outdoor dog comment: ବୁଲା କୁକୁର ମନ୍ତବ୍ୟ: ମେନକାଙ୍କୁ ଭର୍ତ୍ସନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ପୋଡ୍‌କାଷ୍ଟରେ ବୁଲା କୁକୁର ମାମଲାରେ କୋର୍ଟଙ୍କ ବିଚାରଧାରା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ....

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ପୋଡ୍‌କାଷ୍ଟରେ ବୁଲା କୁକୁର ମାମଲାରେ କୋର୍ଟଙ୍କ ବିଚାରଧାରା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା  ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା କୋର୍ଟଙ୍କ ଉଦାରତା ଯେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କୁ ବୁଲାକୁକୁର ଆକ୍ରମଣ ପାଇଁ ଦାୟୀ କରିବା ବିଷୟରେ କୋର୍ଟ ଯାହା କହିଛନ୍ତି, ତାହା ଗମ୍ଭୀର ଥିଲା ଓ ତାହା ମଜାରେ କୁହାଯାଇ ନ ଥିଲା।
ଗାନ୍ଧୀଙ୍କ ଓକିଲ ରାଜୁ ରାମଚନ୍ଦ୍ରନଙ୍କୁ କୋର୍ଟ କହିଛନ୍ତି, ଆପଣଙ୍କ ମହକିଲ କେଉଁ ପ୍ରକାରର ମନ୍ତବ୍ୟ ଦେଉଛନ୍ତି ତାହା ଆପଣ ଜାଣିଛନ୍ତି କି? ଆପଣଙ୍କ ମହକିଲ ଅବମାନନା କରିଛନ୍ତି। ଆମର ଉଦାରତା ଯେ ଆମେ ଏହାକୁ ଗ୍ରହଣ କରୁନାହୁଁ। ପୋଡ୍‌କାଷ୍ଟରେ ଅଦାଲତ ପ୍ରତି ତାଙ୍କ ଭାଷା ଓ ଭାବ ନେଇ ଆପଣ କ’ଣ କହିବେ? ତେବେ ରାମଚନ୍ଦ୍ରନ୍ ଏହି ପ୍ରସଙ୍ଗ ଏଡ଼ାଇ ଜଳାତଙ୍କ ନିୟନ୍ତ୍ରଣ ପଦକ୍ଷେପ, ଟିକାର ଉପଲବ୍ଧତା ଏବଂ ବୁଲା କୁକୁର ଆକ୍ରମଣର ମୁକାବିଲା ପାଇଁ ପେସାଦାରଙ୍କ ଦକ୍ଷତା ବୃଦ୍ଧି ପ୍ରସଙ୍ଗରେ  କହିବାରୁ  ଏହାର ଜବାବରେ କୋର୍ଟ କହିଥିଲେ, ଆପଣଙ୍କ ମହକିଲଙ୍କ ଏଥିରେ କ’ଣ ଅବଦାନ ରହିଛି ତାହା କୁହନ୍ତୁ। ସେ ମଧ୍ୟ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ, ତେଣୁ ଏଭଳି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ଆବଣ୍ଟନରେ ଆପଣଙ୍କ ମହକିଲଙ୍କ ଅବଦାନ କ’ଣ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ବନ୍ଧ୍ୟାକରଣ ଦ୍ୱାରା ବୁଲା କୁକୁରଙ୍କ ଆକ୍ରୋଶ ହ୍ରାସ ପାଇଥାଏ, କିନ୍ତୁ ଅଧିକାଂଶ ସହରରେ କୌଣସି ପ୍ରଭାବଶାଳୀ ବନ୍ଧ୍ୟାକରଣ କାର୍ଯ୍ୟକାରୀ ହେଉନାହିଁ। ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଉଥିବା ଲୋକଙ୍କୁ ମଧ୍ୟ କୁକୁର କାମୁଡ଼ା ପାଇଁ ଦାୟୀ କରି କୋର୍ଟ ପୂର୍ବରୁ  ଦେଇଥିବା ମନ୍ତବ୍ୟ ବୋଧହୁଏ ବ୍ୟଙ୍ଗାତ୍ମକ ଥିଲା ବୋଲି ଭୂଷଣ ତାଙ୍କ ବୟାନରେ କହିଥିଲେ। ଏହାକୁ ବିରୋଧ କରି ଜଷ୍ଟିସ୍ ନାଥ କହିଥିଲେ, ଆମେ ଏହାକୁ  କଦାପି ବ୍ୟଙ୍ଗାତ୍ମକ ଭାବରେ କହିନାହୁଁ। ଆମେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ କହିଥିଲୁ ଏବଂ ଓକିଲଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ମନ୍ତବ୍ୟ ମୌଖିକ ଯୁକ୍ତି ଥିଲା ବୋଲି ସେ କହିଛନ୍ତି। ବିଚାରପତିଙ୍କ ବୟାନକୁ ନେଇ ରାମଚନ୍ଦ୍ରନ୍ କହିଥିଲେ  ଯେ ଏଭଳି ମନ୍ତବ୍ୟ ଟେଲିଭିଜନରେ ପ୍ରସାରିତ ହେଉଛି ଏବଂ ଏଥିପ୍ରତି ସତର୍କ ରହିବା ଉଭୟ ବାର୍ ଓ ବେଞ୍ଚର କର୍ତ୍ତବ୍ୟ। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ଏହି କାରଣରୁ ଆମେ କେବଳ ଅଧିକ ମନ୍ତବ୍ୟ ଦେବାରୁ ନିଜକୁ ନିବୃତ୍ତ ରଖିଛୁ ଏବଂ ଆପଣମାନେ ମାମଲାର ଗମ୍ଭୀରତା ବୁଝିବା ଆବଶ୍ୟକ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ, ଶିଶୁ କିମ୍ବା ବୃଦ୍ଧଙ୍କ ମୃତ୍ୟୁ କିମ୍ବା ଆହତ ହେଉଥିବା ପ୍ରତ୍ୟେକ କୁୁକୁର ଆକ୍ରମଣ ପାଇଁ ରାଜ୍ୟ ସରକାରଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ପଡ଼ିବ। ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଅନର୍ଥ ସୃଷ୍ଟି କରୁଥିବା ଲୋକଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯିବ।  ଜାନୁଆରି ୨୮ରେ ଏ ବାବଦରେ ପରବର୍ତ୍ତୀ ଶୁଣାଣି ହେବ।

ସୌଜନ୍ୟ ସମ୍ବାଦ

 

Exit mobile version