Opposition Target About Budget: ଭାରତର ସଙ୍କଟ ପ୍ରତି ଆଖି ବୁଜି ଦିଆଯାଇଛି: ବଜେଟ୍‌କୁ ବିରୋଧୀଙ୍କ ସମାଲୋଚନା

ରବିବାର ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥାପନାକୁ ‘ଭାରତର ପ୍ରକୃତ ସଙ୍କଟ ପ୍ରତି ଆଖି ବୁଜି ଦିଆଯାଇଥିବା’ ଏବଂ ଖର୍ଚ୍ଚ ପ୍ରାଥମିକତା ଉପରେ ସ୍ପଷ୍ଟତାର ଅଭାବ ବୋଲି କହିଛି।

ନୂଆଦିଲ୍ଲୀ: ରବିବାର ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥାପନାକୁ ‘ଭାରତର ପ୍ରକୃତ ସଙ୍କଟ ପ୍ରତି ଆଖି ବୁଜି ଦିଆଯାଇଥିବା’ ଏବଂ ଖର୍ଚ୍ଚ ପ୍ରାଥମିକତା ଉପରେ ସ୍ପଷ୍ଟତାର ଅଭାବ ବୋଲି କହିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ବଜେଟ୍‌ରେ କିଛି ନାହିଁ। ଏଥିରେ ଭାରତର ସଂକଟ ପ୍ରତି ଆଖି ବୁଜି ଦିଆଯାଇଛି।

ଯୁବକମାନଙ୍କ ପାଖରେ ନିଯୁକ୍ତି ନାହିଁ। ଉତ୍ପାଦନ ହ୍ରାସ ପାଉଛି। ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଘରୋଇ ସଞ୍ଚୟ ହ୍ରାସ ପାଉଛି। ଚାଷୀ ଅସୁବିଧାରେ ଅଛି। ଆସୁଥିବା ବିଶ୍ୱ ଝଟକା – ସବୁକିଛିକୁ ଅଣଦେଖା କରାଯାଇଛି। ଏହା ଏକ ବଜେଟ୍ ଯେଉଁଁଥି‌ରେ ଭାରତର ପ୍ରକୃତ ସଙ୍କଟ ପ୍ରତି ଅଣଦେଖା କରାଯାଇଛି ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ୯୦ ମିନିଟ୍‌ର ଭାଷଣ ପରେ ମଧ୍ୟ ବଜେଟ୍ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଆବଣ୍ଟନର ସ୍ପଷ୍ଟ ଚିତ୍ର ପ୍ରଦାନ କରିବାରେ ବିଫଳ ହୋଇଛି। ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ବଜେଟ୍ ଆବଣ୍ଟନ ବିଷୟରେ କୌଣସି ଧାରଣା ନ ଥିବାରୁ ଭାଷଣ ମଧ୍ୟ ସ୍ୱଚ୍ଛ ନ ଥିଲା ବୋଲି ସେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କହିଛନ୍ତି ଯେ, ମୋଦୀ ସରକାରଙ୍କ ଚଳିତ ବଜେଟ୍‌ ନୈରାଶ୍ୟଜନକ। କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ଭାଷଣରେ ତାଙ୍କ ରାଜ୍ୟ କେରଳ ବିଷୟରେ ଯଥେଷ୍ଟ ଉଲ୍ଲେଖ କରାଯାଇ ନ ଥିବାରୁ ସେ ଆଶ୍ଚର୍ଯ୍ୟ। କେରଳର ଜଣେ ସାଂସଦ ଭାବେ ମୁଁ କହିବାକୁ ଚାହେଁ ଯେ ଏହି ବଜେଟ୍‌ରେ ମୋର ଖୁସି ହେବାର କିଛି ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଧିକ କଠୋର ଭାବରେ ଅଭିଯୋଗ କରିଛନ୍ତି ଯେ, ସରକାର କେବଳ ଧନିକ ବର୍ଗଙ୍କ ପାଇଁ ଏହାର ବଜେଟ୍ ପ୍ରସ୍ତୁତ କରୁଛନ୍ତି। ଏହି ବଜେଟ୍ ପାଞ୍ଚ ପ୍ରତିଶତ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି। ସରକାର ନିଜ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି କି ବୋଲି ସେ ଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟଙ୍କ ପତ୍ନୀ ତଥା ଲୋକସଭା ସାଂସଦ ଡିମ୍ପଲ୍ ଯାଦବ ମଧ୍ୟ ସମାନ ମତ ରଖିଛନ୍ତି। ବଜେଟରେ କିଛି ନାହିଁ। ନିର୍ମଳା ସୀତାରମଣଙ୍କ ଭାଷଣରେ ବ୍ୟବହୃତ ବୈଷୟିକ ଶବ୍ଦ ଜଣେ ସାଧାରଣ ଲୋକ କେବେବି ବୁଝିପାରିବେ ନାହିଁ। କୃଷକ ଓ ମହିଳାଙ୍କ ସୁରକ୍ଷା ପାଇଁ ଏହି ବଜେଟ୍‌ରେ କିଛି ନାହିଁ ବୋଲି ଡିମ୍ପଲ୍ ଯାଦବ କହିଛନ୍ତି। ତେବେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ସବିଶେଷ ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିଛନ୍ତି। ସେ କହିଛନ୍ତି, ମୁଁ ଏହାକୁ ନ ଭଲଭାବେ ଶୁଣି ମନ୍ତବ୍ୟ ଦେଇପାରିବି ନାହିଁ।

ସୀତାରମଣ ଲଗାତାର ନବମ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ବଜାୟ ରଖିବା, ଲୋକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଗରିବ, ବଞ୍ଚିତ ଓ ଅବହେଳିତ ଲୋକଙ୍କୁ ପ୍ରାଥମିକତା ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ସେ ଆହୁରି କହିଛନ୍ତି ଯେ ସରକାର ବାକ୍ୟ ଅପେକ୍ଷା ସଂସ୍କାରର ରାସ୍ତା ବାଛିଛନ୍ତି ଏବଂ ଭାରତ ଏକ ବିକଶିତ ଭାରତ ହେବା ଦିଗରେ ପଦକ୍ଷେପ ଜାରି ରଖିବ।

ସୌଜନ୍ୟ ସମ୍ବାଦ

Exit mobile version