ରାଜ୍ୟ

Paddy procurement: ମଣ୍ଡି ଧାନ କିଣାରୁ ହଟିଲା ଏସ୍‌ଏଚ୍‌ଜି, ଲ୍ୟାମ୍ପସ୍ ଜରିଆରେ କିଣାଯିବ

ଏହି ବର୍ଷ ଖରିଫ ମଣ୍ଡିରୁ ଧାନ କିଣାରୁ ଏସଏଚଜିକୁ ହଟାଯାଇଛି। ନବରଂଗପୁର ଜିଲ୍ଲାରେ ୫୭ଟି ମଣ୍ଡିରୁ ୫୭ଟି ଲ୍ୟାମ୍ପସ୍ ଜରିଆରେ ଧାନ କିଣାଯିବ। ଜିଲ୍ଲାରେ ଖରିଫ ୨୦୨୬–୨୭ମଣ୍ଡି ନିମନ୍ତେ କୃଷକ ପଞ୍ଜୀକରଣ, ଧାନ ସଂଗ୍ରହ...

ନବରଙ୍ଗପୁର: ଏହି ବର୍ଷ ଖରିଫ ମଣ୍ଡିରୁ ଧାନ କିଣାରୁ ଏସଏଚଜିକୁ ହଟାଯାଇଛି। ନବରଂଗପୁର ଜିଲ୍ଲାରେ ୫୭ଟି ମଣ୍ଡିରୁ ୫୭ଟି ଲ୍ୟାମ୍ପସ୍ ଜରିଆରେ ଧାନ କିଣାଯିବ। ଜିଲ୍ଲାରେ ଖରିଫ ୨୦୨୬–୨୭ମଣ୍ଡି ନିମନ୍ତେ କୃଷକ ପଞ୍ଜୀକରଣ, ଧାନ ସଂଗ୍ରହ, ନୂତନ ଧାନ ସଂଗ୍ରହ କେନ୍ଦ୍ର ଚିହ୍ନଟ, ନିୟନ୍ତ୍ରିତ ବଜାର କମିଟି (ଆରଏମସି), ଲ୍ୟାମ୍ପସ୍‌ ଆଦିର  ଭିତ୍ତିଭୂମି ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଏଭଳି ହୋଇଛି ନିଷ୍ପତ୍ତି।

ଜିଲ୍ଲାପରିଷଦ ସମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଇଂ. ବଳଭଦ୍ର ମାଝୀ,  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ଗୌରୀଶଙ୍କର ମାଝି,  ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା , ଜିଲ୍ଲା ପରିଷଦ ଅଧ୍ୟକ୍ଷ  ମୋତିରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢ଼ୀଙ୍କ ପକ୍ଷରୁ ଉଠାଯାଇଥିବା କୃଷକ ଓ ଧାନ ସଂଗ୍ରହ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ବିସ୍ତୃତ  ଆଲୋଚନା କରାଯାଇଥିଲା।

ଗତ ବର୍ଷ ୫୦,୯୧୯ଜଣ ପଞ୍ଜୀକରଣ  କରିଥିବା ବେଳେ ଗତ କାଲି ସୁଦ୍ଧା ୪୨,୬୫୫ଜଣ ୮୪ ପ୍ରତିଶତ ହୋଇଛି। ଅବଶିଷ୍ଟ ପଞ୍ଜୀକରଣକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପଞ୍ଜୀକରଣ ପ୍ରକ୍ରିୟାରେ ଦେଖାଦେଉଥିବା ମାନବ ସମ୍ବଳର ଅଭାବ, ଏକାଧିକ ଆଇଡି, ବୈଷୟିକ ସମସ୍ୟା ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଚନ୍ଦାହାଣ୍ଡି, ଫଟକି,ଶରଦାପୁର ସହ ଅଧିକ ପରିମାଣରେ ଧାନ ସଂଗ୍ରହର ସମ୍ଭାବନା ଥିବା ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ନୂତନ ଧାନ ସଂଗ୍ରହ କେନ୍ଦ୍ର ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ନୂତନ ଭାବେ ଟ୍ୟାଗ୍‌ କରାଯାଇଥିବା ସମସ୍ତ ୪୪ଟିଲ୍ୟାମ୍ପ ଗୁଡ଼ିକରେ ମଧ୍ୟ ଧାନ ସଂଗ୍ରହ ପାଇଁ ଆବଶ୍ୟକ ସୁବିଧା ବିକଶିତ କରିବା ନିମନ୍ତେ ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ସରକାରଙ୍କ ନିକଟରେ ଦାଖଲ କରିବାକୁ ଡିଆରସିଏସ୍ ଶରତ ପାଣିଗ୍ରାହୀଙ୍କୁ କୁହାଯାଇଥିଲା। ନୂଆ ଲ୍ୟାମ୍ପସ୍ ପାଇଁ ଭିତ୍ତିଭୂମି ଆବଶ୍ୟକ ହେଲେ ଜିଲ୍ଲାପାଳଙ୍କୁ ଜଣାଇଲେ‌ ସେ ଯୋଗାଇବେ ବୋଲି କହିଥିଲେ।

ଆରଏମସି ଅଧୀନସ୍ଥ ବଜାର ପ୍ରାଙ୍ଗଣ, ୟାର୍ଡ ଅନ୍ୟାନ୍ୟ ସୁବିଧାର ବିକାଶ ସମ୍ପର୍କରେ ସମୀକ୍ଷା କରିବା ସହ ଆଧୁନିକିକରଣ ସହ ଭିତ୍ତିଭୂମିକୁ ସମ୍ପୁର୍ଣ୍ଣ ସଜାଡିବାକୁ ଆରଏମସି ସମ୍ପାଦକ କପିଳେନ୍ଦ୍ର ସାସମଲ ଓ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କୁ କୁହାଯାଇଥିଲା। କୃଷକମାନଙ୍କ ଉତ୍ପାଦିତ ଧାନର ସୁଗମ ପରିବହନ ଓ ବିପଣନ ନିମନ୍ତେ ଉତ୍ତମ ରାସ୍ତା ସଂଯୋଗ ଏବଂ ଆବଶ୍ୟକ ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ସାଂସଦ ଓ ବିଧାୟକମାନଙ୍କ ପକ୍ଷରୁ ଉଠାଯାଇଥିବା ସ୍ଥାନୀୟ ଆବଶ୍ୟକତା ଓ ଭିତ୍ତିଭୂମି ସମ୍ପର୍କିତ ବିଷୟଗୁଡ଼ିକୁ ନିୟମାନୁଯାୟୀ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ବିଭାଗକୁ କୁହାଯାଇଥିଲା। ଧାନ କିଣାରେ  ଆରଏମସି, ଯୋଗାଣ ବିଭାଗ ଓ ସମବାୟ ବିଭାଗ ଓ ମିଲର୍ସଙ୍କ ମଧ୍ୟରେ ସମନ୍ବୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିଏଓ ବିରଞ୍ଚି ନାରାୟଣ ଦରୱାନ, ସିଏସଓ ଦେବାଶିଷ ମହାନ୍ତି,ଏସିଏସଓ ବିଷ୍ଣୁଚରଣ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button