Site icon Swayam News

Opposition blames ‘SIR: ପରାଜୟ ପାଇଁ ‘ଏସ୍‌ଆଇଆର୍, ଭୋଟ୍ ଚୋରି’କୁ ଦୋଷ ଦେଲେ ବିରୋଧୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନ୍‌ଡିଏ ବିପୁଳ ଜନାଦେଶ ସହ କ୍ଷମତାକୁ ଫେରିବାକୁ ଯାଉଥିବା ବେଳେ ବିରୋଧୀମାନେ ସେମାନଙ୍କର ‘ଭୋଟ୍ ଚୋରି’ କୋରସ୍ ଜାରି ରଖିଛନ୍ତି। ବିଜେପି-ଜେଡିୟୁ ନେତୃତ୍ବାଧୀନ ଏନ୍‌ଡିଏ ୨୦୦ ପାର କରି ମହାମେଣ୍ଟର ଦୁର୍ବଳ ରଣନୀତିକୁ ପଦାରେ ପକାଇ ଦେଇଛି।  ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା  ସଂଖ୍ୟା ୧୨୨ ଆବଶ୍ୟକ ଥିବା ବେଳେ ଏନ୍‌ଡିଏ ଡବଲ ସେଞ୍ଚୁରି କରି ବିହାର ରାଜନୈତିକ ଦୃଶ୍ୟପଟ୍ଟରେ ଐତିହାସିକ ପରିବର୍ତ୍ତନ ଆଣିଛି। ମହାମେଣ୍ଟ ପାଇଁ ଏନ୍‌ଡିଏର ଏହି ବିଶାଳ ବିଜୟ ଆଗକୁ ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।

କଂଗ୍ରେସର ବିହାର ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏହି ଜନାଦେଶକୁ ‘ଭୋଟ୍ ଚୋରି’ ବୋଲି କହିଛନ୍ତି। ଗେହଲଟ୍ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଶାସକ ଦଳ ସହ ମିଶି ଷଡ୍‌ଯନ୍ତ୍ର କରୁଛି। ବିହାର ଫଳାଫଳ ନିରାଶାଜନକ, ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ ସେଠାରେ ଯେଉଁ ପରିବେଶ ଦେଖିଲି- ମହିଳାମାନଙ୍କୁ ୧୦,୦୦୦ଟଙ୍କା ଲେଖାଏଁ ଦିଆଯାଉଥିଲା; ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ମଧ୍ୟ ଏହା ଦିଆଯାଉଥିଲା। ନିର୍ବାଚନ କମିସନ ମୂକ ଦର୍ଶକ ସାଜିଥିଲେ। ଏହା କାହିଁକି ବନ୍ଦ ହେଲା ନାହିଁ? ଏହାର ଅର୍ଥ ହେଉଛି, ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ ଏହା ହେଉଛି ଭୋଟ୍ ଚୋରି। ଆଜିକାଲି ଅର୍ଥର ଅପବ୍ୟବହାର ହେଉଛି ବୋଲି  ଗେହଲଟ୍ କହିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି ଯେ ଏହି ନିର୍ବାଚନ ଭାରତର ନିର୍ବାଚନ ଆୟୋଗ ଓ ବିହାରବାସୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା। ମୁଁ ବିହାରର ଲୋକଙ୍କୁ ହେୟଜ୍ଞାନ କରିପାରିବି ନାହିଁ। ସେମାନେ ସାହସ ଦେଖାଇଛନ୍ତି। ଏସ୍‌ଆଇଆର୍‌ ସତ୍ତ୍ୱେ ସେମାନେ ଏହା ଦେଖାଇଛନ୍ତି ବୋଲି ଖେଡ଼ା କହିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ବିଜେପିକୁ ତୀବ୍ର ସମାଲୋଚନା କରି କହିଛନ୍ତି, ବିହାର ନିର୍ବାଚନରେ ମହାମେଣ୍ଟର ନିରାଶାଜନକ ପରାଜୟ ପାଇଁ ଭୋଟର ତାଲିକାରେ ସ୍ୱତନ୍ତ୍ର  ସଂଶୋଧନ (ଏସ୍‌ଆଇଆର୍) ଦାୟୀ। ବିହାରରେ ଯେଉଁ ଖେଳ ଖେଳାଗଲା ତାହା ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ କିମ୍ବା ଅନ୍ୟ କୌଣସି ରାଜ୍ୟରେ ସମ୍ଭବ ହେବ ନାହିଁ । ଆମେ ଏଭଳି କରିବାକୁ କଦାପି ପ୍ରଶ୍ରୟ ଦେବୁନାହିଁ ବୋଲି ଅଖିଳେଶ କହିଛନ୍ତି।

 

 

ସୌଜନ୍ୟ – ସମ୍ବାଦ

Exit mobile version