ବ୍ରହ୍ମପୁର: ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରି ଓଡ଼ିଶା ଉପକୂଳରେ ପହଞ୍ଚିସାରିଛନ୍ତି ବିରଳ ଅଲିଭ୍ରିଡ୍ଲେ କଇଁଛ। ଗଞ୍ଜାମଜିଲ୍ଲା ଋଷିକୁଲ୍ୟା ମୁହାଣ ନୀଳ ସମୁଦ୍ରରେ କଇଁଛଙ୍କ ମିଳନ ପର୍ବ ଜାରି ରହିଛି। ଏଥିପାଇଁ ଉକ୍ତ ଇଲାକାରେ ବ୍ରହ୍ମପୁର ବନ ବିଭାଗ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହ ନହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅଣ୍ଡାଦାନ ହେବା ନେଇ ଆଶା କରାଯାଉଛି। ବେଳାଭୂମି ଠାରୁ ସମୁଦ୍ର ଭିତରକୁ ପ୍ରାୟ ୧୦ କିମି ମଧ୍ୟରେ କଇଁଛ ଚଳପ୍ରଚଳ କରୁଛନ୍ତି। ଏଥିପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ଇଲାକାକୁ ନୋ-ଫିସିଂ ଜୋନ୍ ଘୋଷଣା କରାଯାଇଛି। ଅଣ୍ଡାଦାନ ପୂର୍ବରୁ ନିୟମିତ ବ୍ୟବଧାନରେ ବେଳାଭୂମି ସଫେଇ କରାଯାଉଛି। ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମିକୁ ଅଲିଭ୍ରିଡ୍ଲେ କଇଁଛ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଋଷିକୂଲ୍ୟା ମୁହାଣର ଉଭୟ ପାର୍ଶ୍ବରେ ଅଣ୍ଡାଦାନ କରିଥା’ନ୍ତି।
ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷାସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁଙ୍କ ସୂଚନା ଅନୁସାରେ ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ। ନଭେମ୍ବର ମାସରୁ ଏପ୍ରିଲ୍ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ବାକି ୬ମାସ ସେମାନେ ଶ୍ରୀଲଙ୍କା ଉପକୂଳରେ ରହିଥାନ୍ତି ବୋଲି କହିଛନ୍ତି। ନଭେମ୍ବରୁ ଜାନୁଆରି ପର୍ଯ୍ୟନ୍ତ ଅଲିଭ୍ରିଡ୍ଲେଙ୍କ ମିଳନ ହୋଇଥାଏ। ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ। ଏହାପରେ ଥଣ୍ଡା କମିବା ସହିତ ଦକ୍ଷିଣା ପବନ ପ୍ରବାହ ଆରମ୍ଭ ହୋଇଥାଏ। ମିଳନ ସରିବା ପରେ ଧୀରେ ଧୀରେ ମାଈ କଇଁଛ ସମୁଦ୍ର ଭିତରେ ବେଳାଭୂମି ଠାରୁ ପ୍ରାୟ ୨/୩ କିମି ଦୂରତା ମଧ୍ୟରେ ଭାସମାନ ଅବସ୍ଥାରେ ରହିଥାନ୍ତି। ଅଣ୍ଡାଦାନ ପାଇଁ ଆବଶ୍ୟକ ତାପମାତ୍ରା ଉପଲବ୍ଧ ହେବା ପରେ କଇଁଛ ବେଳାଭୂମି ଆଡ଼କୁ ଆସିଥାନ୍ତି। ଏହାପରେ ଗଣଅଣ୍ଡାଦାନ ଆରମ୍ଭ ହୋଇଥାଏ।
୨୦୨୪-୨୫ରେ ପ୍ରାୟ ୯ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ। ଯାହାକି ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଥିଲା। ୨୦୨୩-୨୪ରେ ପ୍ରାୟ ୨ହଜାର କଇଁଛ ବିକ୍ଷିପ୍ତ ଅଣ୍ଡାଦାନ କରିଥିଲେ। କିନ୍ତୁ ୨୦୨୨-୨୩ ଗଞ୍ଜାମ ବ୍ଲକ୍ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ। ଏଥର ପାଗ ଅନୁକୂଳ ରହିଲେ ପୁଣିଥରେ ଋଷିକୁଲ୍ୟା ମୁହାଣ ନିକଟରେ ଲକ୍ଷାଧିକ କଇଁଛଙ୍କ ସମାଗମ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।
ସୌଜନ୍ୟ ସମ୍ବାଦ
