ମନୋରଞ୍ଜନ

Sonakshi: ପରିବାରବାଦ ସମର୍ଥନରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ୨୦୧୦ ମସିହାର ‘ଦବଙ୍ଗ’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ଆରମ୍ଭରୁ ତାଙ୍କୁ ସଫଳତା ମିଳିଥିଲା। ତା’ ପରେ ତାଙ୍କ କ୍ୟାରିଅର୍‌ ଅନେକ ଉଠାଣି ଗଡ଼ାଣି ଦେଇ ଗତି କରିଛି। ତେବେ ଇତିମଧ୍ୟରେ ସେ ବଲିଉଡ୍‌ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ପାଲଟିଛନ୍ତି। ବରିଷ୍ଠ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ହୋଇଥିବାରୁ ତାଙ୍କୁ ଅଧିକ ସୁବିଧା ସୁଯୋଗ ମିଳିଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସେ। ସୋନାକ୍ଷୀ କହିଛନ୍ତି ଯେ ଶତ୍ରୁଘ୍ନ ଜାଣିବୁଝି ତାଙ୍କ ଅଭିନୟ କ୍ୟାରିଅର୍‌ରେ ହସ୍ତକ୍ଷେପ କରି ନଥିଲେ। ତଥାପି ସେ ପିତାଙ୍କ ଯୋଗୁଁ ଅଭିନୟ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ସ୍ବୀକାର କରିବାରେ ସଂକୋଚ କରିନାହାନ୍ତି।

ତେବେ ପରିବାରବାଦ ପ୍ରସଙ୍ଗ ନେଇ ତାଙ୍କର ଯୁକ୍ତି ହେଲା ପ୍ରତିଟି ଶିଳ୍ପ ପାଇଁ ଏହା ପ୍ରଯୁଜ୍ୟ। ତାଙ୍କ ଭାଷାରେ, ‘ମୁଁ ଯଦି ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହିବି, ତା’ହେଲେ ବ୍ୟବସାୟୀଙ୍କ ପୁଅ ତୁଳନାରେ ମୁଁ ସେ କ୍ଷେତ୍ରରେ ତିଷ୍ଠିବାର ସମ୍ଭାବନା କମ୍। ଦୁନିଆର ରୀତିନୀତି ହିଁ ସେମିତି। ବ୍ୟବସାୟୀଙ୍କ ପୁଅକୁ ଅଧିକ ସୁଯୋଗ ମିଳୁଛି ବୋଲି ମୁଁ ତା’ ଉପରେ ରାଗ ରଖିବି ନାହିଁ। ମୋ ମତରେ ପରିବାରବାଦ ଏଭଳି ଏକ ପ୍ରସଙ୍ଗ ଯାହାକୁ ଲୋକମାନେ ଏତେ ଗୁରୁତ୍ବ ଦେବା ଅନୁଚିତ।’ ପ୍ରକାରାନ୍ତରେ ପରିବାରବାଦକୁ ସୋନାକ୍ଷୀ ସମର୍ଥନ କରିଛନ୍ତି। ସେ ଯାହା ହେଉ, ନିକଟରେ ସୋନାକ୍ଷୀଙ୍କ ‘ସିଷ୍ଟମ୍’ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରିଛି, ଯେଉଁଥିରେ ତାଙ୍କ ଅଭିନୟ ପ୍ରଶଂସିତ ହେଉଛି।

 

 

 

ସୌଜନ୍ୟ Prameya News7

Show More
Back to top button