Ownership Claim on Government Land ରାଜସ୍ବ ପରିଷଦ ରାୟ; ସରକାରୀ ଜମି ଉପରେ ଘରୋଇ ବ୍ୟକ୍ତି ନିଜର ମାଲିକାନା ଜାହରି କରିପାରିବେନି
କଟକର ତରୋଳ ମୌଜାର ୬୨.୭୨ ଏକର ସରକାରୀ ଜମି ଉପରେ ବ୍ୟକ୍ତିଗତ ମାଲିକାନା ଦାବିକୁ ରାଜସ୍ବ ପରିଷଦ ଖାରଜ କରିଛନ୍ତି। ୪୩ ବର୍ଷର ବିବାଦର ଅନ୍ତ ଘଟିଛି।

- ୪୩ ବର୍ଷର ଦୀର୍ଘ ଆଇନଗତ ବିବାଦର ଅନ୍ତ
- ୮୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଜମି ଉପରେ ବ୍ୟକ୍ତିଗତ ମାଲିକାନା ଖାରଜ
ପ୍ରାୟ ୬୩ ଏକର ଜମି ସରକାରୀ ଖାତାରେ କାଏମ ରହିବ
କଟକ: ସରକାରୀ ଜମିକୁ ଦୀର୍ଘ ବର୍ଷ ନିଜ ଦଖଲରେ ରଖିଥିଲେ ମଧ୍ୟ ଘରୋଇ ବ୍ୟକ୍ତି ଏହାର ମାଲିକାନା ସତ୍ବ ଜାହିର କରିପାରିବେ ନାହିଁ ବୋଲି ୪ ଦଶନ୍ଧୀ ଧରି ଚାଲିଥିବା ଏକ ପୁରାତନ ମାମଲାର ବିଚାର କରି ରାଜସ୍ବ ପରିଷଦ ସଦସ୍ୟ ରାୟ ଦେଇଛନ୍ତି।
କଟକ ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ଵାର ତହସିଲର ଜଗତପୁର ଗୋଲେଇଛକ ସନ୍ନିକଟ ତରୋଳ ମୌଜାରେ ଥିବା ୬୨.୭୨ ଏକର ସରକାରୀ ଜମିକୁ ନେଇ ଦୀର୍ଘ ୪୩ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅବସାନ ଘଟିଛି। ରାଜସ୍ବ ପର୍ଷଦ ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ ଏହି ଜମି ଉପରେ ଦାବି କରିଥିବା ଆବେଦନକାରୀଙ୍କ ରିଭିଜନ୍ ମାମଲାକୁ ଖାରଜ କରିବା ସହ ଜମିକୁ ସରକାରୀ ଖାତାରେ ପୂର୍ବବତ୍ “ଆବାଦ ଯୋଗ୍ୟ ଅନାବାଦୀ” ଜମି ଭାବେ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମକଦ୍ଦମା ଜମି କଟକ ମହାନଗର ନିଗମ ପରିସରଭୂକ୍ତ ହୋଇଥିବାରୁ, ଏହାକୁ ବିଭିନ୍ନ ଉନ୍ନୟନମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ବୋଲି ସରକାରୀ ପକ୍ଷ କୋର୍ଟରେ ମତ ଦେଇଥିଲେ।
ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଦାଲତର ୩ ନଭେମ୍ବରର ରାୟ ଅନୁଯାୟୀ, ଜମିକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପିତ ଦଲିଲ ଓ ତଥ୍ୟ ଆଇନଗତ ମାଲିକାନା କିମ୍ବା ରାୟତି ଅଧିକାର ପ୍ରମାଣ କରିବାରେ ସକ୍ଷମ ହୋଇନାହିଁ। ଫଳରେ ଅତିରିକ୍ତ ଜିଲ୍ଲାପାଳ, କଟକଙ୍କ ପୂର୍ବ ଆଦେଶକୁ ବଳବତ୍ତର ରଖାଯାଇଛି।
ସୌଜନ୍ୟ ସମ୍ବାଦ




