମ ଟିମ୍ କଳିଙ୍ଗା ଘାଟିକୁ ରାତିରେ ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରିଖିଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button