ଜଗତସିଂହପୁର: ଲୁହାପଥର ବୋଝେଇ ଜାହଜ ଏମଭି ‘ଓସେନ୍ ୱିନର’ ଜାହଜ ବୁଡ଼ି ଘଟଣାର ପ୍ରାୟ ଦେଢ ମାସ ପରେ ଏକ ତେଲ ଜାହଜ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ମଝି ସମୁଦ୍ରରେଇଞ୍ଜିନ ଖରାପ ହୋଇଯିବା ଯୋଗୁ ଜାହଜରେ ପାଣି ପଶି ଗୋଟିଏ ପଟକୁ ଢଳି ଥିଲା। ଖବର ପାଇବା ପରେ ବନ୍ଦର ଟଗ୍ ବୋଟ୍, କୋଷ୍ଟଗାର୍ଡ ଓ ନୌସେନା ସହାୟତାରେ ସୁରକ୍ଷିତ ଭାବେ ଜାହଜକୁ ପାରାଦୀପ ବନ୍ଦରକୁ ଆଣି ବର୍ଥିଂ କରିଥିଲେ। ଏହାପରେ ସମସ୍ତ ୨୩ କ୍ରୁ ସଦସ୍ଯ ସୁରକ୍ଷିତ ଥିବା ଜଣାପଡିଛି।
ଆପଦ ସଙ୍କେତ ପ୍ରଥମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ମିଳିଥିଲା
ମିଳିଥିବା ସୂଚନା ଅନୁସାରେ, ‘ଏମଭି ସି ଗଲ୍ ୯’ ପ୍ରାୟ ୯ ହଜାର ମେଟ୍ରିକ୍ ଟନ୍ ଅଶୋଧିତ ପାମ୍ ତେଲ ନେଇ ପାରାଦୀପ ବନ୍ଦର ଅଭିମୁଖେ ଆସୁଥିଲା। ବନ୍ଦର ଠାରୁ ପ୍ରାୟ ୩୫ ନଟିକାଲ୍ ମାଇଲ ଦୂରରେ ଇଞ୍ଜିନ୍ ଖରାପ ହୋଇଯିବା ପରେ ଟଗ୍ ସହାୟତା ପାଇଁ ଅନୁରୋଧ କରିଥିଲା। ସେତେବେଳକୁ ଜାହଜରେ ପାଣି ପଶି ଗୋଟିଏ ପଟକୁ ପ୍ରାୟ ୧୦ ଡିଗ୍ରି ଢଳି ଯାଇଥିଲା। ସିପିଂ ଏଜେନ୍ସି ଆଣ୍ଟଲାଟିକ୍ ଗ୍ଲୋବାଲ ସିପିଂ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ପଠାଯାଇଥିବା ଆପଦ ସଙ୍କେତ ପ୍ରଥମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ମିଳିଥିଲା। ଏହା ପରେ କୋଷ୍ଟଗାର୍ଡ ଓ ନୌସେନାକୁ ଯୋଗାଯୋଗ କରା ଯାଇଥିଲା।
ଡେପୁଟି କନଜରଭେଟର କ୍ୟାପ୍ଟେନ୍ ଏ.ସି. ସାହୁଙ୍କ ସମନ୍ୱୟରେ ଜାହାଜକୁ ଟଗ୍ ସହାୟତା ଯୋଗାଇ ଦିଆଯାଇଥିଲା। ପାରାଦୀପ ବନ୍ଦରର ଟଗ୍ ପ୍ରାୟ ୩୫ ନଟିକାଲ୍ ମାଇଲ୍ ଦୂରରେ ଥିବା ଜାହାଜ ନିକଟରେ ପହଞ୍ଚି ଏହାକୁ ସୁରକ୍ଷିତ ଭାବେ ବନ୍ଦର ଅଭିମୁଖେ ଟାଣି ଆଣିଥିଲା।
ପରେ ଜାହାଜଟି ସର୍ବନିମ୍ନ ଇଞ୍ଜିନ୍ ଶକ୍ତି ବ୍ୟବହାର କରି ବନ୍ଦର ଭିତରକୁ ପ୍ରବେଶ କରିଥିଲା। ଡେପୁଟି କନଜରଭେଟର କ୍ୟାପ୍ଟେନ୍ ଏ. ସାହୁ ଏବଂ ପାଇଲଟ୍ କ୍ୟାପ୍ଟେନ୍ ଏସ୍.ବି. ପାଣିଗ୍ରାହୀଙ୍କ ନେତୃତ୍ୱରେ ଜାହାଜଟିକୁ ଏନକ୍ଯୁ ୨ ବର୍ଥରେ ସୁରକ୍ଷିତ ଭାବେ ବର୍ଥିଂ କରାଯାଇଥିଲା।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପ୍ରତିକ୍ରିୟା, ସମନ୍ୱିତ ପଦକ୍ଷେପ ଏବଂ ପେସାଦାର ନୌସାମୁଦ୍ରିକ ସହାୟତା ଯୋଗୁଁ ଜାହାଜ, ଏଥିରେ ଥିବା କର୍ମଚାରୀ ଓ ପଣ୍ୟର ସୁରକ୍ଷା ସୁନିଶ୍ଚିତ ହୋଇପାରିଛି। ତେଲ ଆଦାନି ୱିଲମାର କମ୍ପାନିକୁ ଆସୁଥିବା ଜଣାପଡିଛି।
ସୌଜନ୍ୟ ସମ୍ବାଦ